ତିହିଡି,୨୪/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ କରାଯାଇଛି । ଏହି ଅବସରରେ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିଲା । ବିଏସଏସଓ ନୀହାର ରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ନୀଳମଣି ସଭାଗୃହରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ ଏବଂ ନେତୃସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡିଓ ନିରଞ୍ଜନ ବାରିକ ଓ କନିଷ୍ଠ ଯନ୍ତ୍ରୀ ସମୀର ରଞ୍ଜନ ରାଉତ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଆତଙ୍କୀ ଆକ୍ରମଣରେ ମୃତୁ୍ୟବରଣ କରିଥିବା ପର୍ଯ୍ୟଟକଙ୍କ ପାଇଁ ୨ ମିନିଟ ନୀରବ ପ୍ରାର୍ଥନ କରାଯାଇଥିଲା । ପରେ ପୁରୀରେ ହେଉଥିବା ରାଜ୍ୟସ୍ତରୀୟ ରାସନକାର୍ଡ ବଣ୍ଟନ ଉତ୍ସବକୁ ସିଧାସଳଖ ଏଲସିଡିି ଯୋଗେ ପ୍ରଦର୍ଶିତ କରାଯାଇଥିଲା । ଏଥିରେ ୩୧ ପଞ୍ଚାୟତର ନୂତନ ହିତାଧିକାରୀଙ୍କ ପ୍ରଥମ କରିି ୩୫ଟି କାର୍ଡ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଡିଓ ଓ ଅଧ୍ୟକ୍ଷାଙ୍କ ସହ ଅତିରିକ୍ତ ବିଡିଓ ମାନସ ଜେନା, ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ଯୁବନେତା ସୀତାକାନ୍ତ ନାୟକ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ପ୍ରଦୀପ ବଳ, ନୀହାରିକା ବିଶ୍ୱାଳ, ମଣ୍ଡଳ ସଭାପତି କେଶବ ବେହେରା, ସାଇଶରଣ ବେହେରା, ଉମାକାନ୍ତ ଦାସ, ଭରତ ସାହୁ, ଉଷାକାନ୍ତ ନାୟକ ପ୍ରମୁଖ ସାମିଲ ହୋଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ତିହିଡି ବ୍ଳକରେ ୪୮ ହଜାର ୬୫୨ ଜଣ ରାସନକାର୍ଡ ହିତାଧିକାରୀ ଅଛନ୍ତି । କିନ୍ତୁ ନୂଆକରି ଦରଖାସ୍ତ କରିଥିବା ହିତାଧିକାରୀଙ୍କ ମଧ୍ୟରୁ ୨୧ଶହ ଜଣଙ୍କୁ ନୂଆ କାର୍ଡ ପ୍ରଦାନ ପାଇଁ ପ୍ରସ୍ତୁତି ହୋଇଛି । ଆଜି ୩୫ଟି କାର୍ଡ ବଣ୍ଟନ ହୋଇଥିଲେ ମଧ୍ୟ ପ୍ରସ୍ତୁତ ହୋଇଥିବା ବାକି ୩୫ଟି କାର୍ଡକୁ ଗାଁରେ ଥିବା ହିତାଧିକାରୀଙ୍କ ନିକଟକୁ ସଂପୃକ୍ତ ପିଇଓଙ୍କ ମାଧ୍ୟମରେ ପଠାଯିବ । ତିହିଡି ବ୍ଳକରେ ଆବେଦନ କରିଥିବା ୪ ହଜାରରୁ ଅଧିକ ନୂତନ ହିତାଧିକାରୀଙ୍କ ମଧ୍ୟରୁ ୨୧ଶହ ହିତାଧିକାରୀଙ୍କୁ ୩ ମାସ ମଧ୍ୟରେ ନୂତନ କାର୍ଡ ବଣ୍ଟନ କରାଯିବ ।