ହିମାଂଶୁ ଶେଖର ଆଚାର୍ଯ୍ୟ : ରାଜ୍ୟରେ କୋଭିଡ୍ ସଂକ୍ରମଣ ଲଗାତାର ବଢୁଥିବାରୁ ଶେଷରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ଏଥିପାଇଁ ଲକ୍ଡାଉନକୁ ଶେଷ ବିକଳ୍ପ ଭାବେ ନିଆଯାଇଛି । ଫଳରେ ଆସନ୍ତ ୫ରୁ ୧୯ ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ଲକ୍ଡାଉନ ହେବ । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟ ଓ ଜରୁରୀ ସେବା ଜାରି ରହିବ ବୋଲି ସୂଚନା ଦିଆଯାଇଛି । ଘରଠୁ ୫୦୦ ମିଟର ଦୂରତା ମଧ୍ୟରେ ସକାଳ ୬ ଟାରୁ ମଧ୍ୟାହ୍ନ ୧୨ଟା ଭିତରେ ଚାଲି ଚାଲି ଯାଇ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ।ସେହିପରି ଲକ୍ଡାଉନ ଅବଧି ମଧ୍ୟରେ ପୂର୍ବପରି ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ଡାଉନ ଜାରି ରହିବ । ଲକ୍ଡାଉନ ସମୟରେ ଟିକାକରଣ ଚାଲୁରହିବା ସହ କୋଭିଡ୍ ପରିକ୍ଷା ପାଇଁ ଅନୁମତି ମିଳିବ । ଏସମ୍ପର୍କରେ ସବିଶେଷ ବିବରଣୀ ସୂଚନା ଓ ଲୋକସର୍ମ୍ପକ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ଅଦ୍ୟାବଧି ମହାମାରୀ କରୋନା ୨୧୩ଟିରୁ ଉଦ୍ଧ୍ୱର୍ ଦେଶରେ ତାର କାୟାବିସ୍ତାର କରିସାରିଛି ।କୁହାଯାଉଛି ଦୁଇ ଦୁଇଟି ବିଶ୍ୱଯୁଦ୍ଧରେ ଯେତିକି ଲୋକ ମୃତୁ୍ୟବରଣ କରିନଥିଲେ କରୋନାରେ ତାଠାରୁ ଅଧିକ ଲୋକ ମୃତୁ୍ୟବରଣ କରିସାରିଲେଣି । ଅଦ୍ୟାବଧି ବିଶ୍ୱର ପ୍ରାୟ ୩୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଏହି ରୋଗରେ ମୃତୁ୍ୟ ବରଣ କରିସାରିଲେଣି । ଏହି ସମୟ ମଧ୍ୟରେ କରୋନା ଟୀକା ବାହାରି ସାରିଛି । ଏପରିକି ବ୍ରିଟେନ ଓ ଆମେରିକାରେ ଫାଇଜର ଟୀକାକରଣ ଆରମ୍ଭ ହୋଇଛି । ଆମ ଦେଶରେ ମଧ୍ୟ କରୋନା ଟୀକାକରଣ ଆରମ୍ଭ ହୋଇଛି । ଗତ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଟୀକା ଉସôବ ପାଳନ କରାଯାଇଛି । ତଥାପି ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଁହରେ ମାସ୍କ ବାନ୍ଧିବା, ସାନିଟାଇଜରରେ ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଯାହାର ସୁଫଳ ମଧ୍ୟ ମିଳିଛି । ବିଶେଷକରି ମାସ୍କ ପିନ୍ଧିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ମାସ୍କ ହିଁ ସାଜିଛି ସୁରକ୍ଷା କବଚ । ଏବେ ଯାହାକୁ ଦେଖିବ ସେ ମୁହଁରେ ମାସ୍କ ବା ତୁଣ୍ଡି ପରିଧାନ କରିଛି । ଧନୀ-ଗରିବ, ଉଚ୍ଚ- ନୀଚ ସମସ୍ତେ ଏହାକୁ ସୁରକ୍ଷା କବଚ ଭାବେ ବ୍ୟବହାର କରୁଛନ୍ତି । ଇତିମଧ୍ୟରେ ରାଜସ୍ଥାନ ସରକାର ଦେଶର ପ୍ରଥମ ରାଜ୍ୟ ଭାବେ କରୋନା ମୁକାବିଲା ପାଇଁ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛି । ଏହାର ଅବମାନନା ପାଇଁ ଦଣ୍ଡବିଧାନ ବ୍ୟବସ୍ଥା ଆଇନରେ ରଖାଯାଇଛି । ସେହିପରି ଆମ ରାଜ୍ୟରେ ମଧ୍ୟ କୋଭିଡ କଟକଣାକୁ କଡାକଡି କରାଯାଇଛି । ମାସ୍କ ପିନ୍ଧୁ ନଥିବା ଲୋକଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି ।
କରୋନା ଭୂତାଣୁ ସଂକ୍ରମଣଠାରୁ ନିଜକୁ ଦୁରେଇ ରଖିବାପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସାମାଜିକ ଦୂରତାସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଉଛନ୍ତି । ବିଶେଷକରି ଯେ ପର୍ଯ୍ୟନ୍ତ କୋଭିଡ ଟୀକାକରଣ ସମ୍ପୂର୍ଣ୍ଣ ନହୋଇଛି ସେ ପର୍ଯ୍ୟନ୍ତ ମାସ୍କ ହିଁ ସୁରକ୍ଷା କବଚ ପାଲଟିଛି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗାଇଡଲାଇନ ଜାରି କରାଯାଇଛି । ଏପରିକି ୭ ମାସରେ ୩୦କୋଟି ଲୋକଙ୍କୁ ଟୀକା ଦିଆଯାଇପାରିବ । ତଥାପି ଯେ ପର୍ଯ୍ୟନ୍ତ କୋଭିଡ ଟୀକା ସାଧାରଣରେ ଉପଲବ୍ଧ ହୋଇପାରିନାହିଁ ସେପର୍ଯ୍ୟନ୍ତ ଆମକୁ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ଉପରେ ସଚେତନ ରହିବାକୁ ପଡିବ । ଏ ସବୁ ସତ୍ତ୍ୱେ କିଛି ଅମାନିଆ ମାସ୍କ ପିନ୍ଧୁ ନଥିବା ଘଟଣା ଆଗକୁ ଆସୁଛି ।
ଏପରିକି ସେମାନଙ୍କ ଠାରୁ ଫାଇନ୍ ଆଦାୟ କରାଯାଉଛି । ତଥାପିସେମାନେ ବୁଝିପାରୁନାହାନ୍ତି ଯେ, ଏପରି କରିବା ଦ୍ୱାରା ସେମାନେ କେବଳ ନିଜପାଇଁ ନୁହେଁ, ନିଜର ପରିବାର ତଥା ସମାଜ ପାଇଁ ବିପଦକୁ ଡାକି ଆଣୁଛନ୍ତି । ପାର୍ବଣରେ ସାମାନ୍ୟ ଅବହେଳା ଓ ସାମାଜିକ ଦୂରତା ରଖିବାରେ ଢିଲାପଣ ଏବେ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏଥିପାଇଁ ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ସଂକ୍ରମଣ ପୁଣି ଉପରମୁହାଁ ହୋଇଥିଲା । ଏବେ ମହାରାଷ୍ଟ୍ର, ଛତିଶଗଡ, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ କର୍ଣ୍ଣାଟକ ସଂକ୍ରମଣ ଚିନ୍ତା ବଢାଉଛି । କେବଳ ଛତିଶଗଡ,ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ସଂକ୍ରମଣ ମାମଲା ଦୈନିକ ୧ଲକ୍ଷରୁ ଉଦ୍ଧ୍ୱର୍ ରହୁଛି । କେବଳ ମହାରାଷ୍ଟ୍ରରେ ଦିନକରେ ୬୪ହଜାର ମାମଲା ସାମ୍ନାକୁ ଆସୁଛି । ଏସବୁ ରାଜ୍ୟରେ ସଂକ୍ରମଣ ବଢିବା ସହ ମୃତୁ୍ୟ ମଧ୍ୟ ବଢୁଛି । ଛତିଶଗଡରେ ଗତ ୨ସପ୍ତାହ ମଧ୍ୟରେ ୧୩୧ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଛି । ଉତ୍ତର ପ୍ରଦେଶରେ ଦୈନିକ ମାମଲାରେ ୧୯.୨୫ ପ୍ରତିଶତ ବୃଦ୍ଧି ହୋଇଛି । ଫଳସ୍ୱରୂପ ଉତ୍ତରପ୍ରଦେଶରେ ଥରେ ମାସ୍କ ନିୟମାବଳୀ ଉଲଙ୍ଘନ କଲେ ୧ହଜାର ଟଙ୍କା ଜୋରିମାନା ଓ ଦ୍ୱିତୀୟ ଥର ଉଲଙ୍ଘନ କଲେ ୧୦ହଜାର ଟଙ୍କା ଆଦାୟ କରାଯାଉଛି ।
