ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ପ୍ରତି ବର୍ଷ ଅପ୍ରେଲ ୧୯ ତାରିଖକୁ ବିଶ୍ୱ ଲିଭର ସଚେତନତା ଦିବସ ଭାବେ ପାଳନ କରାଯାଏ । ଆସନ୍ତୁ ସର୍ବ ପ୍ରଥମେ ଜାଣିବା ଯେ ଆମ ଶରୀରରେ ଲିଭରର ଅବସ୍ଥିତି କ’ଣ? ଏହି ଲିଭରର ଲମ୍ବା ୨୦ସେ.ମି., ଓସାର ୧୬ ସେ.ମି. ଓ ଉଚ୍ଚତା ପ୍ରାୟ ୧୨ ସେ.ମି., ଓଜନ ପ୍ରାୟ ଦେଢ଼ରୁ ଦୁଇ କି.ଗ୍ରା । କଲିଜା ହେଉଛି ଶରୀରର ଏକ ରାସାୟନିକ ବିଜ୍ଞାନାଗାର । ଏକ ସମୟରେ ଏହା ବହୁତ ପ୍ରକାରର ରାସାୟନିକ କାର୍ଯ୍ୟ କରିଥାଏ । ଶରୀରରେ ନଷ୍ଟ ହେଉଥିବା ଲୋହିତ ରକ୍ତକଣିକାରୁ ହିମୋଗ୍ଲୋବିନ (ଲୋହିତ ରକ୍ତ କଣିକା ମଧ୍ୟରେ ଥିବା ଲୌହ ଓ ପୁଷ୍ଟିସାର ଅଂଶ) ବାହାର କରି ତାକୁ ଭାଙ୍ଗି ପୁଣି ନୂଆ ହିମୋଗ୍ଲୋବିନ ହେବା ପାଇଁ ଉପାଦାନ ସୃଷ୍ଟି କରିଥାଏ ।
ରକ୍ତ ଜମାଟ ବାନ୍ଧିବା ପାଇଁ ଯେଉଁ ଉପାଦାନର ଆବଶ୍ୟକତା ରହିଛି ଯଥା ପ୍ରୋଥ୍ରୋମ୍ବିନ ଓ ଫିବ୍ରିନୋଜେନ୍ ତାହା ଯକୃତରେ ହିଁ ତିଆରି ହୁଏ । ପିତ୍ତ କ୍ଷରଣ ହେଉଛି ଯକୃତର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଖାଦ୍ୟ ପାକସ୍ଥଳୀରୁ ଗ୍ରହଣୀ ମଧ୍ୟକୁ ପ୍ରବେଶ କରିବା ସମୟରେ ପିତ୍ତନଳୀ ଭିତରୁ ପିତ୍ତ ଆସି ଖାଦ୍ୟ ସହିତ ମିଶି ପାଚନ କ୍ରିୟାରେ ସାହାଯ୍ୟ କରେ । ରକ୍ତରେ ଗ୍ଲୁକୋଜର ପରିମାଣ ଅଧିକ ହେଲେ ଯକୃତ ଏହାକୁ ଗ୍ଲାଇକୋଜେନ୍ରେ ପରିଣତ କରି ନିଜ ଭିତରେ ସଞ୍ଚୟ କରି ରଖେ । ଉପବାସ ସମୟରେ ରକ୍ତରୁ ଗ୍ଲୁକୋଜର ପରିମାଣ କମିଗଲେ ଯକୃତ ଗ୍ଲାଇକୋଜେନ୍କୁ ଗ୍ଲୁକୋଜରେ ପରିଣତ କରି ଶର୍କରାର ଭାରସାମ୍ୟ ରକ୍ଷା କରେ । କରୋନାର ଦ୍ୱିତୀୟ ଲହର ଅତି ସାଂଘାତିକ ହେବାରେ ଲାଗିଛି ।
