Odisha news

ଜିଆରଏଫ୍ ଆଦେଶକୁ ବେଖାତିର: ଦୁଇ ବର୍ଷ ଧରି ଟ୍ରାନ୍ସଫର୍ମର ହସ୍ତାନ୍ତର ଫାଇଲ୍ ଚାପି ବସିଛି ଟିପିସିଓଡିଏଲ୍

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳରେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL)ର ଏକ ବଡ଼ ଧରଣର ପ୍ରଶାସନିକ ଅବହେଳା ସାମ୍ନାକୁ ଆସିଛି। ଅଭିଯୋଗ ନିବାରଣ ଫୋରମ୍ (GRF)ର ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଏକ ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟା ଦୁଇ ବର୍ଷରୁ ଅଧିକ ସମୟ ଧରି ଅଟକି ରହିଛି, ଯାହା ବିଦ୍ୟୁତ୍ ବିତରଣ କମ୍ପାନୀର କାର୍ଯ୍ୟଶୈଳୀ ଏବଂ ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବର୍ଷ ବର୍ଷ ଧରି ପଡ଼ିରହିଛି ହସ୍ତାନ୍ତର ଫାଇଲ୍

ମିଳିଥିବା ସୂଚନା ଅନୁଯାୟୀ, ବାଳକାଟି ସ୍ଥିତ ପ୍ରତାପ ଶାସନ ଅଞ୍ଚଳର ବାସିନ୍ଦା ତଥା ଗଣମାଧ୍ୟମ ପ୍ରତିନିଧି ତାପସ ରଞ୍ଜନ ନନ୍ଦ ନିଜର ବ୍ୟକ୍ତିଗତ ମାଲିକାନାରେ ଥିବା ଏକ ଟ୍ରାନ୍ସଫର୍ମରକୁ ବିଭାଗକୁ ସମର୍ପଣ ତଥା ହସ୍ତାନ୍ତର କରିବା ପାଇଁ ଗତ ୧୭ ମଇ ୨୦୨୩ରେ ବିଧିବଦ୍ଧ ଭାବେ ଆବେଦନ କରିଥିଲେ। ତେବେ ତାଙ୍କର ବାରମ୍ବାର ଅନୁରୋଧ ଓ ଅଭିଯୋଗ ସତ୍ତ୍ୱେ କମ୍ପାନୀ କର୍ତ୍ତୃପକ୍ଷ ଏହି ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦେଇନଥିବା ଜଣାପଡ଼ିଛି।

ଜିଆରଏଫ୍ (GRF) ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଜଣେ ସ୍ଥାନୀୟ ବାସିନ୍ଦା ନୂତନ ବିଦ୍ୟୁତ ସଂଯୋଗ ପାଇଁ ଜିଆରଏଫ୍‌ର ଦ୍ୱାରସ୍ଥ ହେବା ପରେ ଏହି ଚାଞ୍ଚଲ୍ୟକର ଘଟଣା ଲୋକଲୋଚନକୁ ଆସିଥିଲା। ଶୁଣାଣି ସମୟରେ ଜଣାପଡ଼ିଥିଲା ଯେ, ଉକ୍ତ ଟ୍ରାନ୍ସଫର୍ମରଟି ଶ୍ରୀ ନନ୍ଦଙ୍କର ଏବଂ ସେ ପୂର୍ବରୁ ଏଥିପାଇଁ ଅନାପତ୍ତି ପ୍ରମାଣପତ୍ର (NOC) ପ୍ରଦାନ କରିସାରିଛନ୍ତି। ଏହାପରେ ଜିଆରଏଫ୍ ନିଜର ଆଦେଶନାମା (CC No.127/2025)ରେ ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟାକୁ ତୁରନ୍ତ ଶେଷ କରିବା ସହ ବିନା ବିଳମ୍ବରେ ନୂତନ ସଂଯୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ, ଟିପିସିଓଡିଏଲ୍ ଏହି ନିୟାମକ ଆଦେଶକୁ ଖୋଲାଖୋଲି ଉଲ୍ଲଂଘନ କରି ଫାଇଲ୍‌କୁ ଚାପି ବସିଛି।

ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ?

ଏଭଳି ପ୍ରଶାସନିକ ଉଦାସୀନତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ତାପସ ରଞ୍ଜନ ନନ୍ଦ। ସେ କହିଛନ୍ତି, “ମୁଁ ସମସ୍ତ ସରକାରୀ ନିୟମ ପାଳନ କରି ଏନଓସି ଦେଇଥିଲେ ସୁଦ୍ଧା ମୋ ଆବେଦନ ଦୁଇ ବର୍ଷ ଧରି ଅଯଥାରେ ପଡ଼ିରହିଛି। ଯଦି ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ନ୍ୟାଯ୍ୟ ଅଧିକାର ପାଇଁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି, ତେବେ ସାଧାରଣ ଏବଂ ନିରୀହ ଲୋକଙ୍କ ଅବସ୍ଥା କ’ଣ ହେଉଥିବ, ତାହା ସହଜରେ ଅନୁମେୟ।” ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

Govt
Leave A Reply