ତିହିଡି ପାଇଁ ସୁନାମ ଆଣିଲେ ସିଦ୍ଧି ତ୍ରିପୁରା ଦାସ : ଜାତୀୟ ସ୍ତରୀୟ ଓଡିଶୀ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତାରେ ହେଲେ ପ୍ରଥମ
ତିହିଡି,୨୯/୦୩: ଉତ୍ତରାଖଣ୍ଡର ବୃନ୍ଦାବନ ଠାରେ ଅନ୍ତର୍ଜାତୀୟ ନୃତ୍ୟ ଶିଳ୍ପୀ ଅଳକା ସିଂ ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ତାଜ ମହୋତ୍ସବ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାର କନିଷ୍ଠ ବିଭାଗରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ହାସଲ କରିବା ସହିତ ଉତ୍ତରାଖଣ୍ଡର ‘ରସ’ ମହୋତ୍ସବରେ ସ୍ୱତନ୍ତ୍ର ଭାବେ ସମ୍ମାନୀତ ହୋଇଛନ୍ତି ଭଦ୍ରକ ମାଟିର ଝିଅ ସିଦ୍ଧି ତ୍ରିପୁରା ଦାସ । ଭଦ୍ରକ କାରମେଲ ସ୍କୁଲରେ ୬ଷ୍ଠ ଶ୍ରେଣୀରେ ପାଠ ପଢୁଥିବା ତଥା ମନମୋହନ କଳା ପରିଷଦର ଗୁରୁ କେଶବ ଚନ୍ଦ୍ର କରଙ୍କ ତତ୍ତ୍ୱାବଧାନରେ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷା କରୁଥିବା ସିଦ୍ଧି ତ୍ରିପୁରା ଦାସ ତିହିଡି ବ୍ଲକ ଅନ୍ତର୍ଗତ ନୟାନନ୍ଦ ପଞ୍ଚାୟତ ନୟାନନ୍ଦ ଗାଁର ସାଧକ ପୀତାମ୍ବର ଦାସଙ୍କ ନାତୁଣୀ ଅଟନ୍ତି । ପୂର୍ବରୁ ସିଦ୍ଧି ତ୍ରିପୁରା ନିଜ ପ୍ରତିଭା ପାଇଁ ବାଲେଶ୍ୱରରୁ ଏନଓସିସିଆଇ ଚେୟାରମେନ ଆୱାର୍ଡ ମଧ୍ୟ ପାଇଛନ୍ତି । ଏହି ଖବର ପାଇବା ପରେ ନୟାନନ୍ଦ ପଞ୍ଚାୟତବାସୀ ଆନନ୍ଦ ପ୍ରକାଶ କରିବା ସହିତ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସିଦ୍ଧି ତ୍ରିପୁରା ଭଲ ପାଠ ପଢୁଥିବା ବେଳେ ଓଡିଶୀ ସଙ୍ଗୀତ ଓ ନୃତ୍ୟ ପ୍ରତି ସ୍ୱତନ୍ତ୍ର ରୁଚି ରଖିଛନ୍ତି । ଭବିଷ୍ୟତରେ ଜଣେ ଭଲ ଓଡିଶୀ ନୃତ୍ୟ ଶିଲ୍ପୀ ହେବାକୁ ସେ ଆଶା ରଖିଥିବା ପ୍ରକାଶ କରିଛନ୍ତି ସିଦ୍ଧି ତ୍ରିପୁରା ଦାସ ।