ନୂଆ ପ୍ରକାର ଲକ୍ଷଣ ଦେଖାଯାଉଛି । ଦେହହାତ ଗୋଡ଼ ବିନ୍ଧା, ପତଳା ଝାଡ଼ା ଓ ବାନ୍ତି ହେବା ସମସ୍ୟା ରହୁଛି । କୋଭିଡ଼ ଜିହ୍ୱା ବା କୋଭିଡ଼ ଟଙ୍ଗରେ ଲାଳ ତିଆରି କମି ଯାଉଛି । ହଜମ ହେବା ପ୍ରକ୍ରିୟା ପାଇଁ ଲାଳ କ୍ଷରଣ ହେଉନାହିଁ । ଦ୍ୱିତୀୟ ଲହରରେ କିଛି କରୋନା ସଂକ୍ରମିତମାନେ ପେଟ ଯନ୍ତ୍ରଣା ସହିତ ସେମାନଙ୍କର କ୍ଷୁଧାହୀନତା ଅନୁଭବ କରୁଛନ୍ତି । ଏହାସହ ଅସ୍ୱସ୍ଥି ଅନୁଭବ କରିବା ସହ ଆମ୍ବିଳା ହାକୁଡି ପାଟିବାଟେ ବାହାରିଗଲା ପରି ଅନୁଭବ କରୁଛନ୍ତି । ତୀବ୍ର ଖରା ଯୋଗୁଁ ଡିହାଇଡ୍ରେସନ୍ ସମସ୍ୟା ସେମାନଙ୍କ ଲିଭର ଯନ୍ତ୍ରଣାକୁ ଆହୁରି ଦ୍ୱିଗୁଣିତ କରିଦେଉଛି । ଲିଭର ସମସ୍ୟା ଓ ଲିଭର ସିରୋସିସ୍ ଆକ୍ରାନ୍ତ ରୋଗୀମାନେ ଅଧିକ ଯନ୍ତ୍ରଣା ପାଉଛନ୍ତି । ଏ କ୍ଷେତ୍ରରେ ମଦ୍ୟପାନ, ସମସ୍ତ ପ୍ରକାର ନିଶାସେବନ, ଧୂମପାନ ବର୍ଜନୀୟ ସହ ବଜାରରେ ମିଳୁଥିବା ଥଣ୍ଡା ପାନୀୟ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅହିତକର । ଏହି ରିପୋର୍ଟ ଲାନ୍ସେଟ ପତ୍ରିକାରେ ପ୍ରକାଶ ପାଇଛି ।
ବର୍ତ୍ତମାନ ସମୟରେ ସଂକ୍ରାମକ ରୋଗର ପ୍ରାର୍ଦୁଭାବକୁ ନେଇ ସବୁଠି ଏକ ପ୍ରକାର ଭୟ ଦେଖାଦେଇଛି । ରୋଗ ଓ ମାନବ ସଭ୍ୟତା ସମାନ୍ତରାଳ ଭାବେ ଆଗକୁ ବଢ଼ି ଚାଲିଛି । ପ୍ରତି ଶତାବ୍ଦୀରେ କୌଣସି ନା କୌଣସି ଭୟଙ୍କର ସଂକ୍ରାମକ ରୋଗ ପ୍ରାର୍ଦୁଭାବରେ ଥରହର ହୋଇଛି ପୃଥିବୀ ଓ ଏଥିରୁ ମୁକୁଳିବା ଲାଗି କରିଆସିଛି ମନୁଷ୍ୟ । ଏଭଳି ଛକାପ‚ା ଭିତରେ କେତେବେଳେ ରୋଗ ଜିତିଛି ତ ଆଉ କେବେ ବାଜିମାତ କରିଛି ମଣିଷ । ଚିକିତ୍ସା ବିଜ୍ଞାନର ଚମକ୍ରାରିତା ଯୋଗୁଁ ଏକଦା ମୃତୁ୍ୟର ତାଣ୍ଡବ ସୃଷ୍ଟି କରିଥିବା ଅନେକ ସଂକ୍ରାମକ ରୋଗର ଭୟ ଦୂରେଇ ଯାଇଛି । ଏକ ଅଦୃଶ୍ୟ ଭୂତାଣୁ ପ୍ରକୋପରେ ଥରହର ହେଉଛି ପୃଥିବୀ ।
ଭାଇରସ୍ ମୂଳତଃ ଏକ ଲାଟିନ ଶବ୍ଦ ଏହାର ଓଡ଼ିଆ ଭାଷାନ୍ତର ବିଷ । ଭାଇରସ୍କୁ ହିନ୍ଦୀରେ ବିଷାଣୁ କୁହାଯାଏ । ଏହା କୋଷହୀନ ଅତି ସୂକ୍ଷ୍ମ ଜୀବ ଏବଂ କେବଳ ଜୀବିତ କୋଷରେ ହିଁ ବଂଶ ବଢ଼ାଇପାରେ । ଶରୀର ବାହାରେ ଏହା ମୃତ ପ୍ରାୟ । ଶରୀର ଭିତରକୁ ଆସିଲେ, ନବ ଜୀବନ ପାଏ । ଏହା ନାଭିକୀୟ ଅମ୍ଳ ଓ ପୁଷ୍ଟିସାରରେ ଗଠିତ । ଏହା ଯେ କେବଳ କ୍ଷତିକାରକ ତାହା ନୁହେଁ, ବେଳେ ବେଳେ ଲାଭ ବି କରିଥାଏ । କେତେକ ଭୂତାଣୁ ବିଭିନ୍ନ ପ୍ରକାରର ଜୀବାଣୁକୁ ନଷ୍ଟ କରିପାରନ୍ତି । ସ୍ଫୁଟନିକ୍ ଓ ମାମାଭାଇରସ୍ ଅନ୍ୟ କେତେକ ଭୂତାଣୁକୁ ନଷ୍ଟ କରିପାରନ୍ତି । ୧୮୯୨ରେ ରସିଆନ୍ ବିଜ୍ଞାନୀ ଡିମିଟ୍ରି ଇଭାନୋଭ୍ସ୍କି ପ୍ରଥମେ ଏହା ସଂପର୍କରେ ବିଶେଷ ସୂଚନା ଦେଇଥିଲେ । ୧୮୯୮ରେ ଡଚ୍ ବିଜ୍ଞାନୀ ମାର୍ଟିନସ୍ ବେଜ୍ରିଂକ୍ ଗଛପତ୍ର ନଷ୍ଟ କରୁଥିବା ଟୁବାକୋ ମୋଜାଇକ୍ ଭାଇରସ ଆବିଷ୍କାର କରିଥିଲେ ।
ଅଦ୍ୟାବଧି ପାଞ୍ଚ ହଜାର ପ୍ରକାରର ଭୂତାଣୁ ସବିଶେଷ ଭାବେ ଚିହ୍ନଟ କରାଯାଇପାରିଛି । ତେବେ ପୃଥିବୀରେ ଲକ୍ଷାଧିକ ପ୍ରକାରର ଭୂତାଣୁ ଥିବା ଜଣାଯାଏ । ପୃଥିବୀର ଏଭଳି କୌଣସି ଅଞ୍ଚଳ ନାହିଁ, ଯେଉଁଠି ଭୂତାଣୁ ନାହାନ୍ତି ।
ଆସନ୍ତୁ ଏହି ଭୂତାଣୁ ଉପରେ ଏକ ଆଲୋଚନା ରଖିବା । ବିଶ୍ୱ ଶାକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ପରମାଣୁ ବୋମା ଠାରୁ ଅଧିକ ଭୟ ସୃଷ୍ଟି କରିଥିଲା ପୋଲିଓ । ୧୯୫୦ ବେଳକୁ ପୋଲିଓ ପ୍ରାର୍ଦୁଭାବରେ ଥରହର ହେଉଥିଲେ ଆମେରିକୀୟ । ଫିଲାଡେଲଫିଆର ଭ୍ୟାକ୍ସିନ ସେଣ୍ଟରର ବୈଜ୍ଞାନିକ ପଲ.ଏ.ଓଫିଟ ନିଜ ପୁସ୍ତକ ଦି କଲଚର ଇନ୍ସିଡେଣ୍ଟରେ ଏ ସମ୍ପର୍କରେ ବିଷଦ ଭାବେ ବର୍ଣ୍ଣନା କରିଛନ୍ତି । ୧୯୫୨ରେ ପିଟର୍ସବର୍ଗର ବୈଜ୍ଞାନିକ ଜୋନାସ ସାଲ୍କଙ୍କ ଦ୍ୱାରା ପୋଲିଓ ଟିକାର ଉଦ୍ଭାବନ କରାଯାଇଥିଲା ।
ଏହାପରେ ଆମେରିକା ଧୀରେ ଧୀରେ ପୋଲିଓ ମୁକ୍ତ ହୋଇଥିଲା । ତେବେ ପଡ଼ୋଶୀ ପାକିସ୍ତାନରେ ଏବେ ବି ପୋଲିଓ ଭୟ ଲାଗି ରହିଛି, ଯାହାକୁ ନେଇ ଚିନ୍ତାପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ପ୍ରତିଷେଧକ ବାହାରିବା ଆଗରୁ ଟିଟାନସ ଏକ ପ୍ରାଣଘାତୀ ରୋଗ ଭାବେ ବିବେଚିତ ହେଉଥିଲା । ଏବେ ଶିଶୁ ଜନ୍ମ ହେବା ପରେ ଟିଟାନସ ଟିକା ଦିଆଯାଉଛି । ଯେଉଁଥିରେ ଡିପ୍ଥେରିଆ ଏବଂ ସଂକ୍ରମଣଜନିତ କାଶ ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁଛି । ହେପାଟାଇଟିସ୍ ପ୍ରତିଷେଧକ ବାହାରିବା ପୂର୍ବରୁ ପ୍ରତିବର୍ଷ ହେପାଟାଇଟିସ୍ ବିରେ ଆକ୍ରାନ୍ତ ହୋଇ ବାର୍ଷିକ ୭ଲକ୍ଷ ୮୦ ହଜାର ଲୋକଙ୍କ ମୃତୁ୍ୟ ଘଟୁଥିଲା । ବିଶେଷ କରି ନବଜାତକ ଏବଂ ପ୍ରସୂତୀଙ୍କ ନିକଟରେ ଏଥିରେ ଆକ୍ରାନ୍ତ ହେବା ଆଶଙ୍କା ବେଶି ।
