ପିପିଲି- ପିପିଲି ଉପନିର୍ବାଚନ ପାଇଁ ପୁନଃ ତାରିଖ ଘୋଷଣାପରେ ପିପିଲି ରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଆଜି କଂଗ୍ରେସ ଦଳ ରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେଲେ ପୁରୀ ଜିଲ୍ଲା କିଷାନ କଂଗ୍ରେସ ସଭାପତି ତଥା କୃଷକ ନେତା ମକର ପ୍ରଧାନ । ଆଜି ସଂନ୍ଧ୍ୟାରେ ପିପିଲି ସ୍ଥିତ ବିଜେଡି ଦଳୀୟ କାର୍ଯ୍ୟାଳୟ ଠାରେ ମନ୍ତ୍ରୀ ସମିର ରଂଜନ ଦାଶ, ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି ,କଂଣ୍ଟି ପଂଚାୟତର ବିଜେଡି ପର୍ଯ୍ୟବେକ୍ଷକ ତଥା ଖଦି ବୋର୍ଡ ନିଗମ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ରାଜ୍ୟ ଯୁବ ବିଜେଡି ମହାସଚିବ ଏଲିନା ଦାଶ , ରାଜ୍ୟ ମହିଳା ବିଜେଡି ଉପସଭାପତି ସଂଯୁକ୍ତା ମଲ ପ୍ରମୁଖ ଙ୍କ ଉପସ୍ଥିତିରେ ବରିଷ୍ଠ ନେତା ମକର ପ୍ରଧାନଙ୍କ ସହ କଂଣ୍ଟି ପଂଚାୟତର ୨୫ଜଣ କଂଗ୍ରେସ କର୍ମୀ ହାତ ଛାଡି ଶଙ୍ଖ ଧରିଛନ୍ତି । ଗତ କାଲି ଏକ ସମ୍ବାଦିକ ସମ୍ମିଳନୀ ରେ ଶ୍ରୀ ପ୍ରଧାନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ତାଙ୍କ କାର୍ଯ୍ୟକଳାପ ଉପରେ ବର୍ଷିଥିଲେ । ଦିର୍ଘ ଦିନ ହେବ କଂଗ୍ରେସରେ ରହି ଦଳରୁ ଅଣଦେଖାର ଶିକାର ହୋଇ ଅଭିଯୋଗ ଆଣି କଂଗ୍ରେସ ଦଳ ରୁ ଇସ୍ତଫା ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିଭଳି ଓରକଳ ପଂଚାୟତର ସୈାମ୍ୟରଂଜନ ସ୍ୱାଇଁ, ନିରଞ୍ଜନ ସେନାପତି,ଲିଟୁ ସେନାପତି,ଯୋଗେନ୍ଦ୍ର ବେହେରା,ଶ୍ରୀକାନ୍ତ ରାଉତ ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି ।
ଏହି ମିଶ୍ରଣ ପର୍ବ ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଏଥିରେ ପୁରୀ ଜିଲ୍ଲା ବିଜେଡି ସଂପାଦକ ତଥା ପିପିଲି ବ୍ଲକ ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ, କଣ୍ଟି ସରପଂଚ ପ୍ରକାଶ ଧଳ, ପୁରୀ ଜିଲ୍ଲା ସାଧାରଣ ସଂପାଦକ କିଶୋର ଛୋଟରାୟ,ପୁରୀ ଜିଲ୍ଲା ଯୁବ ଜନତା ଦଳର ସଭାପତି ନାରାୟଣ ସ୍ୱାଇଁ , ପିପିଲି ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଟିର ସ୍ୱାଇଁ ପିପିଲି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଆର୍ତବନ୍ଧୁ ସାମନ୍ତରାୟଙ୍କ ସମେତ ବହୁ ବରିଷ୍ଠ କର୍ମୀ ମାନେ ଉପସ୍ଥିତ ଥିଲେ ।