Odisha news

ଆଇଏଏସ୍‌ ସ୍ତରରେ ଅଦଳବଦଳ : ସଂଜୟ ସିଂହ ବିଏମ୍‌ସି କମିସନର ନିଯୁକ୍ତ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ଭୁବନେଶ୍ବର ମହାନଗର ନିଗମ କମିସନର ପ୍ରେମଚନ୍ଦ ଚୌଧୁରୀଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା କିଛି ଅଭିଯୋଗର ସତ୍ୟତା ଉପଲବ୍ଧି କରି ତାଙ୍କୁ ତୁରନ୍ତ ବଦଳାଇ ଦିଆଯାଇଥିବା ସୂଚନା ମିଳିଛି। ତେବେ ନିର୍ଦିଷ୍ଟ କାରଣ ସଂପର୍କରେ ସରକାର କୌଣସି ସୂଚନା ଦେଇନାହାନ୍ତି। କେବଳ ସେତିକି ନୁହେଁ, ତାଙ୍କୁ କୌଣସି ଗୁରୁତ୍ବପୂର୍ଣ୍ଣ ପଦପଦବି ଦିଆଯିବା ବଦଳରେ ସାଧାରଣ ପ୍ରଶାସନ ବିଭାଗରେ ଓଏସ୍‌ଡି ଭାବେ ବସାଇ ଦିଆଯାଇଛି। ଏଥିସହିତ ଆଇଏଏସ୍ ସ୍ତରରେ ଏକ ଛୋଟ ଅଦଳବଦଳ କରାଯାଇଛି।

ଭୁବନେଶ୍ବରରେ କୋଭିଡ୍ ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ସଂଜୟ କୁମାର ସିଂହଙ୍କୁ ବିଏମ୍‌ସି କମିସନର ଭାବେ ନିଯୁକ୍ତି ଦେଇଛନ୍ତି। ଏହାସହିତ ସେ ବିଡିଏ ଉପାଧ୍ୟକ୍ଷ ଓ ସ୍ମାର୍ଟ ସିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ। ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିଭଳି ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର ଅତିରିକ୍ତ ଭାବେ ଇଡ଼୍‌କୋ ସିଏମ୍‌ଡି ଦାୟିତ୍ବ ତୁଲାଇବେ। ‌ସେ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ କାର୍ଯ୍ୟ ଅତିରିକ୍ତ ଭାବେ ତୁଲାଉଥିଲେ। ସରକାର ତାଙ୍କୁ ଆଜି ପୁଣି ଇଡକୋ ଦାୟିତ୍ବ ଦେଇଛନ୍ତି।

Comments are closed.