ତିହିଡି,୦୩/୦୫: ପ୍ରେମକୁ ନେଇ ବିଭିନ୍ନ ସମୟରେ ଅନେକ ରୋଚକ ଖବର ଶୁଣିବାକୁ ମିଳିଥାଏ । ମାତ୍ର ଜଣେ ଯୁବକଙ୍କ ପ୍ରେମ ତାଙ୍କ ପରିବାର ପାଇଁ କାଳ ହେବା ଏପରିକି ପ୍ରେମିକାଙ୍କ ପରିବାରର ନିର୍ଯାତନା ସହିନପାରି ପ୍ରେମିକଙ୍କ ବାପା ଗାଁ ଛାଡି ଅନ୍ୟ ଗାଁରେ ରହିବା ଘଟଣା ପ୍ରେମ ପୁସ୍ତକରେ ଏକ ନୂଆ ଅଧ୍ୟାୟ ଯୋଡି ଦେଇଛି । ଘଟଣା ହେଉଛି ପରହାଟ ଥାନା ଅଧିନ ରାଜନଗର ପଞ୍ଚାୟତର ଲକ୍ଷ୍ମୀପ୍ରସାଦ ଗାଁରେ । ପ୍ରେମିକଙ୍କ ବାପା ବିଷ୍ଣୁଚରଣ ପରିଡା ଥାନାର ଦ୍ୱାରସ୍ଥ ହୋଇ ଏ ସଂପର୍କରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ ସେମିତି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ । ଏଥିରେ ଭାଙ୍ଗିପଡି ବିଷ୍ଣୁଚରଣ ଆତ୍ମାହୂତି ଦେବେ ବୋଲି ନିଷ୍ପତ୍ତି ନେବା ସହ ଏ ସଂପର୍କରେ ମଧ୍ୟ ପୋଲିସକୁ ଅବଗତ କରାଇଛନ୍ତି ।
ଲକ୍ଷ୍ମୀପ୍ରସାଦ ଗାଁର ବିଷ୍ଣୁଚରଣଙ୍କ ପୁଅ ସହିତ ସେହି ଗାଁ ଜଣେ ଯୁବତୀଙ୍କର ୩ ବର୍ଷ ପୂର୍ବେ ପ୍ରେମ ସଂପର୍କ ଗଢି ଉଠିଥିଲା । ଯୁବକ ଜଣଙ୍କ ପ୍ରେମରେ ଏମିତି ପଡିଯାଇଥିଲେ ଯେ, ଯୁବତୀଙ୍କ ପାଠ ପଢା ପାଇଁ ଅନେକ ଟଙ୍କା ବ୍ୟୟ କରିଥିଲେ । ତେବେ ଏହି ପ୍ରେମ ସଂପର୍କରେ ଯୁବତୀଙ୍କ ପରିବାର ଲୋକେ ଜାଣିବା ପରେ ଏହାକୁ ତିବ୍ର ବିରୋଧ କରିଥିଲେ । ଏମିତିକି ଯୁବକଙ୍କ ବାପାଙ୍କୁ ବିଭିନ୍ନ ପ୍ରକାର ଧମକ ଦେଇଥିଲେ । ଯୁବତୀଙ୍କ ପରିବାର ପକ୍ଷରୁ ପୀରହାଟ ଥାନାରେ ଏ ନେଇ ମଧ୍ୟ ଅଭିଯୋଗ କରାଯାଇଥିଲା ।
ପୋଲିସ ଉଭୟ ପକ୍ଷଙ୍କୁ ଗତ ୨୩-୦୧-୨୧ ତାରିଖରେ ଥାନାକୁ ଡକାଇ ଆପୋଷ ସମାଧାନ କରିଥିଲେ । ଯୁବତୀଙ୍କ ପରିବାରକୁ ଯୁବକ ଜଣଙ୍କ କୌଣସି ଧମକ ଦେବେନାହିଁ କିମ୍ବା ଗାଳିଗୁଲଜ କରିବେ ନାହିଁ ବୋଲି ସମାଧାନ ପତ୍ରରେ ଉଲ୍ଲେଖ କରାଯିବା ସହ ଏହା କଲେ ଯୁବକ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଦର୍ଶାଯାଇଥିଲା । ଏହି ଘଟଣା ପରଠାରୁ ଯୁବତୀଙ୍କ ବାପା ଗାଁର ଅନ୍ୟ କେତେକଙ୍କ ସହଯୋଗରେ ଯୁବକଙ୍କ ବାପା ବିଷ୍ଣୁଚରଣଙ୍କୁ ଏକ ଘରିକିଆ କରିବା ସହ ନିଆଁ ପାଣି ବାସନ୍ଦ କରି ଦେଇଥିଲେ ।
ଏପରିକି ଯୁବକଙ୍କ ଘର ଉପରକୁ ଟେକା ପଥର ଫିଙ୍ଗାଯିବା, ନଳକୂପକୁ ଛଡା ନଯିବା ଆଦି କାର୍ଯ୍ୟ ଚାଲିବାରୁ ବିଷ୍ଣୁଚରଣ ଗତ ୨୦-୦୪-୨୧ ତାରିଖରେ ପୀରହାଟ ଥାନାରେ ଏ ସଂପର୍କରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ କୌଣସି ପଦକ୍ଷେପ ନ ନେବାରୁ ବିଷ୍ଣୁଚରଣ ଗାଁ ଛାଡି ଦେବା ସହ ପୁନର୍ବାର ୨୬-୦୪-୨୧ ତାରିଖରେ ଥାନାର ଦ୍ୱାରସ୍ଥ ହୋଇଥିଲେ ।
ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ପ୍ରଦାନ ସହିତ ତାଙ୍କ ଘରର ଆସବାବ ପତ୍ର କିପରି ସୁରକ୍ଷିତ ରହିବ ସେ ଦିଗରେ ପଦକ୍ଷେପ ନେବାକୁ ବିଷ୍ଣୁଚରଣ ଦର୍ଶାଇଛନ୍ତି । ପ୍ରେମିକାଙ୍କ ବାହାଘର ଠିକ୍ ହୋଇଥିବା ବେଳେ ପ୍ରେମିକ ଏବେ ବାହାର ରାଜ୍ୟରେ । କିନ୍ତୁ ଏହି ଘଟଣାରେ ବିଚରା ପ୍ରେମିକର ବାପା ଗାଁ ଠାରୁ ଦୂରରେ । ପୋଲିସ ଏଥିପତି ଦୃଷ୍ଟି ଦେଇ ବିଷ୍ଣୁଚରଣଙ୍କୁ ଗାଁକୁ ଫେରାଇ ଆଣିବା ସହ ସୁରକ୍ଷା ଦିଗରେ ପଦକ୍ଷେପ ନ ନେଲେ ବିଷ୍ଣୁଙ୍କ ଆତ୍ମାହୂତି ନିଷ୍ପତ୍ତି ସତ୍ୟରେ ପରିଣତ ହେବା ନିଶ୍ଚିତ ବୋଲି କୁହାଯାଉଛି ।