ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ , ଅନୁଗୋଳରେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୧୦ ଲକ୍ଷ ଗଛ ଲଗାଇବା – ଧର୍ମେନ୍ଦ୍ର ପ୍ରଧାନ
• ତାଳଚେର ହାଣ୍ଡିଧୁଆ ଗ୍ରାମ ଏବଂ ଗୋପାଳପ୍ରସାଦ ରିଜର୍ଭ ଫରେଷ୍ଟରେ ଗଛ ଲଗାଇଲେ କେନ୍ଦ୍ରମନ୍ତ୍ରୀ
• ଅନୁଗୋଳ ବନଖଣ୍ଡର ପଦକ୍ଷେପ ଅନ୍ତର୍ଗତ ଭ୍ରାମ୍ୟମାଣ ଚାରା ବିତରଣ ରଥ, ସୂଚନା ରଥର ଶୁଭାରମ୍ଭ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ “ମା’ ପାଇଁ ଗଛଟିଏ” ଏକ ଭାବନାତ୍ମକ ବିଚାର
• ସ୍କୁଲ ସ୍ତରରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଯୁବ ସଂଗଠନ, ସରକାରୀ ଅନୁଷ୍ଠାନ, ମାତୃଶକ୍ତି, ସ୍ୱେଚ୍ଛାସେବୀମାନଙ୍କୁ ଏହି ଅଭିଯାନରେ ଯୋଡିହେବା ପାଇଁ ଆହ୍ୱାନ
• ଅନୁଗୋଳକୁ ସବୁଜ ସହରରେ ପରିଣତ କରିବାର ଦାୟିତ୍ୱ ନେବା
ତାଳଚେର, ଜୁଲାଇ ୦୩ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଳଚେର ହାଣ୍ଡିଧୁଆ ଗ୍ରାମର ଖେଳପଡ଼ିଆ ଏବଂ ଗୋପାଳପ୍ରସାଦ ରିଜର୍ଭ ଫରେଷ୍ଟରେ ପୃଥକ ପୃଥକ ଭାବରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅନ୍ତର୍ଗତ ବୃକ୍ଷରୋପଣ ଅଭିଯାନ ଓ ୭୬ତମ ବନମହୋତ୍ସବ-୨୦୨୫ରେ ଯୋଗଦେଇଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସ୍କୁଲ ଛାତ୍ରଛାତ୍ରୀ ଓ ସାମାଜିକ ସଂଗଠନର ସଦସ୍ୟମାନଙ୍କ ସହ ମିଶି ଗଛ ଲଗାଇବା ସହ ଅନୁଗୋଳ ଜିଲ୍ଲାରେ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୧୦ ଲକ୍ଷ ଗଛ ଲଗାଇବା ପାଇଁ ସଂକଳ୍ପ କରିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ “ମା’ ପାଇଁ ଗଛଟିଏ” ଏକ ଭାବନାତ୍ମକ ବିଚାର । ପ୍ରକୃତି ମାତାକୁ ସୁରକ୍ଷା ଦେବା ପାଇଁ ସାରାଦେଶରେ ଏହି ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ଅଭିଯାନ ଏପରି ଏକ ଭବିଷ୍ୟତ ପ୍ରତି ସମର୍ପଣ, ଯେଉଁଠି ପ୍ରକୃତିର ସମ୍ମାନ ; ଆମର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପରିଗଣିତ ହେବ । ତାଳଚେର ସମେତ ଅନୁଗୋଳ ଜିଲ୍ଲାରେ କୋଇଲା ଉତ୍ପାଦନ ହେବା କାରଣରୁ ଏଠାରେ ବହୁମାତ୍ରାରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି । ଦେଶରେ ପ୍ରଗତି ପାଇଁ କୋଇଲା ଉତ୍ପାଦନ ସହ ପରିବେଶର ସୁରକ୍ଷା କରିବା ମଧ୍ୟ ଜରୁରି । ତେଣୁ ପ୍ରଦୂଷଣ ହ୍ରାସ ପାଇଁ ଆମେ ସମସ୍ତେ ଗଛ ଲଗାଇବା ଦରକାର । ସ୍କୁଲ ସ୍ତରରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଯୁବ ସଂଗଠନ, ସରକାରୀ ଅନୁଷ୍ଠାନ, ମାତୃଶକ୍ତି, ସ୍ୱେଚ୍ଛାସେବୀମାନଙ୍କୁ “ଏକ୍ ପେଡ୍ ମା’ କେ ନାମ ୨.୦ ଅଭିଯାନରେ ଯୋଡି ଅନୁଗୋଳକୁ ସବୁଜ ସହରରେ ପରିଣତ କରିବାର ଦାୟିତ୍ୱ ନେବା ଦରକାର ।
ସେ ଆହୁରି କହିଛନ୍ତି, ଚଳିତଥର ଅନୁଗୋଳ ବନଖଣ୍ଡରେ ପୂର୍ବ ବର୍ଷ ଅପେକ୍ଷା ଦୁଇ ଗୁଣା ଅର୍ଥାତ୍ ୭ ଲକ୍ଷ ୫୦ ହଜାର ଗଛ ଲଗାଯିବାର ଯୋଜନା ରହିଛି । ତେବେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଅନୁଗୋଳରେ ୧୦ ଲକ୍ଷ ଚାରା ଲଗାଇବା ସହ ଏହି ପରମ୍ପରାକୁ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଅବ୍ୟାହତ ରଖିବା ପାଇଁ ଆମେ ସଂକଳ୍ପ ନେବା ଦରକାର । ଗଛର ଯତ୍ନ ନେବା ସହ ଏହାକୁ ଜନଆନ୍ଦୋଳନର ରୂପ ଦେବା । ବନୀକରଣରେ ତାଳଚେର ସମେତ ଅନୁଗୋଳର ପରିଚୟ ସୃଷ୍ଟି କରିବାକୁ ସେ ଅପିଲ୍ କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୋଳ ବନଖଣ୍ଡର ପଦକ୍ଷେପ ଅନ୍ତର୍ଗତ ଭ୍ରାମ୍ୟମାଣ ଚାରା ବିତରଣ ରଥ, ସୂଚନା ରଥ, ସବୁଜ ଅନୁଗୋଳ ମୋବାଇଲ ଆପ୍, ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଟ୍ରକ, ଅନୁଗୋଳ ଫରେଷ୍ଟ ଡିଭିଜନ ୱେବସାଇଟ୍ ଓ ଅନ୍ୟାନ୍ୟ ପୋର୍ଟାଲ ଆଦି ଶୁଭାରମ୍ଭ କରିଥିଲେ । ଅନୁଗୋଳରେ ବୃକ୍ଷରୋପଣ ଅଭିଯାନକୁ ଏକ ଜନଆନ୍ଦୋଳନର ରୂପ ଦେବା ସହ ଜନସାଧାରଣଙ୍କ ମଧ୍ୟରେ ସମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଏପରି ପଦକ୍ଷେପକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ ।
