ମେ ୫ ତାରିଖ କାଳରାତ୍ରୀରେ ପ୍ରାଣ ହରାଇଥିବା ପ୍ରତ୍ୟେକ ରୋଗୀଙ୍କ ତଥ୍ୟ ଡାକ୍ତରଖାନାର ସିସିଟିଭି କ୍ୟାମେରାରେ କଏଦ୍ ଚିତ୍ରର ସବିଶେଷ ବିବରଣୀକୁ ସର୍ବସାଧାରଣ କରାଯାଉ
କୋଭିଡ୍ ସଂକ୍ରମଣର ପ୍ରଥମ ଲହର ବେଳେ ଖରିଦ୍ ହୋଇଥିବା ଅକ୍ସିଜେନେରେଟର କାହିଁକି ଏକ ବର୍ଷ ଧରି କାର୍ଯ୍ୟକ୍ଷମ ନକରି ପକାଇ ରଖାଯାଇଥିଲା ?
ଡାକ୍ତରଖାନାର ମୁଖ୍ୟ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏତଲା ଦାୟର
ଭୂବନେଶ୍ୱର / କେନ୍ଦୁଝର , ତା.୧୩/୦୫ : କୋଭିଡ୍ ଡାକ୍ତରଖାନା ନିକଟ ରାସ୍ତା ଧାରରେ ଚିକିତ୍ସାଧୀନ ରୋଗୀଙ୍କ ମୃତ ଶରୀର ଉଦ୍ଧାର ଭଳି ଅମାନୁଷିକ ଘଟଣା କେନ୍ଦୁଝର ଜିଲ୍ଲାର କୋଭିଡ୍ କୁପରିଚାଳନାକୁ ପଦାରେ ପକେଇ ଦେଇଛି । ଜ୍ଞାତିକୁଟୁମ୍ବଙ୍କ ଅଗୋଚରରେ ରୋଗୀଙ୍କ ଶବ ସଂସ୍କାର ଭଳି ଅନେକ ଅଭିଯୋଗ ଶୁଣିବାକୁ ମିଳିଛି । ଡାକ୍ତରଖାନାରେ ଭର୍ତି ହେଲା ପରେ ରୋଗୀଙ୍କ ସ୍ଥିତାବସ୍ଥା ବିଷୟରେ କୈାଣସି ସୁଚନା ପରିବାରବର୍ଗଙ୍କୁ ପ୍ରଦାନ କରାଯାଉନାହିଁ । ଡିଏମଏଫ ପାଣ୍ଠିରେ ନିର୍ମିତ ଜିଲ୍ଲାର ଅନ୍ୟାନ୍ୟ କୋଭିଡ୍ କେୟାର ସେଂଟର ଗୁଡିକର ଅବ୍ୟବସ୍ଥା ସମଗ୍ର ଜିଲ୍ଲାରେ ଆତଙ୍କର ବାତାବରଣ ସୃଷ୍ଟି କରିଛି । ଗତ ମେ ୫ ତାରିଖ କାଳରାତ୍ରୀରେ ପ୍ରାଣ ହରାଇଥିବା ପ୍ରତ୍ୟେକ ରୋଗୀଙ୍କ ତଥ୍ୟ ଡାକ୍ତରଖାନାର ସିସିଟିଭି କ୍ୟାମେରାରେ କଏଦ୍ ଚିତ୍ରର ସବିଶେଷ ବିବରଣୀ ସର୍ବସାଧାରଣ କରିବା ପାଇଁ ଭାରତୀୟ ଜନତା ପାର୍ଟୀ ଜିଲ୍ଲା ପ୍ରଶାସନକୁ ଆହ୍ୱାନ ଦେଇଛି ।
ଚଳିତ ମେ ମାସ ୫ ତାରିଖରେ କେନ୍ଦୁଝର ଜିଲ୍ଲା ରାଙ୍କିସ୍ଥିତ ଉତ୍ସର୍ଗୀକୃତ କୋଭିଡ୍ ଡାକ୍ତରଖାନାରେ ସଂଖ୍ୟାଧିକ ରୋଗୀଙ୍କର ଅକ୍ସିଜେନ ଅଭାବ କାରନରୁ ମୃତୁ୍ୟ ଘଟିଥିବା ଅଭିଯୋଗ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ରୀୟ କଲ୍ୟାଣ ଯୋଜନା ଦ୍ୱାରା ଗଠିତ ଡିଏମଏଫ ପାଣ୍ଠିରେ ଏହି ଡାକ୍ତରଖାନା ନିର୍ମାଣ ହୋଇଛି । ଏହି ଅଭାବନୀୟ ଘଟଣା ପରେ ଏଠାରେ ଏକ ଅକ୍ସିଜେନେରେଟର କାର୍ଯ୍ୟକ୍ଷମ କରାଯାଇଛି ବୋଲି ପ୍ରଶାସନ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି । କିନ୍ତୁ କୋଭିଡ୍ ସଂକ୍ରମଣର ପ୍ରଥମ ଲହର ସମୟରେ ଖରିଦ୍ ହୋଇଥିବା ଏହି ଅକ୍ସିଜେନେରେଟର କାହିଂକି ଏକ ବର୍ଷ ଧରି କାର୍ଯ୍ୟକ୍ଷମ ନକରି ପକେଇ ରଖାଯାଇଥିଲା, ସେ ସମ୍ବନ୍ଧରେ କୈାଣସି ସନ୍ତୋଷଜନକ ଉତର ପ୍ରଦାନ କରାଯାଉନାହିଁ । କେବଳ ଅକ୍ସିଜେନେରେଟର ନୁହେଁ, ଆଇଏଲ-୬ ପରୀକ୍ଷଣ ଏବଂ ଅନ୍ୟାନ୍ୟ ବହୁ ମୂଲ୍ୟବାନ ଚିକିତ୍ସା ଯନ୍ତ୍ରପାତି ବର୍ଷକ ତଳୁ କିଣାଯାଇଥିଲେ ସୁଦ୍ଧା ସେଗୁଡିକର ସଠିକ ବିନିଯୋଗ ହେଉନାହିଁ । ଏପରିକି କିଣା ଯାଇଥିବା ଅନେକ ଯନ୍ତ୍ରପାତି ଏହି ଡାକ୍ତରଖାନାକୁ ଆଦୈା ଆସି ନାହିଁ ଏବଂ ଅନେକ ଯନ୍ତ୍ରପାତି ଅନ୍ୟ ସ୍ଥାନକୁ ପଠାଇ ଦିଆଯାଇଛି ।
ଏ ସମସ୍ତ ଘଟଣାର ସବିଶେଷ ତଥ୍ୟ ଅନୁଧ୍ୟାନ କଲା ପରେ ଭାରତୀୟ ଜନତା ପାର୍ଟୀ ମେ ୫ କାଳରାତ୍ରୀର ବିଭିଷିକା ଉପରୁ ରହସ୍ୟର ପରଦା ହଟାଇବା ତଥା କୋଭିଡ୍ କୁପରିଚାଳନାର ଅନ୍ୟାନ୍ୟ ଦିଗ ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛି ।
ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ରୀୟ କଲ୍ୟାଣ ଯୋଜନା ଦ୍ୱାରା ଗଠିତ ଡିଏମଏଫ ପାଣ୍ଠିରେ ଏହି ଡାକ୍ତରଖାନାର ମୁଖ୍ୟ ହେଲେ ଜିଲ୍ଲାପାଳ । ତେଣୁ ଘଟଣାରେ ପରୋକ୍ଷ ଭାବେ ଜିଲ୍ଲାପାଳ ସଂପୃକ୍ତ ଓ ଦାୟୀ ହୋଇଥିବା କାରଣରୁ ବିଜେପି ତରଫରୁ ତାଙ୍କ ବିରୁଦ୍ଧରେ ସ୍ଥାନୀୟ ଥାନାରେ ଏକ ଏତଲା ଦାୟର କରାଯାଇଛି । ଉପ-ଜିଲ୍ଲାପାଳ ଓ ଉପଖଣ୍ଡ ପୋଲିସ ଅଧିକାରିଙ୍କ ଦ୍ୱାରା ସମଗ୍ର କୋଭିଡ୍ କୁପରିଚାଳନାର ତୃଟି ଓ ଅସଲ ଅପରାଧୀକୁ ଚିହ୍ନଟ କରିବାରେ ଏକ ଅଯଥେଷ୍ଟ ପ୍ରକ୍ରିୟା ବୋଲି ଅଭିଯୋଗ କରି ଏହାକୁ ବିଜେପି ପ୍ରତ୍ୟାଖା୍ୟାନ କରିଛି ଏବଂ ବିଚାର ବିଭାଗୀୟ ତଦନ୍ତ ଦାବୀ କରିଛି ।
କେନ୍ଦମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶକ୍ରମେ ଜିଲ୍ଲାର ପଂଚାୟତରୁ ଆରମ୍ଭ କରି ମୁ୍ୟନିସିପାଲିଟି ପର୍ଯ୍ୟନ୍ତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ରାଜନୈତିକ ଦଳର ସ୍ଥାନୀୟ ନେତୃତ୍ୱ, ନାଗରିକ ସମାଜ ଓ ଅଂଚଳର ଅନ୍ୟାନ୍ୟ ମୁରବୀଙ୍କୁ ନେଇ ସ୍ୱଚ୍ଛ ଓ ଦକ୍ଷ କୋଭିଡ୍ ପରିଚାଳନା ପାଇଁ କମିଟିମାନ ଗଠନ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ବିଜେପି ଦାବୀ କରିଛି ।
ତୃଟିପୂର୍ଣ୍ଣ ପରିଚାଳନା କାରଣରୁ କେନ୍ଦୁଝର ଜିଲ୍ଲା କୋଭିଡ୍ ଡାକ୍ତରଖାନାରେ ରୋଗୀମାନଙ୍କ ଅଭାବନୀୟ ଓ ଶୋଚନୀୟ ଅବସ୍ଥା ପଦାକୁ ଆସିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିଦେ୍ର୍ଦଶକ୍ରମେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ କେନ୍ଦୁଝର ଜିଲ୍ଲା ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛି । ଏହି ପ୍ରତିନିଧର ଦଳରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ବରିଷ୍ଠ ନେତା ମୁରଲୀ ଶର୍ମା, ରାଧାକାନ୍ତ ମହନ୍ତ, ଜିଲ୍ଲା ସଭାପତି ସବୁଜ ଅଂଶୁମାନ ମହାନ୍ତି ପ୍ରମୁଖ ସାମିଲ ଥିଲେ ।
Comments are closed.