Odisha news

ଶକ୍ତି ଆକଳନ

ନଗେନ୍ଦ୍ର ନାଥ ପଟ୍ଟନାୟକ : ଫିରିଙ୍ଗ ଶାସନ ବେଳର କଥା । ଆମ ଦେଶର ଶାସନ ଡୋରୀ ଥାଏ ଇଂରେଜମାନଙ୍କ ହାତରେ । ଶାସନ କଳର ପ୍ରମୁଖ ପଦବୀଗୁଡିକରେ ଗୋରା ସାହେବମାନେ କବ୍ଜା କରି ନେଇ ଯାଉଥିଲେ । କିନ୍ତୁ ମେଧାବୀ ଓ ପରିଶ୍ରମୀ ବାଳକଟିଏ ଅବିଳମ୍ବେ ବାହାରି ପଡିଥିଲା । ବିଭିନ୍ନ ବଡ ବଡ ପଦବୀରେ ଅବସ୍ଥାପିତ ହେବା ପାଇଁ । ଗମନାଗମନ ବା ପରିବହନ ବ୍ୟବସ୍ଥାର ସୁବିଧା ଖୁବ୍ କମ୍ ଥିଲା ସେ କାଳରେ । ଦୁର୍ଗମ ପଥରେ ହାତୀ ଚଢି ଯାଆଆସ କରିବାକୁ ପଡୁଥିଲା । ଜଣେ ଇଂରେଜ ଅଫିସର ନିଜ ଅଧୀନରେ କାମ କରୁଥିବା ଭାରତୀୟ ଅଫିସରଙ୍କୁ ସାଙ୍ଗରେ ଘେନି ବାହାରି ପଡୁଥିଲା ଯେକୌଣସି ଘଂଚ ଜଙ୍ଗଲଘେରା ଅଂଚଳ ଗସ୍ତ କରିବାକୁ । ସହସା କାହାକୁ ଦେଖିବା କ୍ଷଣି ଭାରତୀୟ ଅଫିସର ଜଣକ ହାତୀ ରୋକିବାକୁ କହିଲେ । କହୁଛି ପରା, କଅଣ ହେଲା ? କ୍ଷୀଣ ସ୍ୱରରେ କହିଲେ ସେ ।

ଉତର ଦେବାକୁ ଅଟକାଇଲେ ନାହିଁ । ଯେମିତି ହାତୀ ବସିପଡିଛି ଆଗକୁ କୁଦାଟେ ମାରି ସେ ଖପ୍କିନା ଡେଇଁପଡିଲା । ଧାଇଁଧାଇଁ ଆଗକୁ ବଢିବାକୁ ଲାଗିଲା । ଖଣ୍ଡେ ଦୂରେ ଗଲାପରେ ସାଧୁବାବାଙ୍କ ସାମନାକୁ ଆସି ତାଙ୍କ ପାଦତଳେ ଲମ୍ବହୋଇ ଲୋଟିପଡିଲା । ସାଧୁ ତାଙ୍କୁ ସାଦରେ ଉଠେଇ ଦେଲେ । ଆର୍ଶୀବାଦ ଅଜାଡି ଭଲ-ମନ୍ଦ ସବୁକଥା ପଚାରି ବୁଝିଲେ । ଦୁଇହାତ ଯୋଡି, ଅଂଟା ସଳଖି ଥୁଂଟା ବରଗଛଟେ ଭଳି ଠିଆହେଲା ସେ । ଆନନ୍ଦରେ ଗଦ୍ଗଦ ହୋଇ ତାଙ୍କ ପ୍ରଶ୍ନର ଉତର ଦେଇ ଚାଲିଥାନ୍ତି । ତାଙ୍କର ହାତୀ ଉପରେ ସବାର ହେବାକୁ ଭାରି ଆଗ୍ରହ । ହେଲେ ସାଧୁଙ୍କୁ ସେଇ ପାଖରେ ଜାଗାରେ ହିଁ ଅଟକିଥିଲେ । ଭୂରିଭୂରି ଶୁଭକାମନା ଢାଳିଦେଇ ତାକୁ ବିଦାୟ ଦେଲେ ସାଧୁ । ତେଣେ ଇଂରେଜ ସାହେବ ହାତୀ ଉପରେ ସବାର ହୋଇ ଦୂରରୁ ସବୁ କିଛି ଟିକିଏନିଖିଏ କରି ନିରୀକ୍ଷଣ କରୁଥାନ୍ତି । ଲେଉଟି ଆସିଲା ପରେ ସେ କିଛି ପଚାରିଲେ ତ ନାହିଁ, ହେଲେ ଖୋଦ୍ ମାହୁନ୍ତ ବନିଯାଇଥିବା ସାହେବ ଉପରେ ପ୍ରଶ୍ନଭରା ଆଖି ଯୋଡିକ ପହଁରାଇ ଆଣିଲେ ।