ତେଣୁ ଶିଶୁ ଜନ୍ମ ହେବା ପରେ ପରେ ଏହି ଟିକା ଦିଆଯାଇଥାଏ । ସେହିପରି ୨୦୧୪ରେ ପଶ୍ଚିମ ଆଫ୍ରିକାରେ ଆତଙ୍କ ସୃଷ୍ଟି କରିଥିବା ଇବୋଲା ୧୧ ହଜାରରୁ ଉଦ୍ଧ୍ୱର୍ କଜୀବନ ନେଇଥିଲା । ଏହାକୁ ମଧ୍ୟ ଟିକା ମାଧ୍ୟମରେ ହିଁ ରୋକାଯାଇପାରିଥିଲା । ଡିପ୍ଥେରିଆ : କୋରାଇନ୍ ବ୍ୟାକ୍ଟେରିଆ ଡିପ୍ଥିରି ନାମକ ବ୍ୟାକ୍ଟେରିଆ ଡିପ୍ଥେରିଆ ପାଇଁ ଦାୟୀ । ୨ରୁ ୧୦ ବର୍ଷର ଶିଶୁଙ୍କ ପାଇଁ ଏହି ରୋଗ ଘାତକ ହୋଇପାରେ । ଏହି ରୋଗରେ ପୀଡ଼ିତ ରୋଗୀଙ୍କ ଗଳା ଓ ନାକ ଆଭ୍ୟନ୍ତରରେ ଏକ ସୂକ୍ଷ୍ମ ଝିଲ୍ଲି ତିଆରି ହୋଇଯାଏ । ଏହାଦ୍ୱାରା ଶ୍ୱାସକ୍ରିୟାରେ ସମସ୍ୟା ଉପୁଜେ । ରୋଗ ବଢ଼ିବା ସହ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇଯାଏ । ଏଥିରୁ ସୁରକ୍ଷା ଲାଗି ପିଲାମାନଙ୍କୁ ଟିପିଟି ଟିକା ଦିଆଯାଇଥାଏ ।
ଆଜିର ସମୟରେ ସଂକ୍ରାମକ ରୋଗର ପୂର୍ବ ପରି ଆଉ ପ୍ରାର୍ଦୁଭାବ ନାହିଁ । ବ୍ୟାପକ ଓ ସୂଚନା ପ୍ରଯୁକ୍ତିର ସହାୟତା ନିଆଯାଇ ସ୍ୱାସ୍ଥ୍ୟସେବା ଅଧିକ ଉପାଦେୟ ଭାବେ ବିବେଚିତ ହେବା ସହ ରୋଗ ଉପରେ ନିୟନ୍ତ୍ରଣ ରଖାଯାଇପାରିଛି । ଆଜି ବିଶ୍ୱ ଲିଭର ଦିବସ ଅବସରରେ ସର୍ବପ୍ରଥମେ ସାମାଜିକ ଦୂରତ୍ୱ ଅବଲମ୍ବନ ସହ ବାରମ୍ବାର ହାତଧୁଅନ୍ତୁ, ମାସ୍କ ପିନ୍ଧନ୍ତୁ, ବାହାର ଖାଦ୍ୟ ଓ ପାନୀୟ ଠାରୁ ଦୂରେଇ ରୁହନ୍ତୁ । ଟିକା ଜରୁରୀ ଭାବେ ନିଅନ୍ତୁ ଏବଂ ଟିକା ନେଇଥିଲେ ମଧ୍ୟ ବେପରୁଆ ଜୀବନ ବିତାନ୍ତୁ ନାହିଁ । ପ୍ରଶାସନ ଓ ସରକାରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ଏହା ହିଁ ବା‚ନୀୟ ଓ ଆଜିର ସମୟର ବଡ଼ ଆବଶ୍ୟକତା ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