ତାଳଚେର ତା ୦୨/୦୭ ଦୀର୍ଘଦିନରୁ ତାଳଚେରବାସୀଙ୍କ ନ୍ୟାର୍ଯ୍ୟଦାବି ପାଇଁ ବାରମ୍ବାର ପ୍ରଶାସନ, ସରକାରଙ୍କୁ ଅବଗତ କରାଉଥିଲେ ମଧ୍ୟ ଏଥିପ୍ରତି କେହି ହେଲେ ସାମାନ୍ୟତମ ଦୃଷ୍ଟି ନଦେବା ତାଳଚେରବାସୀଙ୍କ ପାଇଁ ଅଭିଶାପ ପାଲଟିଛି ବୋଲି ଚର୍ଚ୍ଚା ଯୋରଧରିଛି । ତାଳଚେରରେ ଦିନକୁ ଦିନ ଖଣିଖାଦାନ ବଢ଼ିଯାଉଥିବାରୁ ବାୟୁ ଜଳ, ସ୍ଥଳ, ଆକାଶ ଆଜି ପ୍ରଦ୍ୟୁଷଣର କାୟା ମେଲାଇଛି । ରାସ୍ତା, ଘର ଇତ୍ୟାଦିରେ କୋଇଲା ମିଶ୍ରିତ ଧୂଳିଧୂଆଁ ଯୋଗୁଁ ଏଠିକାର ଅଂଚଳବାସୀ ତ୍ରାହିତ୍ରାହି ଡ଼ାକ ଦେଉଥିବା ବେଳେ ଏହି ଡ଼ାକ କାହାରି କାନକୁ ବାଜୁନଥିବା କଟାଘା’ରେ ଚୂନଦେଲାଭଳି ସଦୃଶ୍ୟ ପାଲଟିଛି । ଏଠିକାର ଲୋକପ୍ରତିନିଧିମାନେ କଳେବଳେ କୌଶଳେ ଲୋକଙ୍କ ଠାରୁ ଭୋଟ ଆତେଇ ସାରିବା ପରେ ସାଜିଛନ୍ତି ନିଦାବିଷ୍ଣୁ । ସେହିପରି ଲୋକପ୍ରତିନିଧି ମାନଙ୍କୁ ଅନୁକରଣ କରି ଏଠିକାର ପ୍ରଶାସନ ମଧ୍ୟ ନିରବଦ୍ରଷ୍ଟା ସାଜି ନିଜର ଅଭିଳାଷ ପୂର୍ଣ୍ଣକରି ଜେନତେନ ଉପାୟରେ କୁର୍ସିକୁ ସୁରକ୍ଷିତ ରଖିଥାନ୍ତି ବୋଲି କୁହାଯାଉଛି ।
ତାଳଚେର ଅଂଚଳରେ ସ୍ୱାସ୍ଥ୍ୟପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଦୃଢ଼ ଭିତିଭୂମି ନଥିବା ବେଳେ ଏମସିଏଲ ପ୍ରାୟ ୫ଶହକୋଟି ଟଙ୍କା ବିନିମୟରେ ୫ଶହ ଶଯ୍ୟା ବିଶିଷ୍ଟ ସାଙ୍ଗକୁ ଶହେ ଛାତ୍ରଛାତ୍ରୀ ଡ଼ାକ୍ତରୀ ପାଠପଢ଼ିବା ନେଇ ଆଜକୁ ଦୀର୍ଘ ତିନିବର୍ଷରୁ ଉର୍ଦ୍ଧ୍ୱ ଘଂଟପଡ଼ା ନିକଟସ୍ଥ ଜଗନ୍ନାଥ ଜିଏମ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ କୋଠରୀ ନିର୍ମିତ ହୋଇ ଏହା ଭୂତ କୋଠି ଅବସ୍ଥା ଦେଖା ଦେଇଥିଲେ ମଧ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଏପର୍ଯ୍ୟନ୍ତ ଭାଙ୍ଗୁନଥିବା ଆଶ୍ଚର୍ଯ୍ୟ ଜନକ ବିଷୟ ହୋଇଛି । ସମ୍ଭବତଃ ରାଜନୈିତକ ଅଭିସନ୍ଧି ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତୁତୁ ମେଁମେଁକୁ ନେଇ ଆଜି ତାଳଚେର ନିର୍ମିତ ହୋଇଥିବା ମେଡ଼ିକାଲ କଲେଜର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଥିବା ମନେ ହେଉଛି । ଏଥିନେଇ ବାରମ୍ବାର ଆପତି ଅଭିଯୋଗ ପରେ ଆନ୍ଦୋଳନ କଲେ ମଧ୍ୟ ତାଳଚେର ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ଓ ରାଜନୈତିକ ବ୍ୟକ୍ତି ବିଶେଷମାନେ ବିଭିନ୍ନ ଆଳଦେଖାଇ ଭୂଆଁ ବୁଲାଉଥିବା ଆଜିର ଏହି ଉପଜିଲ୍ଳାପାଳ ବୈଠକରୁ ସ୍ପଷ୍ଟବାରି ହେଉଛି ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଉଛି ।
ଏହି ମେଡ଼ିକାଲ କଲେଜକୁ କାର୍ଯ୍ୟକାରୀ କରିବା ନେଇ ଆଗରୁ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୁଇଦୁଇ ଥର ତାଳଚେର ବନ୍ଦ ସାଙ୍ଗକୁ ୭୨ ଘଂଟିଆ ଅର୍ଥନୈତିକ କରିବା ନେଇ ଡ଼ାକରା ଦିଆଯାଇଥିଲା । ମାତ୍ର ଉକ୍ତ କମିଟିର ସଦସ୍ୟମାନଙ୍କୁ ଡ଼କାଇ ଉପଜିଲ୍ଳାପାଳ ଅର୍ଥନୈତିକ ଅବରୋଧ ନକରିବାପାଇଁ ଅନୁରୋଧ କରିଥିଲେ । ଏହି ଅନୁରୋଧକୁ ସମ୍ମାନଦେଇ କ୍ରିୟାନୁଷ୍ଠାନ କମିଟି ଏଥିରୁ ଦୁଇଦୁଇ ଥର ଓହରି ଯାଇଥିଲା । ମାତ୍ର ଫଳ କିଛି ନମିଳିବାରୁ ଚଳିତମାସ ୪ତାରିଖ ପୁନଶ୍ଚ ଆନ୍ଦୋଳନ କରିବାକୁ ଡା଼କରା ଦେଇଥିଲା । ଏହାକୁ ନେଇ ଆଜି ଉପଜିଲ୍ଳାପାଳ ତାଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଡ଼କାଇ ଅନୁରୂପ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର କ୍ରିୟାନୁଷ୍ଠାନ କମିଟି ଅସନ୍ତୋଷ ପ୍ରକାଶ କରି ଚଳିତମାସ ୪ତାରିଖ ଦିନ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରିବାପାଇଁ ଦୃଢ଼ନିଷ୍ପତି ନେବାସହ ଯୋରଦାର ପ୍ରପାଗଣ୍ଡା ଆରମ୍ଭ କରିଦେଇଥିବା ଜଣାପଡ଼ିଛି । ତେବେ ଏଠାରେ କୁହାଯାଏ ତାଳଚେର ଲୋକଙ୍କ ଜୀବନ ଆଗ ନା କୋଇଲା?