୨୩ ବର୍ଷରୁ କମ୍ ଜାତୀୟ ପ୍ରତିଯୋଗିତାରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଏଚ୍ପିସି ଖେଳାଳୀଙ୍କ ୩ ପଦକ ଓ ୧୧ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ହାସଲ
- ସ୍ୱାଧୀନ ମାଝି ହାଇଜମ୍ପରେ କାଂସ୍ୟ ପଦକ ହାସଲ ସହ ଓଡ଼ିଶା ପାଇଁ ସ୍ଥାପନ କଲେ ଏକ ନୂଆ ରାଜ୍ୟ ରେକର୍ଡ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଥିବା ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ର ୮ ଜଣ କ୍ରୀଡାବିତ ଗତ ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨୩ ବର୍ଷରୁ କମ୍ ବୟସ ବର୍ଗର ଜାତୀୟ ଦୌଡକୁଦ ଚମ୍ପିଆନସିପ୍ରେ ମୋଟ ୧୧ଟି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (ପିବି) ସମୟ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ମହମ୍ମଦ ଆଲାମଗେର ହୋସେନ ୪୦୦ ମିଟର, ମୌମିତା ମଣ୍ଡଳ ୧୦୦ ମିଟର ହର୍ଡଲସ ଏବଂ ସ୍ୱାଧୀନ ମାଝି ହାଇଜମ୍ପରେ କାଂସ୍ୟ ପଦକ ହାସଲ କରିବା ସହିତ ଏଚପିସିର କ୍ରୀଡାବିତଙ୍କ ପାଇଁ ଏହ ସିଜନକୁ ସ୍ମରଣୀୟ କରିିଛନ୍ତି ।
ଏହି ପ୍ରତିଯୋଗିତା ପୂର୍ବରୁ ୱାରାଙ୍ଗଲରେ ଓପନ ନ୍ୟାସନାଲ୍ସରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଂଟର (ଏଚପିସି)ର ଅମ୍ଳାନ ବୋର୍ଗୋହେନ ୨୦୦ ମିଟରରେ ସ୍ୱର୍ଣ୍ଣ ଏବଂ ୧୦୦ ମିଟରରେ ରୌପ୍ୟ ପଦକ ବିଜେତା ହୋଇଥିଲେ । ଏଥିସହିତ ସେ ଏହି ଦୁଇ ବିଭାଗରେ ଯଥାକ୍ରମେ ୨୦.୭୫ ସେକେଣ୍ଡ ଓ ୧୦.୩୪ ସେକେଣ୍ଡର ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ରେକର୍ଡ ହାସଲ କରିଥିଲେ ।
ନୂଆଦିଲ୍ଲୀରେ ଏଚପିସି କ୍ରୀଡାବିତଙ୍କ ପ୍ରଭାବୀ ପ୍ରଦର୍ଶନ ନେଇ ମୁଖ୍ୟ ପ୍ରଶିକ୍ଷକ ଜେମ୍ସ ହିଲିଅରଙ୍କର କହିଛନ୍ତି, “କ୍ରୀଡାବିତମାନେ ଯେଭଳି ଅତ୍ୟନ୍ତ ଭଲ ଭାବରେ ନିଜକୁ ପ୍ରସ୍ତୁତ କରିଥିଲେ ଏବଂ ପ୍ରଦର୍ଶନକାଳୀନ ଚାପ ସତ୍ୱେ ନିଜକୁ ସ୍ଥିର ଓ ଶାନ୍ତ ରଖିଥିଲେ ତାହା ତାଙ୍କୁ ପ୍ରଭାବିତ କରିଛି । ଦୌଡକୁଦ ହେଉଛି ଠିକଣା ସମୟରେ ସଠିକ ପ୍ରଦର୍ଶନ ଏବଂ ସେମାନଙ୍କ ପାଇଁ ଶୀର୍ଷକୁ ଯିବା ଓ ଜାତୀୟ ସ୍ତରର ପ୍ରତିଯୋଗିତାରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ମଧ୍ୟ ମୋ ପାଇଁ ଆନନ୍ଦଦାୟକ ହୋଇଛି । ମୁଁ ଅନୁଭବ କରୁଛି ଯେ ଆମେମାନେ ସବୁ ସମୟରେ ଆମେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଭିନ୍ନ ପ୍ରତିଯୋଗିତାରେ ସବୁଠାରୁ ଭଲ ଭାବରେ ପ୍ରସ୍ତୁତ କ୍ରୀଡାବିତ ହୋଇଛୁ, ଯେଉଁଥିରେ ଆମ ସହିତ ଜଣେ ଫିଜିଓ, ଜଣେ ପୋଷଣବିଶେଷଜ୍ଞ ଏବଂ ପ୍ରଦର୍ଶନ ମାନସିକତା ରଖୁଥିବା ବିଶାରଦ ଆମ କ୍ରୀଡାବିତଙ୍କୁ ପ୍ରତିଯୋଗିତା ପୂର୍ବରୁ ଏବଂ ପରେ ମାର୍ଗଦର୍ଶନ କରିବାକୁ ରହିଛନ୍ତି ।”