ଏହା ହେଉଛି କୋଭିଡ-୧୯ର ଚରିତ୍ର । ଏହାଥରେ ଚାଲିଗଲା ପରେ ପୁଣିଥରେ ଲେଉଟୁଛି । ଭାରତ ସରକାର ଇତି ମଧ୍ୟରେ ଟୀକାର ସୁଷମ ବଣ୍ଟନପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରଥମେ କୋଭିଡ ଯୋଦ୍ଧା, ବୟସ୍କ,ରୁଗ୍ଣ ଓ କରୋନା ଲଢେଇରେ ସାମିଲ ସମସ୍ତଙ୍କୁ ଏହା ପ୍ରଦାନ କାରାଯିବ ପରେ ଅନ୍ୟ ସମସ୍ତଙ୍କୁ ଏହା ପ୍ରଦାନ କାରଯିବ । ତେଣୁ ଯେପର୍ଯ୍ୟନ୍ତ କୋଭିଡ ଟୀକାକରଣ ନହୋଇଛି ଖାମ୍ଖିଆଲି ହେବା ଆମ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ତେଣୁ ଏବେଠୁ ଆମକୁ ଆହୁରି ଅଧିକ ସର୍ତକ ଓ ସଚେତନ ରହିବାକୁ ହେବ । କିନ୍ତୁ ଜନସାଧାରଣ ଯଦି ଅବହେଳା କରିବେ ତାହାଲେ ଜୀବନ ବିପନ୍ନ ହେବା ସୁନିଶ୍ଚିତ । ଏସବୁ ସତ୍ତ୍ୱେ କିଛି ଲୋକ କଥା କହିଲା ବେଳେ ପାଟିକୁ ଘୋଡାଉ ନାହାଁନ୍ତି । କେତେକ ଲୋକ ମୂଳରୁ ମାସ୍କ ନପିନ୍ଧି ଟେଲିଭିଜନ ପରଦାରେ ମୁହଁ ଦେଖାଉଛନ୍ତି ।
ବିଶେଷକରି ଗାଁ ମାନଙ୍କରେ କରୋନା ସମ୍ବନ୍ଧୀୟ ସଚେତନତା ଅଭାବରୁ ଅଧିକାଂଶ ଲୋକ ମାସ୍କ ପିନ୍ଧୁ ନଥିବାର ଘଟଣା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ କରୋନା ମହାମାରୀ ମଧ୍ୟରେ ଉତ୍ତରା ଖଣ୍ଡର ଧାର୍ମିକ ନଗରୀ ହରିଦ୍ୱାରରେ ମହାକୁମ୍ଭ ପାଇଁ ଅନୁମତି ଦିଆଯିବ ପରଠାରୁ ସେଠାରେ ସଂକ୍ରମଣ ସାଙ୍ଘାତିକ ରୂପ ନେଇଛି । ବିଭିନ୍ନ ଦିନରେ ଶାହିସ୍ନାନ ପାଇଁ ୨୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସମବେତ ହେବା ପରେ କରୋନା ବିସ୍ଫୋରକ ରୂପ ନେଇଛି । ମେଳା ଆରମ୍ଭ ହେବାର ୧୪ ଦିନ ଭିତରେ ଅଢେଇ ହଜାରରୁ ଅଧିକ ସନ୍ଥ ଓ ଶ୍ରଦ୍ଧାଳୁ ସଂକ୍ରମିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିବେଦନ ସତ୍ତ୍ୱେ ଅଧିକାଂଶ ଶ୍ରଦ୍ଧାଳୁ ଅବାଧରେ ବୁଡ ପକାଇଥିଲେ । ସେହିପରି ବିଭିନ୍ନ ରାଜ୍ୟରେ ହେଉଥିବା ନିର୍ବାଚନ ଓ ଉପନିର୍ବାଚନରେ ରାଜନୈତିକ ରାଲିରେ ହଜାର ହଜାର ଲୋକଙ୍କ ସମାବେଶ ମଧ୍ୟ ବିପଦକୁ ଡାକିଆଣିଛି । ସେହପରି ଅନେକ କ୍ଷେତ୍ରରେ କିଛି ଅମାନିଆ କୋଭିଡ କଟକଣା ମାନୁନଥିବାରୁ ପରୋକ୍ଷରେ ଏହା କରୋନା ସଂକ୍ରମଣ ବୃଦ୍ଧି କରିଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କେବଳ ସତର୍କତା ଓ ସଚେତନତା କରୋନା ସଂକ୍ରମଣକୁ ରୋକିପାରିବ ।
Comments are closed.