ବିପିନ ବିହାରୀ ରାଉତ : କରୋନା ମହାମାରୀର ଭୟାବହ ବିଭୀଷିକା ପରିବାରର ଗୁରୁତ୍ୱ ଓ ପ୍ରାସଙ୍ଗିକତାକୁ ବେଶ ସାବଲୀଳ ଭାବେ ଏହାର ମାର୍ମିକ ଆବଶ୍ୟକତା ସମ୍ପର୍କରେ ବୁଝାଇ ଦେଇଛି । କରୋନା ମହାରାକ୍ଷସ ବିରୁଦ୍ଧରେ ଏକ ବୈକୁଣ୍ଠ ସମାନ ଘର ନିଶ୍ଚୟ ଲଢ଼ାଇ କରି ତାକୁ ପରାସ୍ତ କରିପାରିବ ନିଶ୍ଚୟ । ପରିବାରର ଗୁରୁତ୍ୱକୁ ବୁଝିବା ଏବଂ ପାରିବାରିକ ଜୀବନ ଶୈଳୀକୁ ପ୍ରୋତ୍ସାହନ ଦେବା ଉଦେ୍ଦଶ୍ୟରେ ପ୍ରତିବର୍ଷ ମେ ୧୫ ତାରିଖକୁ ଅନ୍ତର୍ଜାତୀୟ ପରିବାର ଦିବସ ଭାବେ ପାଳନ କରାଯାଇଥାଏ । ୧୯୯୩ ମସିହାରେ ମିଳିତ ଜାତିସଂଘ ଏହି ଦିବସ ପାଳନକୁ ଅନୁମତି ପ୍ରଦାନ କରିଥିଲା । ସାରା ବିଶ୍ୱକୁ ଏକ ପରିବାର ଭାବେ ବିବେଚନା କରିବା ଏବଂ ପାରିବାରିକ ପରିବେଶ ବିକଶିତ କରି ସାମାଜିକ ବିକାଶରେ ସହାୟକ ହେବା ଉଦେ୍ଦଶ୍ୟରେ ଏହି ଦିବସ ପାଳନକୁ ଜାତିସଂଘ ଜୋର ଦେଇ ଆସିଛି ।
“ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର”– ଭକ୍ତକବି ମଧୁସୂଦନ ରାଓଙ୍କର ଏହି ଅମୃତମୟ ପଙ୍କ୍ତିରେ ଘରକୁ ବୈକୁଣ୍ଠପୁର ସହ ତୁଳନୀୟ କରାଯାଇଛି । ସତରେ ଘର ହିଁ ସ୍ୱର୍ଗ – ଏହି ପ୍ରାଚୀନ ଲୋକମୁଖର କଥାଟି ବାସ୍ତବିକ ବିଲକ୍ଷଣ । ବୈଦିକ ଭାଷାରେ ବସୁଧୈବ କୁଟୁମ୍ବକମ୍ – ଅର୍ଥାତ୍ ଆମ୍ଭେ ସମସ୍ତେ ବିଶ୍ୱବାସୀ, ଗୋଟିଏ କୁଟୁମ୍ବ ଅର୍ଥାତ୍ ଗୋଟିଏ ପରିବାର । ଘରର ପ୍ରତିଟି ମୁହୂର୍ତ୍ତ ଅତିବାହିତ ହୋଇଥିାଏ ସ୍ନେହ, ଶ୍ରଦ୍ଧା, ତ୍ୟାଗ, ସେବା ଓ ଅତୁଟ ଭଲପାଇବାର ବନ୍ଧନୀରେ । ସୁଖ-ଦୁଃଖ, ଝଡ଼-ଝଞ୍ଜା, ବିଶ୍ୱାସ-ଅବିଶ୍ୱାସ ଭିତରେ ଆଜି ଭାରତୀୟ ପାରିବାରିକ ବ୍ୟବସ୍ଥା ତଥାପି ଅତୁଟ ରଖିଛି ନିଜର ମୂଲ୍ୟବୋଧ ଓ ଗାରିମାକୁ ନେଇ । ପାଶ୍ଚାତ୍ୟ ସଂସ୍କୃତିର ମାୟାରେ ଯଦିଓ କିଛିକାଂଶରେ ଏକାନ୍ନବର୍ତ୍ତୀ ଅବସ୍ଥାକୁ ଆସିଛି ବୋଲି ସମାଜ ବିଜ୍ଞାନୀ ଅଭିଯୋଗ କରନ୍ତି ତଥାପି ପରିବାର ବଜାୟ ରଖିଛି ନିଜର ବିଶ୍ୱାସବୋଧତା, ଅନ୍ୟକୁ ସ୍ନେହ, ପ୍ରେମ ବାଣ୍ଟିବାର