Odisha news

କେଶପୁର ହରିବୋଲ କ୍ଷେତ୍ରରୁ ବାହାରି ମୋଡସାହି ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିଲା ତିନି ରଥ

0

ତିହିଡି, ୨୭/୦୬(ଯଦୁମଣି ପାଣିଗ୍ରାହୀ): ଆଜି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଭଦ୍ରକ ବ୍ଲକ ଅନ୍ତର୍ଗତ କେଶପୁର ହରିବୋଲ କ୍ଷେତ୍ରରୁ ତିନି ରଥ ବାହାରି ସନ୍ଧ୍ୟା ବେଳେ ତିହିଡି ବ୍ଲକ ଅନ୍ତର୍ଗତ ଗୁଆମାଳ ପଞ୍ଚାୟତ ମୋଡସାହି ଠାରେ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିଛି । ତେବେ ଅପରାହ୍ଣରେ ପ୍ରବଳ ବର୍ଷା ସତ୍ତ୍ୱେ ସମବେତ ହଜାର ହଜାର ଭକ୍ତ ଅତ୍ୟନ୍ତ ନିଷ୍ଠା ଓ ଉକ୍ରଣ୍ଠାର ସହିତ ତିନି ରଥକୁ ଟାଣି ଟାଣି ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିଥିଲେ । ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ଅପରାହ୍ଣ ପ୍ରାୟ ୨-୩୦ ବେଳେ ଛେରାପହଁରା କାର୍ଯ୍ୟ ସମାପନ କରିବା ପରେ ଅପରାହ୍ଣ ପ୍ରାୟ ୩ଟା ବେଳେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । କେଶପୁର ରଥ କମିଟିର ସଭାପତି ନଗେନ୍ଦ୍ର ଦାସ,ସମ୍ପାଦକ ପତିତପାବନ ପଣ୍ଡା, ସଭ୍ୟ ସରୋଜ ପଣ୍ଡା ଓ ଶ୍ରୀଧର ପୁହାଣ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ସମସ୍ତ କାଯ୍ୟ ପରିଚାଳିତ ହୋଇଥିଲା । ବିଭିନ୍ନ ଅଞ୍ଚଳରୁ କୀର୍ତ୍ତନ ମଣ୍ଡଳୀ ମାନ ଯୋଗଦେଇ ରଥ ଆଗରେ ମୃଦଙ୍ଗ, ଘଣ୍ଟଘଣ୍ଟା ଆଦି ବାଦ୍ୟ ପରିବେଷଣ କରିବା ସହିତ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ତେଲିଙ୍ଗି ବାଜା ଠାରୁ ଆରମ୍ଭ ରଙ୍ଗଢୋଲ ଦଳ ଗୁଡିକ ପକ୍ଷରୁ ରଥ ଆଗରେ ଆକର୍ଷଣୀୟ ବାଦ୍ୟ ପରିବେଷଣ କରାଯାଇଥିଲା । କେଶପୁରରୁ ୩ କିମି ବ୍ୟାପୀ ରାସ୍ତାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଲାଗି ବିଭିନ୍ନ ଖାଦ୍ୟପେୟର ବ୍ୟବସ୍ଥା ସହିତ ଟଙ୍କତୋରାଣି ଆଦି ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ମା’ ସୁଭଦ୍ରା ରଥକୁ ମହିଳା ମାନେ ଟାଣିଥିବା ବେଳେ ରଥ ଆଗରେ ମହିଳା କୀର୍ତ୍ତନ ମଣ୍ଡଳୀ ଗୁଡିକ ପକ୍ଷରୁ ବାଦ୍ୟ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ମୋଡସାହି ମାଉସୀ ମା’ ମନ୍ଦିର ନିକଟରେ ତିନି ରଥ ୯ ଦିନ ଧରି ରହିବା ସହିତ ବିଧି ଅନୁସାରେ ସବୁଦିନେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ନୀତିକାନ୍ତି ସମ୍ପାଦିତ ହେବ । ସେହିପରି ମାଉସୀ ମା’ଙ୍କ ମନ୍ଦିର ଆଗରେ ୪ ଦିନ ବ୍ୟାପୀ ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବ ବୋଲି ମାଉସୀ ମା’ ମନ୍ଦିର କମିଟିର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ଭରତ ଚନ୍ଦ୍ର ସାହୁ, ଦିପ୍ତୀ ଖୁଣ୍ଟିଆ, ମନୋରଞ୍ଜନ ଖୁଣ୍ଟିଆ, ସନାତନ ଜେନା, ପ୍ରକାଶ ଖୁଣ୍ଟିଆ, ନିଲୁ ବେହେରା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରବି ନାରାୟଣ ସାମଲ ଓ ଦୀଲ୍ଲୀପ ଖୁଣ୍ଟିଆ ପ୍ରମୁଖଙ୍କ ସୂତ୍ରରୁ ଜଣାଯାଇଛି । ଦୀର୍ଘ ୧୪ ବର୍ଷ ହେଲା ଏହି ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଭଦ୍ରକ ଓ ତିହିଡି ବ୍ଲକ ମଧ୍ୟରେ ଏହା ଏକ ଭାଇଚାରାର ସମ୍ପର୍କ ସୃଷ୍ଟି କରିପାରିଛି ।

Nalco
Leave A Reply