Odisha news

ଲକଡାଉନରୁ ଲାଭ

ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ବିଶାରଦମାନେ ଯେଉଁ ଚେତାବନୀ ଦେଇଛନ୍ତି, ତାହା ସତ୍ୟରେ ପରିଣତ ହେବ କି ନାହିଁ, ଏବେ ଠୁ କହିହେବ ନାହିଁ । ମାତ୍ର ଆଶ୍ୱସ୍ତିର କାରଣ ଏହି କେ ଯେ, ଦେଶରେ ସଂକ୍ରମଣ ଏବେ ଗତ ଦୁଇଦିନ ଧରି ହ୍ରାସ ପାଇବାରେ ଲାଗିଛି । କହିବା ବାହୁଲ୍ୟ ଯେ, ମେ’ ମାସ ମଧ୍ୟ ଭାଗ ବେଳକୁ ଦୈନିକ ସଂକ୍ରମଣ ୫ଲକ୍ଷ ୬୦ ହଜାରକୁ ଛୁଇଁବ । ସେହିପରି ଦୈନିତକ ମୃତୁ୍ୟ ସଂଖ୍ୟା ମଧ୍ୟ ୫ ହଜାର ଉପରେ ରହିବ । ଉଲ୍ଲେଖଯୋଗ୍ୟ ଯେ, ଗତ ୫ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୪ଲକ୍ଷ ଉପରେ ରହିବା ପରେ ଯାହାକି ବିଶ୍ୱରେ ସର୍ବାଧିକ ଥିଲା, ଏବେ ହ୍ରାସ ପାଇବାରେ ଲାଗିଛି ।

ସେହିପରି ଦୈନିକ ମୃତୁ୍ୟ ସଂଖ୍ୟା ୪ ହଜାର ଟପିବା ପରେ ଏବେ କମିଛି । ତେବେ ଏହା ସମ୍ଭବ ହୋଇଛି କେବଳ ଲକଡାଉନ ଯୋଗୁଁ ବୋଲି ନିସନେ୍ଦହରେ କୁହାଯାଇପାରିବ । ଜାତୀୟ ସ୍ତରରେ କେନ୍ଦ୍ର ସରକାର ଲକଡାଉନ ଘୋଷଣା କରି ନଥିବା ସତ୍ୱେ ଦେଶର ୯୦ଭାଗ ରାଜ୍ୟସ୍ତରରେ ୧୫ ଦିନ ଲକଡାଉନ ଘୋଷଣା କରିଛନ୍ତି, ଯାହାକି ସାଂପ୍ରତିକ ସମୟରେ ଅପରିହାର୍ଯ୍ୟ । ଗତ ମାର୍ଚ୍ଚ ମାସ ମଧ୍ୟ ଭାଗରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଲହର ସଂକ୍ରମଣ ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଲକଡାଉନ ହିଁ ସଂକ୍ରମଣର ଚେନ ଭାଙ୍ଗିବାରେ ସମର୍ଥ ହୋଇଛି । ଏହା ନିଶ୍ଚିତ ଯେ, ଲକଡାଉନ ଯନ୍ତ୍ରଣାଦାୟ ହେଲେ ବି ମହାମାରୀର ମୁକାବିଲା ପାଇଁ ସାଂପ୍ରତିକ ସମୟରେ ଏକ ଲୋକପ୍ରିୟ ପଦକ୍ଷେପରେ ପରିଣତ ହୋଇଛି ।

