Odisha news

ଆଇପିଏଲ୍ : ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ ଧମାକାରେ ପଞ୍ଜାବ କିଙ୍ଗ୍ସ ଧାରାସାଇ

0

ମୁମ୍ବାଇ: ରବିବାର ରାତିର ଦ୍ବିତୀୟ ଆଇପିଏଲ୍ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ କେଏଲ୍ ରାହୁଲଙ୍କ ୨୯ତମ ଜନ୍ମଦିବସକୁ ଫିକା କରି ଦେଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓପ୍‌ନର ଶିଖର ଧାୱନ। ଏହି ହାଇସ୍କୋରିଂ ମ୍ୟାଚ୍‌ରେ ରାହୁଲ (୬୧) ଓ ମୟଙ୍କ ଅଗ୍ରୱାଲ (୬୯)ଙ୍କ ଶତକୀୟ ଭାଗୀଦାରି ବଳରେ ପଞ୍ଜାବ ୧୯୬ ରନ୍‌ର ଆହ୍ବାନପୂର୍ଣ୍ଣ ଲକ୍ଷ୍ୟ ଦିଲ୍ଲୀକୁ ଦେଇଥିଲା। ହେଲେ ଧମାକାଦାର ବ୍ୟାଟିଂ କରି ଧାୱନ (୯୨) ନିଜ ଦଳକୁ ୧୦ ବଲ୍ ପୂର୍ବରୁ ବିଜୟୀ କରାଇ ଦେଇଥିଲେ। ମାତ୍ର ୮ ରନ୍ ପାଇଁ ଚଳିତ ଋତୁର ପ୍ରଥମ ଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ ସେ। ହେଲେ ୩ ମ୍ୟାଚ୍‌ରୁ ୧୮୬ ରନ୍ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଗ୍ଲେନ୍ ମ୍ୟାକ୍ସୱେଲଙ୍କଠାରୁ ନାରଙ୍ଗୀ ଟୋପି ଛଡ଼ାଇ ଆଣିଥିଲେ । ଧାୱନ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦିନର ପ୍ରଥମ ମ୍ୟାଚ୍‌ରେ ଆର୍‌ସିବି ୩୮ ରନ୍‌ରେ କେକେଆର୍‌କୁ ପରାସ୍ତ କରିବାରେ ପ୍ରମୁଖ ଭୂମିକା ତୁଲାଇଥିବା ମ୍ୟାକ୍ସୱେଲ୍ ମାତ୍ର କିଛି ଘଣ୍ଟା ପାଇଁ ଏହି ଟୋପି ପାଖରେ ରଖିପାରିଥିଲେ। ସେହିଭଳି ୬ ୱିକେଟ୍‌ର ସହଜ ବିଜୟ ପାଇ ଦିଲ୍ଲୀ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହ ପଏଣ୍ଟ୍‌ ତାଲିକାର ଦ୍ବିତୀୟ ସ୍ଥାନକୁ ଉଠିଥିଲା। ଅନ୍ୟପକ୍ଷରେ ପଞ୍ଜାବ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରି ଶେଷ ଆଡ଼ୁ ଦ୍ବିତୀୟ ସ୍ଥାନରେ ଅପବର୍ତ୍ତିତ ରହିଥିଲା।

ଜିତାଇ ପାରିଲାନି ଯୁଗଳ ଅର୍ଦ୍ଧଶତକ
ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଦୁଇଟି ପରିବର୍ତ୍ତନ କରି ଟମ୍ କରନଙ୍କ ବଦଳରେ ଷ୍ଟିଭେନ୍ ସ୍ମିଥ୍ ଓ ପଦାର୍ପଣକାରୀ ଯୁବ ବାମହାତୀ ସ୍ପିନର ଲକମନ ମେରିୱାଲାଙ୍କୁ ଚୂଡ଼ାନ୍ତ ଦଳରେ ସାମିଲ କରିଥିଲା। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ଜଣେ ଖେଳାଳିଙ୍କୁ ବଦଳାଇ ମୁରୁଗାନ ଅଶ୍ବିନଙ୍କ ସ୍ଥାନରେ ଜଳଜ ସକ୍ସେନାଙ୍କୁ ଖେଳାଇଥିଲା।

