ତିହିଡି,୩୦/୦୪: ଗାଁ ଗହଳରେ ଅନେକ ଯୁବ ପ୍ରତିଭା ଅଛନ୍ତି । ଉପଯୁକ୍ତ ପରାମର୍ଶ ସୁବିଧାସୁଯୋଗ ଅଭାବରୁ ସେମାନେ ନିରୁତ୍ସାହିତ ହୋଇ ବେକାରୀ ଜୀବନ ଅତିବାହିତ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କର୍ମ ସଂସ୍ଥାନ ପାଇଁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି । ତେବେ ସେହି ଯୁବ ପ୍ରତିଭାଙ୍କ ପାଇଁ ପ୍ରେରଣ ପାଲଟିଛନ୍ତି ବିଶ୍ୱନାଥ ନାୟକ । ତିହିଡି ବ୍ଲକ ଫତେପୁର ପଞ୍ଚାୟତ ଅଧିନ ଗୋପାଳପୁର ଗାଁର ବିଶ୍ୱନାଥ ବିଗତ ୫ ବର୍ଷ ହେଲା ଯୁବକ ମାନଙ୍କୁ ସେନାରେ ନିଯୁକ୍ତି ପାଇଁ ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି । ଏଥିସହିତ ସେ ମଧ୍ୟ ସେମାନଙ୍କର ମନୋବଳ ବଢାଇ ସେମାନେ କିପରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ସେ ଦିଗରେ ଉଦ୍ୟମ ଚଳାଇଛନ୍ତି । ବିଶ୍ୱନାଥ ଭାରତୀୟ ସୈନ୍ୟବାହିନୀରେ ଜେସିଓ ଭାବେ କାର୍ଯ୍ୟରତ ଅଛନ୍ତି । ମଧ୍ୟପ୍ରଦେଶର ଜବଲପୁର ତାଙ୍କ କର୍ମସ୍ଥଳ ହୋଇଥିଲେ ମଧ୍ୟ ଛୁଟି ସମୟରେ ଘରକୁ ଆସି ସେ ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି । ତିହିଡିର ଜୀବନଜ୍ୟୋତି ସଙ୍ଗଠନର ସହଯୋଗରେ ବିଗତ ୫ ବର୍ଷ ପୂର୍ବେ ସେ ଏହି ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । ତିହିଡି ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ଅଞ୍ଚଳର ଶତାଧିକ ଯୁବକଙ୍କୁ ସେ ଶାରୀରିକ ପ୍ରଶିକ୍ଷଣ ଦେଇଥାନ୍ତି ।
ଏଥିସହ ସରକାରଙ୍କ ସର୍ତ୍ତାବଳୀ ଅନୁଯାୟୀ ସେମାନେ କିପରି ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିବେ ସେ ଦିଗରେ ମଧ୍ୟ ସେ ଉଦ୍ୟମ କରନ୍ତି । ଏଥିପାଇଁ ସମ୍ଭାବ୍ୟ ପ୍ରଶ୍ନପତ ପ୍ରସ୍ତୁତ କରି ଯୁବକ ମାନଙ୍କର ଘଣ୍ଟିକିଆ ପରୀକ୍ଷା କରାଇଥାନ୍ତି । ଜୀବନଜ୍ୟୋତି ସଙ୍ଗଠନର ଆବାହକ ଜ୍ୟୋର୍ତିମୟ ପାଣ୍ଡବ ଓ ଅନ୍ୟ କର୍ମକର୍ତ୍ତାମାନେ ବିଶ୍ୱନାଥଙ୍କୁ ଏହି କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରୁଛନ୍ତି । ତାଙ୍କର ଏହି ଉଦ୍ୟମ ଯୋଗୁଁ ବିଗତ ୫ ବର୍ଷରେ ୫୦ ଜଣ ଯୁବକ ସେନାରେ ନିଯୁକ୍ତି ପାଇ ପାରିଛନ୍ତି । ଏବେ ସେ ଛୁଟିରେ ଘରେ ଥିବାରୁ ବିଲଣା ଓ ଗଦି ଠାରେ ଯୁବକ ମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି । ସେହି ଯୁବକ ମାନଙ୍କୁ ଏଥିପାଇଁ କୌଣସି ଦେୟ ଦେବାକୁ ପଡିନଥାଏ । ଅପରପକ୍ଷେ ସେମାନେ କିପରି ଭଲ ନାଗରିକ ହୋଇପାରିବେ ସେ ଦିଗରେ ବିଶ୍ୱନାଥ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ନିଜ କର୍ମସ୍ଥଳରେ ମଧ୍ୟ ସେ ସହୀଦଙ୍କ ପିଲାମାନଙ୍କୁ ଏବଂ ନୂଆ କରି ସେନାରେ ଭର୍ତ୍ତି ହୋଇଥିବା ପିଲାଙ୍କୁ ପଦୋନ୍ନତି ପାଇଁ ବିଭିନ୍ନ ପ୍ରକାର ତାଲିମ ଦେଇଥାନ୍ତି । କେନ୍ଦ୍ରୀୟ ସ୍କୁଲରେ ମଧ୍ୟ ପିଲାମାନଙ୍କୁ ସେ ପ୍ରଶିକ୍ଷଣ ଦିଅନ୍ତି । ବିଶ୍ୱନାଥ କହନ୍ତି ବେକାରୀ ଜୀବନର ଦୁଃଖ ଯନ୍ତ୍ରଣା ତାଙ୍କୁ ଜଣାଥିବାରୁ ଯୁବକ ମାନଙ୍କୁ ଏଭଳି ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଦେଇ କର୍ମ ନିଯୁକ୍ତି ଲାଗି ପ୍ରେତ୍ସାହିତ କରୁଛନ୍ତି । ଏଥିରୁ ମିଳୁଥିବା ଭଲପାଇବା ଓ ଆନନ୍ଦ ତାଙ୍କୁ ଆତ୍ମସନ୍ତୋଷ ଦେଉଥିବା ସେ କହିଛନ୍ତି ।