କେନ୍ଦ୍ର ସରକାର ଲକଡାଉନ ଲାଗୁ କରିବା ପାଇଁ ଅନାଗ୍ରହ ପ୍ରକାଶ କରିବା ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ବୁଦ୍ଧିଜୀବୀ, ଶିକ୍ଷାବିତ୍, ଶିଳ୍ପପତିମାନେ ନିଜ ଆଡୁ ଲକଡାଉନ ଲାଗୁ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇଥିଲେ । ଦିଲ୍ଲୀ ସରକାର ମାତ୍ର ୭ଦିନ ପାଇଁ ଲକଡାଉନ ଘୋଷଣା କରିବା ପରେ ଏବେ ଚାରି ଥର ବଢାଇ ସାରିଲେଣି । ମହାରାଷ୍ଟ୍ରରେ କଠୋର ଲକଡାଉନ ଯୋଗୁଁ ଦୈନିକ ସଂକ୍ରମଣ ୬୦ ହଜାର ତଳକୁ ଆସିଳାଣି । ଓଡ଼ିଶାରେ ବ୍ୟବସାୟୀମାନେ ଗହଳି ଏଡାଇବା ପାଇଁ ନିଜ ଆଡୁ ଆଂଶିକ କଟକଣା ମଧ୍ୟ ଲାଗୁ କରିଥିଲେ । ରାଜ୍ୟ ସରକାର ମଧ୍ୟ ରାଜ୍ୟବ୍ୟାପୀ ୧୪ ଦିନିଆ ଲକଡାଉନ ଘୋଷଣା କରିଥିବାବେଳେ ସପ୍ତାହନ୍ତ ଦୁଇଦିନିଆ ସଟଡାଉନ ଲାଗୁ କରିଛନ୍ତି । ତେବେ ଏହା ସତ୍ୟ ଯେ ଏଥରର ଲକଡାଉନ ଗତବର୍ଷର ଲକଡାଉନ ପରି ନୁହେଁ । ଗତବର୍ଷର ଲକଡାଉନ ଅଚାନକ ଏବଂ ଦେଶ ତଥା ଜନସାଧାରଣ ଏଥିପାଇଁ ପ୍ରସ୍ତୁତ ନଥିଲେ, ଯାହାକି ଅତ୍ୟନ୍ତ ଯନ୍ତ୍ରଣା ଥିଲା । କେବଳ ଯନ୍ତ୍ରଣା ଦାୟକ ନଥିଲା, ସଂକ୍ରମଣର ଚେନ ଭାଙ୍ଗିବାରେ ବିଫଳ ହୋଇଥିଲା ।

ଯାହା ଫଳରେ ମାର୍ଚ୍ଚ ୨୪ ତାରିଖରୁ ଦେଶରେ ଦୀର୍ଘ ୬୮ ଦିନିଆ କଠୋର ଲକଡାଉନ ଲାଗୁ ହୋଇଥିବା ସତ୍ୱେ ସେପ୍ଟେମ୍ବର ମଧ୍ୟ ଭାଗରେ ଦୈନିକ ସଂକ୍ରମଣ ୯୮ ହଜାରରେ ପହଁଚିଥିଲା । ଚଳିତ ମାର୍ଚ୍ଚ ମଧ୍ୟଭାଗରୁ ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୧୦ ହଜାରରୁ ମେ’ ପ୍ରଥମ ସପ୍ତାହରେ ୪ଲକ୍ଷ ଅତିକ୍ରମ କରିଛି । ମାତ୍ର ଲକଡାଉନ ଯୋଗୁଁ ସଂକ୍ରମଣର ହାର କମିଛି । ଏହା ନିଶ୍ଚିତ ଯେ, ଲକଡାଉନରୁ ଜନସାଧାରଣଙ୍କ ଶିକ୍ଷା, ଅନୁଭବ ସଂକ୍ରମଣକୁ ରୋକିବାରେ ସହାୟକ ହୋଇଛି ବୋଲି ସ୍ୱୀକାର କରିବାକୁ ହେବ । ଉଲ୍ଳେଖଯୋଗ୍ୟ ଯେ, ଦେଶରେ ମାର୍ଚ୍ଚ ମଧ୍ୟ ଭାଗରୁ ଦ୍ୱିତୀୟ ଲହର ମୁଣ୍ଡ ଟେକିଥିବା ବେଳେ ୫ ବିଧାନସଭା ନିର୍ବାଚନରେ ରାଜନୈତିକ ଦଳଗୁଡିକର ବ୍ୟାପକ ସଭା, ଶୋଭାଯାତ୍ରା ଏବଂ ହରିଦ୍ୱାରରେ ମହାକୁମ୍ଭ ମେଳା ସଂକ୍ରମଣକୁ ମାତ୍ର ୯ ହଜାରରୁ ୪ଲକ୍ଷରେ ପହଁଚାଇଛି ।