କାକର ପାତର ଆଶଙ୍କା କରି ଦିଲ୍ଲୀ ଅଧିନାୟକ ଋଷବ ପନ୍ତ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ ପାଇଁ ଡାକିଥିଲେ। ହେଲେ ଏହି ଦଳର ବୋଲରମାନେ ୧୨ ଓଭର ପର୍ଯ୍ୟନ୍ତ ପଞ୍ଜାବ ଓପନିଂ ଯୋଡ଼ି ରାହୁଲ-ମୟଙ୍କଙ୍କୁ ଆଉଟ୍ କରିବାକୁ ସକ୍ଷମ ହୋଇ ନଥିଲେ। ଦିଲ୍ଲୀର ପ୍ରମୁଖ ବୋଲର କାଗିସୋ ରବାଦାଙ୍କ ଗୋଟିଏ ଓଭରରେ ତିନିଟି ଛକା ସହ ପ୍ରଥମ ୱିକେଟ୍ ଭାଗୀଦାରିରେ ରାହୁଲ-ମୟଙ୍କ ୧୨୨ ରନ୍ ସଂଗ୍ରହ କରି ନେଇଥିଲେ। ଗତ ଦୁଇ ମ୍ୟାଚ୍‌ରେ ଆଖିଦୃଶିଆ ସ୍କୋର କରି ପାରି ନଥିବା ମୟଙ୍କ ଫର୍ମକୁ ଫେରିବାର ସ୍ପଷ୍ଟ ସଙ୍କେତ ଦେଇ ୨୫ ବଲ୍‌ରୁ ଚଳିତ ଋତୁର ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିଲେ।

ମେରିୱାଲା ତାଙ୍କୁ ଶିଖର ଧାୱନଙ୍କ ହାତରେ କ୍ୟାଚ୍ କରାଇ ଏହି ବିପଜ୍ଜନକ ଯୋଡ଼ି ଭାଙ୍ଗିବା ପୂର୍ବରୁ ପଞ୍ଜାବ କିଙ୍ଗ୍ସ ଏଥର ସଂସ୍କରଣର ଶତକୀୟ ଓପନିଂ ଭାଗୀଦାରି ପାଇସାରିଥିଲା। ଅପେକ୍ଷାକୃତ ମନ୍ଥର ବ୍ୟାଟିଂ କରିଥିବା ରାହୁଲ କିନ୍ତୁ ୪୫ ବଲ୍‌ରୁ ଅର୍ଦ୍ଧଶତକ ଛୁଇଁଥିଲେ। ଏହି ଦୁଇ ଜଣ ୧୯ ରନ୍ ଭିତରେ ଆଉଟ୍ ହେବା ପରେ ପଞ୍ଜାବର ରନ୍ ସଂଗ୍ରହ ହାର ଆଶ୍ଚର୍ଯ୍ୟଜନକ ଭାବେ କମି ଯାଇଥିଲା। ଦ୍ବିତୀୟାର୍ଦ୍ଧରେ ଅପେକ୍ଷାକୃତ ଭଲ ବୋଲିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଶେଷ ୮ ଓଭରରେ ୭୩ ରନ୍ ଦେଇ ପଞ୍ଜାବକୁ ୨୦୦ ରନ୍ ତଳେ ଅଟକାଇ ଦେଇଥିଲା। ତଥାପି ଶେଷ ଆଡ଼କୁ ଦୀପକ ହୁଦାଙ୍କ ୧୩ ବଲ୍ ୨୨* ଏବଂ ଶାହରୁଖ ଖାନ୍‌ଙ୍କ ୫ ବଲ୍ ୧୫* ରନ୍ ପାଇଁ ପଞ୍ଜାବ କିଙ୍ଗ୍ସ ଏକ ସମ୍ମାନଜନକ ସ୍କୋର କରି ନେଇଥିଲା। ଦୁଇ ୱେଷ୍ଟଇଣ୍ଡିଜ୍ ତାରକା କ୍ରିସ୍ ଗେଲ୍ (୧୧) ଓ ନିକୋଲାସ ପୂରନ (୯) ପୁଣି ଥରେ ବିଫଳ ହୋଇଥିଲେ।

Leave A Reply