Odisha news

କୋରାପୁଟରେ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ

0

କୋରାପୁଟ ସଦର ମହକୁମାରେ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସଭଗୃହଠାରେ ଆୟୋଜିତ ବୈଠକରେ ଏଡିପିଏଚଓ (ଭିବିଡି) ଡାକ୍ତର ସୁଶାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବାର ନିୟନ୍ତ୍ରଣ ପାଇଁ ସ୍ଥାୟୀ ଓ ଅସ୍ଥାୟୀ ପଦ୍ଧତି ଉପରେ ଆଲୋକପାତ କରିଥିଲେ। କଣ୍ଡୋମ ଓ ଗର୍ଭ ନିରୋଧକ ବଟିକା ବିତରିକରଣ, ଅନ୍ତରା ଇଞ୍ଜେକସନ, ପ୍ରସବ ପରବର୍ତ୍ତୀ ଆଇ.ୟୁ.ସି.ଡି ଓ ଆଇ.ୟୁ.ସି.ଡି  ଅସ୍ଥାୟୀ ପଦ୍ଧତି ଦ୍ବାରା ପରିବାର ନିୟନ୍ତ୍ରଣ କରାଯାଉଥିବା ସେ ସୂଚନା ଦେଇଛନ୍ତି। ସ୍ଥାୟୀ ପଦ୍ଧତି ଦ୍ବାରା ମହିଳା ଓ ପୁରୁଷ ବନ୍ଧ୍ୟାକରଣ କରାଯାଇ ପରିବାର ନିୟନ୍ତ୍ରଣ କରାଯାଉଥିବା ସେ ପ୍ରକାଶ କରିଛନ୍ତି। ବିଗତ ବର୍ଷ ପରିବାର ନିୟୋଜନ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ବୋଲି ସେ ସୂଚନା ଦେଇଛନ୍ତି।ଜିଲ୍ଲାର ଡାକ୍ତର ସସ୍ମିତା ଦାସ ଲାପ୍ରୋସ୍କୋପି ଅପରେସନ କରି ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କାର ପାଇଁ ମନୋନୀତ ହୋଇଥିବା ସେ ପ୍ରକାଶ କରିଛନ୍ତି।

ସେହିଭଳି ଗତ ବର୍ଷ ଡାକ୍ତର ଅରୁଣ କୁମାର ପାଢୀ ଓ ଡାକ୍ତର ନବ କିଶୋର କୁଣ୍ଡୁ ମହିଳା ଓ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ରାଜ୍ୟରେ ପୁରସ୍କୃତ ହୋଇଥିଲେ ବୋଲି ସେ ସୂଚନା ଦେଇଥିଲେ।୨୦୨୧-୨୨ ବର୍ଷରେ ୫୩୪୨ ଜଣ ପୁରୁଷଙ୍କ ବନ୍ଧ୍ୟାକରଣ କରାଯାଇଥିବା ବେଳେ ମାତ୍ର ୯୩ ଜଣ ମହିଳାଙ୍କ ବନ୍ଧ୍ୟାକରଣ କରାଯାଇଥିବା ବୈଠକରୁ ଜଣାପଡିଛି। ମହିଳାଙ୍କ କ୍ଷେତ୍ରରେ ବନ୍ଧ୍ୟାକରଣର ସଫଳତା ହାର ମାତ୍ର ୧୧ ପ୍ରତିଶତ ଅଟେ।ପରିବାର ନିୟୋଜନ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ରାଜ୍ୟରେ ପ୍ରଥମ ହୋଇଥିବା  ସେ ସୂଚନା ଦେଇଛନ୍ତି।ଜୁନ ମାସ ୨୭ ତାରିଖରୁ ଜୁଲାଇ ମାସ ୧୦ ତାରିଖ ପର୍ଯ୍ୟନ୍ତ ସଚେତନତା ପକ୍ଷ ଭାବେ ପାଳନ କରାଯାଇଥିଲା ବୋଲି ଏଡିପିଏଚଓ (ପରିବାର କଲ୍ୟାଣ) ଡାକ୍ତର ନୀଳମାଧବ ଶତପଥି ସୂଚନା ଦେଇଥିଲେ। ଜିଲ୍ଲାର ପ୍ରତ୍ୟେକ ବ୍ଲକର ସମସ୍ତ ଗ୍ରାମରେ ସଚେତନତା ରଥ ଭ୍ରମଣ କରି ଲୋକମାନଙ୍କୁ ପରିବାର ନିୟନ୍ତ୍ରଣ ଉପରେ ସଚେତନତା କରାଯିବା ସହ ଗ୍ରାମ୍ୟ ସ୍ତରୀୟ ଓ ପଞ୍ଚାୟତ ସ୍ତରୀୟ ସଭା କରି ଲୋକମାନଙ୍କୁ ସଚେତନ କରାଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ । ଜୁଲାଇ ମାସ ୧୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିରୀକରଣ ପକ୍ଷ ଭାବେ ପାଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତଙ୍କ ପରିଚାଳନାରେ ଆୟୋଜିତ ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଯୋଗ ଦେଇ ଜନସଂଖ୍ୟା ଦିବସ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସଚେତନତା ପୋଷ୍ଟର ଉନ୍ମୋଚନ କରାଯାଇଥିଲା। ଶେଷରେ ଏଡିପିଏଚସିଓ ଶୁଭ ନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟାଳୟର ଏମ. ସନ୍ତୋଷ କୁମାର ଓ ରୋଜାଲିନ ମିଶ୍ର ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply