Odisha news

ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଆତ୍ମସମୀକ୍ଷା

ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରତ୍ୟକ ବ୍ୟକ୍ତି ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି। ପ୍ରତି ମୁହୂର୍ତ୍ତରେ ଲୋକସଂଖ୍ୟା ବୃଦ୍ଧି ଘଟୁଛି ସେମାନଙ୍କର ଦିନନ୍ଦିନ ଜୀବିକା ନିର୍ବାହ କରିବା ପାଇଁ ଯେଉଁ ଯେଉଁ ଉପାଦାନର ଆବଶ୍ୟକତା ରହିଛି ତାହା ବିଜ୍ଞାନ ସହାୟକ ହେଉଛି। ଅର୍ଥାତ ପୁରାତନ ଯୁଗରେ ଏକ ଏକର ଜମିରୁ ଯେତିକି ଖାଦ୍ୟ ଅମଳ କରାଯାଉଥିଲା ଏବେ ଯଦି ସେତିକି ଅମଳ ହେଉଥାନ୍ତା ଘୋର ଖାଦ୍ୟ ସଙ୍କଟ ଦେଖାଦେଇଥାନ୍ତା। କାରଣ ଲୋକସଂଖ୍ୟା ବୃଦ୍ଧିକୁ ଆମକୁ ସାମ୍ନା କରିବାକୁ ପଡିବ। ତେଣୁ କୃଷି ବିଜ୍ଞାନ ଦ୍ବାରା ସେହି ଏକର ଜମିରୁ 7-8ଗୁଣ ଅଧିକ ଖାଦ୍ୟ ଶସ୍ୟ ଅଧିକ ଅମଳ ହୋଇପାରୁଛି। ବିଜ୍ଞାନ ଏକ ପ୍ରଗତିଶୀଳ ବିଦ୍ୟା। ଏପରିସ୍ଥଳେ ରୋଗ ଓ ରୋଗୀଙ୍କ ସଂଖ୍ୟା ବଢି ବଢି ଚାଲିଛି। ଏହାକୁ ପ୍ରତିହତ କରିବାପାଇଁ ବର୍ତ୍ତମାନ ସମୟରେ ଯୋଗର ଆବଶ୍ୟକତା ରହିଛି। କାରଣ ଯୋଗ ବି ଏକ ବିଜ୍ଞାନ ଅଟେ। ଏହାହିଁ ହେଉଛି ଆଜିଭଳି ଦିନରେ ଆତ୍ମସମୀକ୍ଷାର ବିଷୟ।

ଯୋଗ ହେଉଛି ଭାରତ ବର୍ଷର ଏକ ମହାନ ପୁରାତନ ସଂସ୍କୃତି ବା ବିଦ୍ୟା। ଏହା ମୁନିଋଷି ମାନଙ୍କ ଦ୍ଵାରା ଆବିସ୍କୃତ, ପରୀକ୍ଷିତ ଓ ପ୍ରଚାରିତ। ଯୋଗର ପ୍ରକାରଭେଦ ଅନେକ ଅଛି ଯଥା- ଜ୍ଞାନଯୋଗ, ଭକ୍ତିଯୋଗ, କର୍ମଯୋଗ ଓ ରାଜଯୋଗ। ଏମାନଙ୍କ ମଧ୍ୟରେ ରାଜଯୋଗ ସର୍ବାଗ୍ରେ ବିଦ୍ୟମାନ। ଜ୍ଞାନଯୋଗ ଦ୍ବାରା ବୁଦ୍ଧି ଓ ବିବେକର ସମାରୋହରେ ଏକ ଦିବ୍ୟଜ୍ଞାନର ସୃଷ୍ଟି ହୁଏ। ଯଦ୍ବାରାକି ଯେତେ ଜଟିଳ ସମସ୍ୟା ଆସିଲେ ବି ସହଜରେ ସମାଧାନ କରିବାରେ ସହାୟକ ହୁଏ।  ଭକ୍ତିଯୋଗ ଦ୍ବାରା ସମର୍ପଣର ଭାବ ସୃଷ୍ଟି ହୁଏ। ଯଦ୍ବାରା ମନୁଷ୍ୟ ନିଜକୁ ସମାଜସେବାରେ ତ୍ୟାଗ ମନୋଭାବ ନେଇ କାର୍ଯ୍ୟ କରିବାକୁ ସକ୍ଷମ ହୁଏ। କର୍ମଯୋଗ ଦ୍ବାରା ମନୁଷ୍ୟ ଜାଣିପାରେ, କର୍ମ କଣ ଓ କୁକର୍ମ କଣ। ଯେଉଁଥିପାଇଁ ଓଡ଼ିଆ ଭାଗବତରେ ଶ୍ରୀକୃଷ୍ଣ କର୍ମକୁ ଗୁରୁଭାବରେ ବର୍ଣନା କରି ଉଦ୍ଧବକୁ ଉପଦେଶ ଦେଇଛନ୍ତି ଯଥା- କର୍ମ ତୋହର ନିଜଗୁରୁ, ଉଦ୍ଧବ କେତେ ତୁ ପଚାରୁ। ରାଜଯୋଗ ହେଉଛି ଏ ସମସ୍ତ ଯୋଗର ସମାରୋହକୁ ରାଜଯୋଗ କୁହାଯାଏ।

ଏହାକୁ ଯଦି ଆହୁରି ସରଳିକରଣ କରିବା ତେବେ ସାଧାରଣ ଭାବରେ ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ପ୍ରାଣାୟମ ଓ ଅନ୍ୟଟି ହେଲା ଆସନ। ପ୍ରାଣାୟମ ଦ୍ବାରା ଶରୀରର ଆଭ୍ୟନ୍ତରୀଣ ଅଂଶଗୁଡିକ ପ୍ରଭାବିତ ହୁଅନ୍ତି। ଏବଂ ଆସନ ଦ୍ବାରା ଶରୀରର ବାହ୍ୟ ଅଂଶଗୁଡିକ ପ୍ରଭାବିତ ହୁଅନ୍ତି। ସ୍ଥିର ଓ ସହଜ ଭାବରେ ସୁଖ ପୂର୍ବକ ବସିବାକୁ ଆସନ କୁହାଯାଏ। ସ୍ବଭାବିକ ଶ୍ଵାସପ୍ରଶ୍ଵାସ ଠାରୁ ଦୂରେଇ ଯାଇ ଅସ୍ବଭାବିକ ଶ୍ଵାସ ଓ ପ୍ରଶ୍ଵାସ ପ୍ରକ୍ରିୟାକୁ ନିୟମିତ ନିରାନ୍ତରତା ସହିତ ତଥା ସଂକଳ୍ପ ଓ ସମର୍ପଣର ଭାବ ସହିତ କରିବାକୁ ପ୍ରାଣାୟମ କୁହାଯାଏ। ଅଷ୍ଟାଙ୍ଗ ଯୋଗର ମଧ୍ୟ ଆଠଟି ସୋପାନ ରହିଛି। ଯଥା ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି।

ମୋଟାମୋଟି ଭାବରେ ଯୋଗ ହେଉଛି ଭାରତୀୟ ସଂସ୍କୃତିର ଏକ ଜୀବନ ଦର୍ଶନ ଓ ଏକ ସମ୍ପୁର୍ଣ୍ଣ ଚିକିତ୍ସା ପଦ୍ଧତି ଅଟେ। ସେଥିପାଇଁଆଜି ସାରା ବିଶ୍ଵରେ ଜୁନ 21 ତାରିଖକୁ ବିଶ୍ଵ ଯୋଗ ଦିବସ ଭାବରେ ପାଳନ କରାଯାଉଛି। ମିଳିତ ଜାତିସଂଘର ୬୯ତମ ଅଧୀବେଶନରେ ୨୭ ସେପ୍ଟେମ୍ବର ୨୦୧୪ ମସିହାରେ ୧୭୦ଟି ଦେଶର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ମାତ୍ର ୨ ମିନିଟ୍ ପାଇଁ ଯୋଗ ବିଷୟରେ କହିବାର ସୁଯୋଗ ପାଇ ଏକ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ଏକ ନିର୍ଧିଷ୍ଟ ତାରିଖ ଘୋଷଣା କରିବା ପାଈଁ ଅନୁରୋଧ କରିଥିଲେ।  ପରବର୍ତ୍ତୀ ଅବସ୍ଥାରେ ୧୧ ଡିସେମ୍ବର୍ ୨୦୧୪ ମସିହାରେ ସେ ମିଳିତ ଜାତିସଂଘରେ ୧୯୩ଟି ଦେଶର ପ୍ରତିନିଥି ଉପସ୍ଥିତ ଥାଇ ଜୁନ୍ ୨୧ ତାରିଖକୁ ଯୋଗ ଦିବସ ଭାବରେ ଅନୁମୋଦନ କରିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥି ମଧ୍ୟରୁ ୧୭୭ଟି ଦେଶ ଏହାକୁ ସ୍ୱିକୃତି ଦେଇଥିଲେ। ଯଦ୍ୱାରା କି ୨୦୧୫ ମସିହା ଠାରୁ ଜୁନ ୨୧ କୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଉଛି।

 

Nalco

Comments are closed.