ପଦକ ବିଜେତାଙ୍କ ମଧ୍ୟରେ ହୋସେନ ପ୍ରତିଯୋଗିତାରେ ସବୁଠାରୁ ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ କରିଥିଲେ । ହିଟ୍ସରେ ୪୮.୧୩ ସେକେଣ୍ଡରୁ ଆରମ୍ଭ କରି ସେ ସେମିଫାଇନାଲରେ ୪୭.୫୭ ସେକେଣ୍ଡ୍ ଏବଂ ଫାଇନାଲରେ ୪୭.୨୦ ସେକେଣ୍ଡ୍ ହାସଲ କରି କ୍ରମାଗତ ଭାବରେ ତିନିଟି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ତାଙ୍କ ସାଥୀ କ୍ରୀଡାବିତଙ୍କ ଦ୍ୱାରା ଏମଡି ନାମରେ ସମ୍ବୋଧିତ ଏହି ଖେଳାଳୀ ଏଚପିସିରେ ୧୮ ମାସ ତଳେ ଯୋଗଦେଇଥିଲେ ଏବଂ ସେବେଠାରୁ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନରେ ଏକ ସେକେଣ୍ଡରୁ ଅଧିକ ଉନ୍ନତି ଘଟିଛି । ମଣ୍ଡଳ ମଧ୍ୟ ସମଭାବରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ ଦୌଡରେ ଆଗୁଆ ରହିଥିବାବେଳେ ଫିନିଶ ଲାଇନ ନିକଟରେ ଅଧିକ ଅଭିଜ୍ଞ ଖେଳାଳିମାନେ ତାଙ୍କୁ ଟପିଯାଇଥିଲେ । ଫାଇନାଲରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୪.୦୫ ସେକେଣ୍ଡ ମଧ୍ୟ ଚଳିତ ବର୍ଷ ଏପ୍ରିଲରେ ସେ ଏଚପିସିରେ ଯୋଗଦେବା ସମୟରେ ତାଙ୍କର ବ୍ୟକ୍ତିଗତ ରେକର୍ଡ ୧୪.୫୬ ସେକେଣ୍ଡ ତୁଳନାରେ ଯଥେଷ୍ଟ ଉନ୍ନତିର ସୂଚନା ଦେଉଛି । ସ୍ୱାଧୀନ ମାଝି ୨.୦୮ ମିଟର ଲମ୍ଫ ପ୍ରଦାନ କରି ହାଇଜମ୍ପରେ କାଂସ୍ୟ ପଦକ ହାସଲ କରିବା କେବଳ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ନଥିଲା, ବରଂ ଓଡ଼ିଶା ପାଇଁ ଏହା ଏକ ନୂଆ ରାଜ୍ୟ ରେକର୍ଡ ମଧ୍ୟ ସୃଷ୍ଟି କରିଛି ।
ହିଲିଅର କହିଛନ୍ତି, “ଏମଡି ଆଲାମଗିରଙ୍କୁ ନେଇ ମୁଁ କଠିନ ପରିଶ୍ରମ କରିଛି ଏବଂ ୪୦୦ ମିଟର ଦୂରତାକୁ ସଠିକ ଭାବରେ ଅତିକ୍ରମ କରିବା ଦିଗରେ ଯଥେଷ୍ଟ ପ୍ରୟାସ କରିଛି । ମୁଁ ଜାଣିଥିଲି ସେ ୪୭.୨୦ ସେକେଣ୍ଡରେ ଦୂରତା ଅତିକ୍ରମ କରିବାକୁ ସମର୍ଥ ଏବଂ ସେହି ଲକ୍ଷ୍ୟ ତାଙ୍କ ପାଇଁ ଚଳିତ ବର୍ଷ ମୁଁ ଧାର୍ଯ୍ୟ କରିଥିଲି । ସୌଭାଗ୍ୟକୁ ସେ ତିନିଟି ଦୌଡରେ ବ୍ୟକ୍ତିଗତ ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି । ମୌମିତା ମଧ୍ୟ ଏଚପିସିରେ ଯୋଗଦେବା ପରଠାରୁ ଅଧ ସେକେଣ୍ଡର ଉନ୍ନତି ଆଣିଛନ୍ତି । ମାତ୍ର ୬ ମାସ ତଳେ ସେ ଏଠାରେ ଯୋଗଦେଇଥବଲେ । ସ୍ୱାଧୀନ ଅତି ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ତାହାସହିତ ତାଙ୍କର ପ୍ରଥମ ଜାତୀୟ ପଦକ ହାସଲ କରିଛନ୍ତି ।”
Comments are closed.