ଏବେ ସଂକ୍ରମଣ କମିଛି ସତ, ମାତ୍ର ଏହାକୁ ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ କରିବା ପାଇଁ ୧୫ ଦିନିଆ ଲକଡାଉନ ଯଥେଷ୍ଟ ହୋଇନପାରେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ଲକଡାଉନର ଅବଧି ବୃଦ୍ଧି କରିବାର ଆବଶ୍ୟକତାକୁ ଏଡାଇ ଦିଆଯାଇନପାରେ । ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ହିତାଧିକାରୀଙ୍କୁ ଦୁଇ ମାସ ପାଇଁ ମାଗଣା ଚାଉଳ କିମ୍ବା ଗହମ ଦେବା ପାଇଁ ଘୋଷଣା କରିଛନ୍ତି । ମାତ୍ର ଏହା ଯଥେଷ୍ଟ ନୁହେଁ । ବିଭିନ୍ନ ରାଜ୍ୟରେ ଲକଡାଉନ ଯୋଗୁ ଦିନ ମଜୁରିଆ କାମଧନ୍ଦା ନପାଇଁ ଅଭାବ ଅନଟନରେ ଥିବା ସମ୍ବାଦପତ୍ରରେ ରିପୋର୍ଟ ପ୍ରକାଶ ପାଇଛି ।

ତାମିଲନାଡୁ ସରକାର ଗରୀବଙ୍କୁ ୪ ହଜାର ଟଙ୍କାର ଆର୍ଥୀକ ସହାୟତା ଘୋଷଣା କରିଥିବାବେଳେ ଅନ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ଅନୁରୂପ ପଦକ୍ଷେପ ଗ୍ରହଣ କରିବା ବର୍ତମାନ ସମୟର ବଡ ଆବଶ୍ୟକତା । ସେହିପରି ମହାମାରୀର ମୁକାବିଲା ପାଇଁ ଟିକାକରଣ ଓ ଜନସାଧାରଣଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇବା ଜରୁରୀ । ଦେଶରେ ଟିକାକରଣରେ ଅବ୍ୟବସ୍ଥା ଓ ଅମ୍ଲଜାନ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସରକାର ପଦକ୍ଷେପ ନେବା ଜରୁରୀ । ଜୀବନ ରକ୍ଷାକାରୀ ଅମ୍ଲଜାନ ଅଭାବରୁ ଦେଶର ବିଭିନ୍ନ ହସପିଟାଲରେ ଚିକିସôାଧୀନ ରୋଗୀଙ୍କ ମୃତୁ୍ୟ ନିଶ୍ଚିତ ଭାବେ ହୃଦୟ ବିଦାରକ । ଅମ୍ଲଜାନ ଯୋଗାଣାକୁ ସୁବ୍ୟବସ୍ଥିତ କରିବା ପାଇଁ ସର୍ବୋଚ୍ଚ ଅଦାଲତ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରିବା ଅଭିନନ୍ଦନୀୟ । ତେବେ ଟାକ୍ସଫୋର୍ସର ସୁପାରିଶକୁ ସରକାର ତୁରନ୍ତ କାର୍ଯ୍ୟକାରୀ କରିବା ଉଚିତ । ସେହିପରି ନମୂନା ପରୀକ୍ଷାକୁ ମଧ୍ୟ ବୃଦ୍ଧି କରାଯିବା ଆବଶ୍ୟକ । ଯାହାଫଳରେ ମହାମାରୀର ତୃତୀୟ ଲହରକୁ ରୋକାଯାଇପାରିବା ସହ ଲକଡାଉନରୁ ସୁଫଳ ମିଳିବ ।

Comments are closed.