ସୋର ତା ୧୮/ ୭- ସୋର ନାଗରିକ ମଞ୍ଚର ଜରୁରୀ ବୈଠକ ମଞ୍ଚର ସଭାପତି ନେତ୍ରାନନ୍ଦ ରାଉତଙ୍କ ସଭା ପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ମଞ୍ଚର ବରିଷ୍ଠ ସଦସ୍ୟ ଶିକ୍ଷାବିତ ଶ୍ୟାମସୁନ୍ଦର ପ୍ରଧାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସମ୍ପାଦକ ନରହରି ନାୟକ ଗତ ବୈଠକର ନିଷ୍ପତ୍ତି ଓ କାର୍ଯ୍ୟକାରୀ ସମ୍ପର୍କରେ ଅବଗତ କରାଇବା ସହ, ଜାତୀୟ ରାଜପଥର କଲେଜ ଛକ ଏବଂ ଉତ୍ତରେଶ୍ୱରରେ ଥିବା ସଂକୀର୍ଣ୍ଣ ଗଳାପୋଲର ହେବାକୁ ଥିବା ସମ୍ପ୍ରସାରଣ ପ୍ରାୟ ଅନିଶ୍ଚିତ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବାର ପ୍ରକାଶ କରିଥିଲେ। ବିଗତ ଦୁଇ ବର୍ଷ ଧରି ଏହି ଦୁଇଗୋଟି ଅଣ ଓସାରିଆ ଗଳାପୋଲକୁ ଓସାରିଆ କରାଯିବା ପାଇଁ ନାଗରିକ ମଞ୍ଚ ତଥା ବିଭିନ୍ନ ଗଣ ସଂଗଠନ ମାନଙ୍କ ଦାବି ଫଳରେ, ଜାତୀୟ ରାଜମାର୍ଗ ଅଧିକାରୀ ଉଭୟ ପୋଲକୁ ୭୦ ଫୁଟ ଓସାରିଆ କରାଯିବା ସହ ଆବଶ୍ୟକ ଅର୍ଥ ମଧ୍ୟ ମଞ୍ଜୁର କରିଛନ୍ତି।କିନ୍ତୁ ଦାୟିତ୍ୱରେ ଥିବା ବିଭାଗୀୟ ପ୍ରକଳ୍ପ ନିର୍ଦେଶକଙ୍କ ମନାମାନୀ ଯୋଗୁଁ ଏହିକାର୍ଯ୍ୟ ଆଗେଇ ପାରୁ ନାହିଁ। ଅନ୍ୟପଟେ ଜାତୀୟ ରାଜପଥ କଲେଜ ଛକ ଠାରୁ ପାଇକାଳୀ ପର୍ଯ୍ୟନ୍ତ ରାଜପଥର ଦୁଇପାର୍ଶ୍ଵରେ ପର୍ଯ୍ୟାପ୍ତ ଜଳ ନିଷ୍କାସନ ସୁବିଧା ନଥିବାରୁ ରାସ୍ତା ବୁଡିରହିବା ସହ ବାସଗୃହ, ବ୍ୟବସାୟ ପ୍ରତିଷ୍ଠାନରେ ଉଦବୃତ୍ତ ଜଳ ପ୍ରବେଶ କରୁଛି। ନାଗରିକ ମଞ୍ଚ ଏସମ୍ପର୍କରେ ବାରମ୍ବାର ପ୍ରକଳ୍ପ ନିର୍ଦେଶକଙ୍କ ସହ ଆଲୋଚନା ପରେମଧ୍ୟ ସୁଫଳ ନମିଳିବାରୁ ଅଗଷ୍ଟ ୧ ତାରିଖରେ ଜାତୀୟ ରାଜପଥ ଅବରୋଧ ପାଇଁ ଦେଢ଼ ମାସ ପୂର୍ବରୁ ଚିଠି ଲେଖା ଯାଇଥିଲେ ମଧ୍ୟ ଜାତୀୟ ରାଜ ପଥ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନଙ୍କ ଉଦାସୀନତା ପାଇଁ,ନାଗରିକ ମଞ୍ଚ ବାଧ୍ୟ ହୋଇ ଆସନ୍ତା ଅଗଷ୍ଟ ଏକ ତାରିଖ ୨୦୨୪ ଗୁରୁବାର ଦିନ ଜାତୀୟ ରାଜପଥ ଅବରୋଧ କରିବାକୁ ନିଷ୍ପତ୍ତି ନେଇଛି। ଏହି ବୈଠକରେ ନବକିଶ୍ୱର ଦାସ, ଗଙ୍ଗାଧର ପାଢୀ, ମାୟାଧର ନାୟକ, ମନୋଜ କୁମାର ରାୟ ,ଜିତେନ୍ଦ୍ର କୁମାର ବେହେରା,ଜଗନ୍ନାଥ ବାରିକ, ନିତ୍ୟାନନ୍ଦ କର , ଅଦୈତ୍ଯ କୁମାର କର,ନିତ୍ୟାନନ୍ଦ ପାଣିଗ୍ରାହୀ ,ପଙ୍କଜ କୁମାର ପଣ୍ଡା,କଟଚନ୍ଦ୍ର ବେହେରା,ସୁରେନ୍ଦ୍ର ପାଣିଗ୍ରାହୀ,ସୁରେନ୍ଦ୍ର ବାରିକ,ଚକ୍ରଧର ପାଢୀ,ଶ୍ରୀଧର ପତ୍ରି,ଉଦ୍ଧବ ଚରଣ ବିଶ୍ୱାଳ ପ୍ରଭୃତି ଯୋଗଦେଇଥିଲେ।