ତାଙ୍କୁ ଲାଗୁଥିଲା ସେ ନୂଆନୂଆ ଭାବରେ ଚିହ୍ନିବାକୁ ଚେଷ୍ଟା କରୁଛି ଯେମିତି । ସେ ଜଣେ ବହୁତ ବଡ ମହାତ୍ମା ହଜୁର,ମୋର ବାପାଙ୍କ ଗୁରୁଦେବ । ବେଦ ଉପନିଷଦରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଅଥଚ ବାଳବ୍ରହ୍ମଚାରୀ- ଏମିତି ଭାବନାରେ ବୁଡି ରହିଥିଲେ ଭାରତୀୟ ଅଫିସର ଜଣକ । କିଛି ମୁହୂର୍ତର ସେଇ ସତସଙ୍ଗରେ ସେ ବହୁତ କିଛି ପାଇ ସାରିଥିଲା । ତାଙ୍କ ମୁଖମଣ୍ଡଳରେ ଏକ ଅଲୌକିକ ଜ୍ୟୋତି ଖେଳିଗଲା । ଲାଗିଲା ସତେ ଯେମିତି ଝାଉଁଳି ପଡିଥିବା ଚାରାଗଛଟିଏ ଶୀତଳ ପାଣି ଲହରା ପବନ ଛୁଆଁରେ ଦୋଳି ଖେଳୁଛି । ଇଂରେଜ ଅଫିସର ଜଣକ ତାଙ୍କୁ ଆଡୁ କଣ କିଛି ପଚାରିବାର ଆବଶ୍ୟକତା ଅନୁଭବ କରୁନଥିଲେ ।

ଆନମନା ହୋଇ ସେ ନିଜ ଭାବନା ରାଇଜରେ ସେ ବୁଡି ରହିଲେ । ଚଟିଘର ଭିତରକୁ ପଶିଯାଇ ନିଜ ଡାଇରିରେ କଣ କିଛି ଲେଖିବସିଲେ । ଲେଖିଲେ-‘ଆଜି ମୋର ଆଖିଦେଖା କଥାକୁ ନେଇ ଦୃଢତାର ସହ ଏତିକି କହିପାରେ ଯେ ଆମେ ଆଉ ବେଶି ଦିନଯାଏ ଭାରତକୁ ଗୋଲାମ କରି ରଖିପାରିବା ନାହିଁ । ଏଇଠି ଶାସନ ଚଳାଇ କିଛି ପାଇବାର ଦିନ ସ୍ୱଳ୍ପ । ବାହାର ସମ୍ବଳ ଆଧାରରେ ଏଠିକା ଲୋକଙ୍କ ଶକ୍ତିକୁ ଆକଳନ କରିବାକୁ ଭୁଲିଯିବା ଅନୁଚିତ । ଏଇଠିକାର ଲୋକ ବେଶ୍ ଅନୁପ୍ରାଣିତ ହୋଇ ପାରୁଥିବା ଏ ଦେଶର ରହସ୍ୟମୟ ଉର୍ଜା ଆମକୁ ଯେକୌଣସି ସମୟରେ ଅପଦସ୍ତ କରିପାରେ ।’

Comments are closed.