Odisha news

ଡ଼୍ରଗ୍ସ ନିୟନ୍ତ୍ରଣ ଅଧିକାରୀ ଆସୁନଥିବାରୁ ଔଷଧ ଦୋକାନୀ ମାଳେମାଳ।

0

ନର୍ଲା (ଦୀପକ କୁମାର ଠାକୁର) ନର୍ଲା ଅଂଚଳରେ ଥିବା ଔଷଧ ଦୋକାନ ମାନଙ୍କରେ ବିପୁଳ ନକଲି ଔଷଧ କାରବାରକୁ ନେଇ ବହୁ ବାର ଅଭିଯୋଗ ହେଉଥିଲେ ହେଁ ପ୍ରଶାସନ ପକ୍ଷରୁ ସେଭଳି କୌଣସି ଆଖି ଦୃଷ୍ଟିୟା ପଦକ୍ଷେପ ନିଆଯାଉ ନାହିଁ। କିଛି ବର୍ଷ ତଳେ ରୁପ୍ରାରୋଡ ନିକଟ ସାନ୍ଦୁଲ ନଦୀ କୂଳରେ ଅନେକ ଭିଟାମିନ ଟାବଲେଟ ସହ ବିଭିନ୍ନ ପ୍ରକାରର ଔଷଧ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ନକଲି ଔଷଧର ଧରପଗଡ ଯୋଗୁଁ ଏହା ଔଷଧ ଦୋକାନୀଙ୍କ କାରନାମା ବୋଲି ଜଣାପଡି ଥିଲା। ବର୍ତ୍ତମାନ ସମୟରେ ନର୍ଲା, ରୁପ୍ରାରୋଡ,ତୁଲାପଡା, ନର୍ଲାରୋଡ, ବାଳିପଡା,ଛତିକୁଡା,ରୁପ୍ରା,ସରିଆଁ,ମୁସ୍କୁଟୀ,ଗିଗିନା,ଭୀମକେଲା ସହ ଅନେକ ଗ୍ରାମ ଗୁଡିକରେ ଔଷଧ ଦୋକାନ ମାନ ହୁ ହୁ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଦୋକାନୀମାନେ ନକଲି ଏବଂ ଅବଧି ସରିଯାଇଥିବା ଔଷଧ ଗୁଡିକ ଦୋକାନରେ ରଖି ଅଧିକ ମୁନାଫା ନେବାକୁ ବସିଛନ୍ତି। ଏହା ବ୍ୟତୀତ ଅନେକ କିରାନା ଦୋକାନ ମାନଙ୍କରେ ଜ୍ୱର,ଝାଡ଼ା, ମୁଣ୍ଡବ୍ୟଥାର ଔଷଧମାନ ରଖି ବିକ୍ରି କରୁଥିବା ଦୃଷ୍ଟିକୁ ଆସିଛି। ଏହା ସହିତ କିଛି ଡାକ୍ତର ମାନଙ୍କୁ ହାତ କରି ଦୋକାନୀ ମାନେ ଲୋକଙ୍କୁ ନକଲି ଔଷଧମାନ ଦେଉଥିବାର ବହୁ ନଜିର ରହିଛି।ସଠିକ ମାନର ଔଷଧ ଉପଲବ୍ଧ କରାଇବା ଦୋକାନୀ ମାନଙ୍କର ଦାୟିତ୍ଵ ଥିବା ବେଳେ ଏଥିପାଇଁ ସରକାରଙ୍କ ପାଖରୁ ଫାର୍ମାସିଷ୍ଟ ପ୍ରମାଣ ପତ୍ର ପାଇଥିବା ବ୍ୟକ୍ତିହିଁ ଔଷଧ ଦେବା ନେବା କରିଥାନ୍ତି ମାତ୍ର ଏଠାକାର ଦୋକାନୀମାନେ ବିନା ପ୍ରମାଣପତ୍ର ଏବଂ କମ ବେତନ ଦେଇ ରଖିଥିବା କର୍ମଚାରୀ ମାନଙ୍କୁ ନେଇ ଦୋକାନରେ ଔଷଧ ମାନ ନେଣଦେଣ କରୁଥିବାରୁ ସାଧାରଣ ରୋଗୀ ସଠିକ ମାନର ଔଷଧ ପାଇପାରୁ ନାହାନ୍ତି। ଏହା ସହିତ ଔଷଧ ମାନ ଯାଂଚ କରିବାରେ ସାଧାରଣ ଲୋକ ଅଥବା ରୋଗିଟିଏ ଅଜ୍ଞ ଥାଏ ଏଣୁ ଅଜାଣତରେ ଓ ସହଜରେ ସେ ଠକାମୀର ଶିକାର ହୋଇଥାଏ। ନକଲି ଔଷଧ ଓ ଅବଧି ସରିଯାଇଥିବା ଔଷଧ ପାଇଁ ସରକାରଙ୍କର କଡ଼ା ଆଇନ ଥିବା ବେଳେ ଏହା ଯାଂଚ କରିବା ନିମନ୍ତେ ଏକ ବିଭାଗ ମଧ୍ୟ ରହିଛି। ଏହି ବିଭାଗଟି କେବଳ କୈାଣସି ଅଭିଯୋଗ ଆସିଲେ ହିଁ ତାଙ୍କ କାର୍ଯ୍ୟଧାରାକୁ ନେଇ ଯାଂଚ କରିଥାନ୍ତି। ଅନ୍ୟ ପକ୍ଷରେ ବିଭାଗର ଅଧିକାରୀ ମାନଙ୍କର ମଧ୍ୟ ମାସିକ ଯାଂଚ କାର୍ଯ୍ୟ ଥିବା ସତ୍ବେ ଏହାକୁ ସଠିକ ଭାବେ କରୁ ନ ଥିବା ଅଭିଯୋଗ ହେଉଛି। ଯଦି ବି କିଛି ଯାଂଚ କାର୍ଯ୍ୟ କରାଯାଏ ତାହା କେବଳ କାଗଜ ପତ୍ର ଆଧାରରେ କରାଯାଏ। ଯାହାକି ଦୋକାନୀ ମାନେ ଖୁଲମଖୁଲା ନିଜର ନକଲି ବ୍ୟବସାୟର ସାମ୍ରାଜ୍ୟକୁ ବଢାଇ ଚାଲିଛନ୍ତି। ଔଷଧ ଦୋକାନ ଗୁଡିକ ମଧ୍ୟ ଔଷଧ କିଣିଲେ ଗ୍ରାହକକୁ ବିଲ୍ ରସିଦ ଦେଉନଥିବା ଅଭିଯୋଗ ହେଉଛି। ଏସବୁ ଦୃଷ୍ଟିରେ ରଖି ନର୍ଲା ଅଂଚଳରେ ଥିବା ଔଷଧ ଦୋକାନ ମାନଙ୍କୁ କଡ଼ାକଡ଼ି ଭାବେ ଯାଂଚ କରିବାକୁ ଡ଼୍ରଗ୍ସ ନିୟନ୍ତ୍ରଣ ଅଧିକାରୀଙ୍କ ନିକଟରେ ଦାବି ହେଉଛି।

Leave A Reply