ଅମାପ ରଜ୍ଜୁରେ । ଏହା ହିଁ ହେଉଛି ଆର୍ଯ୍ୟସ୍ଥାନ ଭାରତବର୍ଷର ବିଶେଷତ୍ୱ । ଯଥାର୍ଥରେ କୁହାଯାଏ ଘର ହିଁ ସ୍ୱର୍ଗ । ଘର ହିଁ ଦେବତାଙ୍କ ନିବାସ, ଦେବାଳୟ । ଯେଉଁଠି ପିତାମାତା ଓ ଗୁରୁଜନଙ୍କ ପରି ଦେବତାମାନେ ବିରାଜିତ । ଆମ ହାତ ପାହାନ୍ତାରେ ଏହି ଜୀବନ୍ତ ଦେବତାମାନେ ଆମ୍ଭମାନଙ୍କୁ ଭଲ ରାସ୍ତା ଦେଖାଇବା ପାଇଁ ସବୁବେଳେ ଆଶୀର୍ବାଦ ପରାମର୍ଶ ଦେଇଥାନ୍ତି । ଘରର ଗୃହକର୍ତ୍ତା ଭାବେ ଯିଏ ଦାୟିତ୍ୱ ସମ୍ପାଦନ କରିଥାନ୍ତି ତାଙ୍କ ଉପରେ ସବୁବେଳେ ଗୁରୁଦାୟିତ୍ୱ ରହିଥାଏ । ଗୃହକର୍ତ୍ତାଙ୍କ ପରାମର୍ଶ, ମତାମତ ଓ ମାର୍ଗଦର୍ଶନରେ ଘରଟି ଚାଲିଲେ କୌଣସି ବିପଦ ଆପଦକୁ ଏହା ସମ୍ମୁଖୀନ ହେବାର ଅବକାଶ ମିଳିନଥାଏ ।
ଆଜିର ବସ୍ତୁ ସର୍ବସ୍ୱ ସମୟରେ ପରିବାରର ଚିତ୍ର ବଦଳିଯାଉଛି । ବ୍ୟସ୍ତବହୁଳ କର୍ମଦାୟିତ୍ୱର ବୋଝ ଭିତରେ ସମସ୍ତେ ପେଶି ହୋଇଯାଉଛନ୍ତି । ପରିବାର ସହ କିଛି ମୁହୂର୍ତ୍ତ ବାଣ୍ଟିବା ପାଇଁ କାହା ପାଖରେ ବି ଆଉ ସମୟ ନାହିଁ । ପିଲାଟିଏ ହେଉ ବା ଗୁରୁଜନ ସମସ୍ତଙ୍କ ସହ ସମୟ ବାଣ୍ଟିବାର ଯେଉଁ ଅନାବିଳ ମମତା ତାହା କ’ଣ କେଉଁଠି କେଉଁ ମୂଲ୍ୟରେ ବି ମିଳିପାରିବ ? ସହର ଠାରୁ ଗାଁ ସବୁଠି ଆଜି ପରିବାର ଖାଁ ଖାଁ, ଯେଉଁ ପରିବାରର ଅଗଣାରେ ଦିନେ ଫାଟି ପଡ଼ୁଥିଲା ଖୁସିର ଜୁଆର, ଆନନ୍ଦର ଢ଼େଉ, ସେଠି ଆଜି ନିସ୍ତବ୍ଧ ନିର୍ଜନତା । ପିଲାମାନେ ବଡ଼ ହେଉଛନ୍ତି, ସେମାନଙ୍କ ପାଠଶାଠ ଆଉ ଚାକିରି ସବୁକିଛି ବାହାରେ, ହେଲେ ସମସ୍ତେ ଭୁଲି ଯାଉଛନ୍ତି ପରିବାରକୁ । ସହରରେ ବି ପରିବାର ଅଛି କିନ୍ତୁ ସେ ପରିବାର ଭିତରେ କେତେ ରହିଛି ଆନନ୍ଦ, କେତେ ରହିଛି ଖୁସି ଆଉ ସୁଖର ଖୋଲା ମୁହୂର୍ତ୍ତ ସବୁ ? ସୂଚନା ପ୍ରଯୁକ୍ତିର କ୍ରାନ୍ତୀ ସମସ୍ତଙ୍କୁ ଯୋଡ଼ି ଦେଇଛି କମ୍ପୁ୍ୟଟର, ଲାପ୍ଟପ୍ ଆଉ ମୋବାଇଲର ମାୟା ଭିତରେ । କିନ୍ତୁ ଏହା ଭିତରେ ଲୁଚି ରହିଛି ପରିବାରକୁ ଖୋଜୁଥିବା ଲୋଡ଼ୁଥିବା କିଛି ମଣିଷ । ବର୍ତ୍ତମାନର ସମାଜ ଓ ପରିବର୍ତ୍ତିତ ସମୟର ସୁଅକୁ ଦେଖିଲେ ଲାଗୁଛି ପରିବାର ସବୁ ଭାଙ୍ଗିଯାଉଛି । ଦିନ ଥିଲା ସର୍ବବୃହତ୍ ଯୌଥ ପରିବାରକୁ ନେଇ ଲୋକମାନେ ଗର୍ବ ଅନୁଭବ କରୁଥିଲେ । ବର୍ତ୍ତମାନ ବି ଅନେକ ସ୍ଥାନରେ ଯୌଥ ପରିବାର ରହିଛନ୍ତି ଯେଉଁଠି ପଚାଶ ଷାଠିଏରୁ ଅଧିକ ସଦସ୍ୟ ଗୋଟିଏ ଛାତ ତଳେ, ଗୋଟିଏ ହାଣ୍ଡିରେ ବି ଖାଉଛନ୍ତି ।
କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ “ମାଟିର ମଣିଷ’, ବରଜୁ ପ୍ରଧାନଙ୍କ କଥା ଅନୁଯାୟୀ ବିଲରେ ହିଡ଼ ପଡ଼ିନାହିଁ କି ଘରେ ପାଚେରୀ ଉଠି ନାହିଁ । ଆଉ ଏହା ହିଁ ହେଉଛି ଯୌଥ ପରିବାରର ସବୁଠାରୁ ବଡ଼ ଶ୍ରଦ୍ଧାଶୀଳ ଲକ୍ଷଣ । ତଥାପି କିଛି ଏକାନ୍ନବର୍ତ୍ତୀ ଛୋଟ ଛୋଟ ପରିବାର ରହିଛି । ସମାଜ ବିଜ୍ଞାନର ଭାଷା ପରିବାରର ସଂଜ୍ଞା ଓ ଧାରାକୁ ବଦଳାଇ ଦେଇଛି । ଘର ହିଁ ସ୍ୱର୍ଗ । ଆଉ ଘର ହେଉଛି ସବୁଠାରୁ ଜଣଙ୍କ ପାଇଁ ସୁନ୍ଦର ଓ ସୁରକ୍ଷିତ ଆଶ୍ରୟସ୍ଥଳ । ଘର ପରି ବୈକୁଣ୍ଠ ଏ ସୃଷ୍ଟିରେ ଆଉ କିଛି ହିଁ ନାହିଁ । ତଥାପି ଭୁଲବୁଝାମଣାର ବିଭେଦତା ପରିବାର ଭିତରେ ବେଳେବେଳେ ଦୁଃଖ, ଝଡ଼ ଆଉ ଝଞ୍ଜାର କାଳ ବୈଶାଖୀକୁ ସାମ୍ନା କରିଥାଏ । ତଥାପି କିନ୍ତୁ ବୈକୁଣ୍ଠ ସମାନ ଘର କେବେ ବି ଭାଙ୍ଗି ନଥାଏ । ଭାଇଚାରା, ଭଲ ପାଇବାର ବନ୍ଧନୀ, ଗୁରୁଜନଙ୍କ ପ୍ରତି ସମ୍ମାନ ଓ ଭକ୍ତି, ଲଘୁଜନଙ୍କ ପ୍ରତି ପ୍ରେମ ଓ କର୍ତ୍ତବ୍ୟର ଦାୟିତ୍ୱ ବୋଧତା ଗୋଟିଏ ରଜ୍ଜୁରେ ସମସ୍ତଙ୍କୁ ବାନ୍ଧିଥାଏ । ପରିବାରର ବାହାରକୁ ଦେଖା ଦେଉଥିବା ଝଡ଼ ଦୁଃଖଦ ମୁହୂର୍ତ୍ତରେ ପରିବାରର ସମସ୍ତେ ଗୋଟାଏ ବିଡ଼ାର କାଠ ପରି ବାନ୍ଧି ହୋଇ ଶକ୍ତିଶାଳୀ ହୋଇଯାଇଥାନ୍ତି । ଆଜି ବିଶ୍ୱ ପରିବାର ଦିବସ ଅବସରରେ ବୈକୁଣ୍ଠ ସମାନ ଘରର ମୂଲ୍ୟବୋଧତାକୁ ଅନୁଭବ କରି ପରିବାରର ସମ୍ମାନ, ସଂସ୍କାର ଓ ପରମ୍ପରାକୁ ଉଜ୍ଜୀବିତ କରି ଯଥାର୍ଥ ମାନବୀୟ ଜୀବନକୁ ପ୍ରତିପାଦନ କଲେ ଏହା ହିଁ ହେବ ପରିବାର ପ୍ରତି ଶ୍ରେଷ୍ଠ ଦାୟିତ୍ୱବୋଧତା ।
Comments are closed.