ବାଲେଶ୍ୱର-କୋଭିଡ୍-୧୯ ମହାମାରୀ ସଙ୍କଟ ସମୟରେ ଲୋକମାନଙ୍କ ନିକଟରେ ରାଜସ୍ୱ ବିଭାଗ ଅନ୍ତର୍ଗତ ବିଭିନ୍ନ ସେବା ପହଂଚାଇବା ପାଇଁ ଆଜି ଜିଲ୍ଲାରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ଏହି କ୍ରମରେ ଆଜି ଜିଲ୍ଲାର ବାଲିଆପାଳ ଓ ସିମୁଳିଆ ତହସିଲରେ ରାଜସ୍ୱ ରଥର ଶୁଭାରମ୍ଭ ହୋଇଛି । ଏହି ରଥ ମାଧ୍ୟମରେ ଲୋକମାନଙ୍କୁ ଜମି ପଟ୍ଟା, ଜାତିଗତ ପ୍ରମାଣପତ୍ର, ଜମି କିସମ ପରିବର୍ତ୍ତନ ଭଳି ସେବା ତାଙ୍କ ଘର ପାଖରେ ପ୍ରଦାନ କରାଯିବ । ଅଳ୍ପ ଦିନ ମଧ୍ୟରେ ଜିଲ୍ଲାର ଅନ୍ୟାନ୍ୟ ସମସ୍ତ ତହସିଲରେ ମଧ୍ୟ ଜନସାଧାରଣଙ୍କୁ ଅନୁରୂପ ସେବା ଯୋଗାଇବା କାର୍ଯ୍ୟ ଆରମ୍ଭ ହେବ । କୋଭିଡ୍-୧୯ ସଙ୍କଟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସବୁ ଜିଲ୍ଲାରେ ଏହି ଅଭିନବ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାକୁ ନିଦେ୍ର୍ଦଶନାମା ଜାରି କରିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଏହା ଆଜି ଠାରୁ ଆରମ୍ଭ ହୋଇଛି ।
ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ନିଦେ୍ର୍ଦଶ କ୍ରମେ ଜିଲ୍ଲାର ସମସ୍ତ ତହସିଲରେ ରାଜସ୍ୱ ରଥ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନିଆଯିବା ସହିତ ଆଜି ଜିଲ୍ଲାର ଦୁଇ ତହସିଲ ସିମୁଳିଆ ଓ ବାଲିଆପାଳରେ ରାଜସ୍ୱ ରଥ ଜରିଆରେ ଲୋକମାନଙ୍କୁ ସେମାନଙ୍କ ଆବେଦନ ମୁତାବକ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଜିଲ୍ଲାର ଜନସାଧାରଣ ସେମାନଙ୍କ ହାତ ପାଆନ୍ତାରେ ରାଜସ୍ୱ ବିଭାଗର ବିଭିନ୍ନ ସେବା ସୁବିଧାରେ ପାଇପାରିବେ । ୫-ଟି କାର୍ଯ୍ୟକ୍ରମ ଆଧାରରେ ରାଜସ୍ୱ ବିଭାଗ ତ୍ରୁଟିଶୂନ୍ୟ, ତ୍ୱରିତ ସେବା ଯୋଗାଇବା ପାଇଁ ଅନଲାଇନରେ ବିଭିନ୍ନ ସେବା ଯୋଗାଉଛି । ମାତ୍ର ଯେଉଁ ଲୋକମାନଙ୍କ ପାଖରେ ଇଂଟରନେଟ୍ ସୁବିଧା ନାହିଁ ସେମାନେ ରାଜସ୍ୱ ବିଭାଗର ବିଭିନ୍ନ ଦପ୍ତର କିମ୍ବା ମୋ ସେବା କେନ୍ଦ୍ରର ସହାୟତା ନେଉଛନ୍ତି । ତେବେ ଜନସାଧାରଣ ଓ ସରକାରୀ କର୍ମଚାରୀଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ପାଇଁ ସରକାରୀ କାର୍ଯ୍ୟାଳୟରେ ଭିଡ ଜମିବାକୁ ଦିଆଯାଉନାହିଁ । ସାଧାରଣ ଲୋକଙ୍କୁ ସରକାରୀ ଦପ୍ତର ନ ଯିବା ପାଇଁ କୁହାଯାଇଛି ।
ଏହି ପରିପ୍ରେକ୍ଷୀରେ ରାଜସ୍ୱ ରଥ ଭଳି ଅଭିନବ ବ୍ୟବସ୍ଥା ମାଧ୍ୟମରେ ରାଜସ୍ୱ କର୍ମଚାରୀମାନେ ଲୋକଙ୍କ ଘର ପାଖରେ ପହଂଚି ଆବେଦନ ଗ୍ରହଣ କରିବା ସହିତ ସେମାନଙ୍କୁ ସେବା ଯୋଗାଉଛନ୍ତି । ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଏବଂ ସିମୁଳିଆ ତହସିଲଦାର ରବିନାରାୟଣ ସାହୁ ଆଜି ନିଜ ନିଜ ତହସିଲରେ ଏହି ବ୍ୟବସ୍ଥା ଆରମ୍ଭ କରିବା ସହିତ ସ୍ଥାନୀୟ ଜନସାଧାରଣଙ୍କୁ ଏ ସଂପର୍କରେ ସଚେତନ କରିଥିଲେ । ତହସିଲ କର୍ମଚାରୀମାନେ ଲୋକଙ୍କ ନିକଟରେ ପହଂଚି ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । କୋଭିଡ୍-୧୯ ସଙ୍କଟ ଓ ଲକଡାଉନ ସମୟରେ ଏଭଳି ସେବା ଜିଲ୍ଲାର ଅଧିବାସୀମାନଙ୍କ ପାଇଁ ବେଶ ସହାୟକ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଆଶାପ୍ରକଟ କରିଛନ୍ତି ।

Comments are closed.