ଓଡିଶାର ୧୪ ଲକ୍ଷ କେନ୍ଦୁପତ୍ର ଶ୍ରମିକଙ୍କୁ ନ୍ୟାୟ ଦିଅନ୍ତୁ ମୁଖ୍ୟମନ୍ତ୍ରୀ
ଭୂବନେଶ୍ୱର, ତା.୦୪/୦୫: ଏବେ ସାରା ଦେଶରେ କରୋନାର ଦ୍ୱୀତିୟ ଲହର ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବାବେଳେ ଓଡ଼ିଶାରେ କାର୍ଯ୍ୟରତ ୧୪ ଲକ୍ଷ କେନ୍ଦୁପତ୍ର ଶ୍ରମିକକୁ ରାଜ୍ୟ ସରକାରଙ୍କ ସହାନୁଭୂତି ପରିବର୍ତ୍ତେ ଶ୍ରମିକ ଛଟେଇ ଓ ଅନ୍ୟାନ୍ୟ ନିଷ୍ପତ୍ତି କେନ୍ଦୁପତ୍ର ଶ୍ରମିକ, ତୋଳାଳୀ, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀଙ୍କୁ କରୋନା ମାଡଠାରୁ ବେଶୀ କଷ୍ଟ ଦାୟକ ହୋଇଛି ବୋଲି କେନ୍ଦୁପତ୍ର ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।
କେନ୍ଦୁପତ୍ର ସଂସ୍ଥାରେ ପତ୍ର ତୋଳାଳୀଠୁ ହେଡଚେକର ପର୍ୟ୍ୟନ୍ତ ପ୍ରାୟ ୧୪ ଲକ୍ଷ ଶ୍ରମିକ କେନ୍ଦୁପତ୍ର ସଂସ୍ଥାରେ ପ୍ରତିବର୍ଷ ନିୟୋଜିତ ହୋଇ ବର୍ଷକୁ ରାଜ୍ୟ ରାଜକୋଷକୁ ୧ ଶହ କୋଟିରୁ ଉର୍ଦ୍ଧ ଟଙ୍କା ଲାଭ ଦେଇଥାନ୍ତି । ଗତ ୨୦୧୩ ମସିହା ଜାନୁୟାରୀ ୧୩ ତାରିଖ ଦିନ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଦ୍ୱାରା ରେଢାଖୋଲଠାରେ ଆୟୋଜିତ ଏକ ବିଶାଳ କେନ୍ଦୁପତ୍ର ଶ୍ରମିକଙ୍କ ସମାବେଶରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦାନ କରି କେନ୍ଦୁପତ୍ର ସଂସ୍ଥାରେ କାର୍ୟ୍ୟରତ ସିଜିନାଲ କର୍ମଚାରୀମାନଙ୍କ ପାଇଁ ଖୁବଶୀଘ୍ର ରାଜ୍ୟ ସରକାର ଏକ ଚାକିରୀ ସର୍ତ୍ତାବଳୀ ଲାଗୁ କରିବେ ବୋଲି ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କ ସହ ସଂଘର ନେତାମାନଙ୍କ ଆଲୋଚନା ବେଳେ “ଚାକିରୀ ସର୍ତ୍ତାବଳୀ’ ପ୍ରସଙ୍ଗ ଉଠିଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ରାଜ୍ୟ ସରକାର କେନ୍ଦୁପତ୍ରରେ କାର୍ୟ୍ୟରତ ସିଜିନାଲ କର୍ମଚାରୀ ମାନଙ୍କ ପାଇଁ ” ଚାକିରୀ ସର୍ତ୍ତାବଳୀ ” ଲାଗୁ କଲେ ନାହିଁ । ଯାହା ଫଳରେ ଉଚ୍ଚ ଅଧିକାରୀମାନେ ମନ ଇଛା ନିର୍ଦ୍ଦେଶନାମା ଡିଏଫଓ ମାନଙ୍କୁ ଜାରିକରି ତାକୁ କାର୍ୟ୍ୟକାରୀ କରିବାକୁ ପାଇଁ ବାଧ୍ୟ କରୁଛନ୍ତି ବୋଲି ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି ।
କେନ୍ଦୁପତ୍ର ବିଭାଗର ମୁଖ୍ୟ ପିସିସିଏଫ ଏବେ ଏକ ସର୍କୁଲାର ଜାରି କରିଛନ୍ତି, ଯେତେବେଳେ କି ସାରା ରାଜ୍ୟରେ କେନ୍ଦୁପତ୍ର ଖରିଦ କାମ ଆରମ୍ଭ ହୋଇଛି । ୨୫ କ୍ବିଣ୍ଟାଲ କେନ୍ଦୁପତ୍ର ରୁ କମ ଉତ୍ପାଦିତ ହେଉଥିବା କେନ୍ଦୁପତ୍ର ଫଡିରୁ ଚପରାସିମାନଙ୍କୁ ବାହାର କରିବା ପାଇଁ ପିସିସିଏଫ ଜାରି କରିଥିବା ସର୍କୁଲାର ଅନୁଯାୟୀ ସାରା ରାଜ୍ୟରେ ଯେଉଁ ମାନେ ଦୀର୍ଘ ବର୍ଷ ଧରି ଏହି ସଂସ୍ଥାରେ କାର୍ଯ୍ୟ କରୁଛନ୍ତି, ଏ ପରି ପାଖାପାଖି ୨ ହଜାର ଚପରାସୀ ତାଙ୍କ ଚାକିରୀ ହରାଇବେ । ୧୦ ଚଟା (୨୦ ହଜାର ପତ୍ର) କେନ୍ଦୁପତ୍ର ତୋଳିଲେ କେନ୍ଦୁପତ୍ର ତୋଳାଳୀମାନେ ଶ୍ରମିକ ମଙ୍ଗଳ ପାଣ୍ଠିରୁ ବିବାହ ସହାୟତା ଓ ଛାତ୍ର ବୃର୍ତ୍ତ ପାଇବାକୁ ଯୋଗ୍ୟ ବିବେଚିତ ହେଉଥିବାବେଳେ ସରକାରଙ୍କ ନୂତନ ସର୍କୁଲାର ଅନୁଯାୟୀ ୨୦ ଚଟା ପତ୍ର ତୋଳିଳେ କେନ୍ଦୁପତ୍ର ତୋଳାଳୀମାନେ ଶ୍ରମିକ ମଙ୍ଗଳ ପାଣ୍ଠିର ସହାୟତା ପାଇବାର ମାନ ନିର୍ଦ୍ଦାରଣ କରା ଯାଇଥିବାରୁ ପାଖାପାଖି ୧୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଏହି ସହାୟତାରୁ ବଞ୍ଚିତ ହୋଇଛନ୍ତି । ଗ୍ରାଚୁଏଟି ଆଇନ ଅନୁଯାୟୀ ବର୍ଷକୁ ୬ ମାସରୁ ଉର୍ଦ୍ଧ ସମୟ ନିଯୁକ୍ତି ପାଉଥିବା ଶ୍ରମିକମାନଙ୍କ ଅବସର ସମୟରେ ବର୍ଷକୁ ୧୫ ଦିନର ଦରମା ହିସାବରେ ଗ୍ରାଚୁଏଟି ଅର୍ଥ ପ୍ରଦାନ କରିବା କଥା, କିନ୍ତୁ କେନ୍ଦୁପତ୍ର ସଂସ୍ଥାରେ ବନ୍ଧେଇ ଚେକର, ସର୍କଲ ଚେକର ଯେଉଁ ମାନେ ୮ ମାସରୁ ଉର୍ଦ୍ଧ ସମୟ ବର୍ଷକୁ ନିଯୁକ୍ତି ପାଇଥାନ୍ତି ଅବସର ସମୟରେ ସେମାନଙ୍କୁ ବର୍ଷକୁ ୭ ଦିନର ଦରମା ହିସାବ କରି ଗ୍ରାଚୁଏଟି ପ୍ରଦାନ କରାଯାଉଛି । ଏଥି ଯୋଗୁଁ ଶ୍ରମିକମାନେ କ୍ଷତିଗ୍ରସ୍ତ ହେଉଛନ୍ତି । କେନ୍ଦୁପତ୍ର ଗୁଛାକଟାରୁ ପତ୍ର ତୋଳାଳୀ କାର୍ଯ୍ୟ ଶେଷ ହେବା ପର୍ୟ୍ୟନ୍ତ କାର୍ୟ୍ୟରତ ମୁନସୀମାନଙ୍କୁ ୯୦ ଦିନର ଦରମା ଓ ଚପରାସୀମାନଙ୍କୁ ୬୦ ଦିନର ଦରମା ଦେବାର ସର୍କୁଲାର ଥିବା ବେଳେ ଡିଏଫଓ ମାନେ ମନଇଛା ମୁନସୀ ଓ ଚପରାସୀ ମାନଙ୍କ ଦରମା କାଟି ଦେଉଥିବା ଅନେକ ଅଭିଯୋଗ ଅଛି । କେନ୍ଦୁପତ୍ର ସଂସ୍ଥାରେ ବିଶେଷ ଭାବେ କାର୍ଯ୍ୟରତ ଆଦିବାସୀ ଓ ଦଳିତ ଶ୍ରମିକମାନଙ୍କୁ ରାଜ୍ୟ ସରକାର କରୋନା ମାଡ ନ କରି ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି, କେନ୍ଦୁପତ୍ର ଶ୍ରମିକ ମାନଙ୍କ ପାଇଁ ଚାକିରୀ ସର୍ତାବଳୀ ଯଥା ଶୀଘ୍ର ଲାଗୁ କରି ଓଡିଶାର ୧୪ ଲକ୍ଷ କେନ୍ଦୁପତ୍ର ଶ୍ରମିକଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି ।