ରାଜନଗର : ୧୦/୪ ରାଜନଗରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଡବ୍ଲୁଟିଆଇ ପକ୍ଷରୁ ଦିନିକିଆ ଭିତରକନିକା ମ୍ୟାନଗ୍ରୁଭ ପିଟା ବିରଳ ପକ୍ଷୀଙ୍କର ଜୀବନ ଶୈଳୀ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅତୁଳ ବଳଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ବିଶିଷ୍ଟ ପକ୍ଷୀ ବିଷାରଦ ପ୍ରଫେସର ପ୍ରମୋଦ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ପକ୍ଷୀ ଜଗତରେ ବିସ୍ମୟ କୌତୁକିଆ ନବରଙ୍ଗୀ ଚଢେଇ (ମ୍ୟାନଗ୍ରୁଭପିଟା)ର ଜୀବନ ଶୈଳୀ ଉପରେ ବିସ୍ତୃତ ଆଲୋଚନା କରିବା ସହିତ ହେନ୍ତାଳବଣ ଅଭିବୃଦ୍ଧି କ୍ଷେତ୍ରରେ ଏହି ଟିକି ଚଢେଇ ମାନଙ୍କର ବିଶେଷ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ । ସେଂଚୁରିଆନ ୟୁନିଭରସିଟିର ଆସୋସିଏଟ ପ୍ରଫେସର ତଥା ପ୍ରାଣୀ ବୈଜ୍ଞାନିକ ଡଃ. ଶିବ ପ୍ରସାଦ ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରକୃତିର ଅନନ୍ୟ ଉପହାର ଭିତରକନିକାରେ ବସବାସ କରୁଥିବା ବିରଳ ମ୍ୟାନଗ୍ରୁଭ ପିଟାର ସ୍ୱରୂପ ତାର ଭିନ୍ନ ଜୀବନୀଶୈଳୀ, ଖାଦ୍ୟପେୟ, ପ୍ରଜନନ ପକ୍ରିୟା ଉପରେ ଆଲୋଚନା କରିବା ସହିତ ଏଥିରେ ଯୋଗଦେଇଥିବା ବିଜ୍ଞାନୀ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏସିଏଫ ମାନସ କୁମାର ଦାସ, ନିଳାଦ୍ରୀ ଭୂଷଣ କର, ଅରବିନ୍ଦ ସାମଲ ପ୍ରମୁଖ ଯୋଗଦେଇ ନବରଙ୍ଗୀ ଚଢେଇ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଡଃ. ସୁମନ ଦାସ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିବା ବେଳେ ରିସୋର୍ସ ପର୍ସନ ଶୁଭଦର୍ଶିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟଯେ ଏହି ବିରଳ ପକ୍ଷୀ ଭିତରକନିକା, ସୁନ୍ଦରବନ, ମିଆଁମାର ସମେତ ସିଙ୍ଗାପୁର, ମାଲେସିୟା, ଇଣ୍ଡୋନେସିଆ, ଆଇଲ୍ୟାଣ୍ଡ ପ୍ରଭୃତି ଦେଶରେ ଦେଖାଯାଆନ୍ତି । ଛୋଟ ଛୋଟ ହେନ୍ତାଳ ଗଛ ମୂଳରେ ଏହି ଚଢେଇ ବସା ବାନ୍ଧି ଅଣ୍ଡା ଦେଇଥାଏ । ଏପ୍ରିଲ ରୁ ଅଗଷ୍ଟ ଭିତରେ ତାର ପ୍ରଜନନ ପକ୍ରିୟା ଶେଷ କରିଥାଏ । ଏହି ଚଢେଇ ୨ ରୁ ୪ଟି ଅଣ୍ଡା ଦେଇଥାଏ । ୧୮ ରୁ ୨୦ ଦିନ ଭିତରେ ଅଣ୍ଡାରୁ ଛୁଆ ଫୁଟେ । ନିକଟ ଅତୀତରେ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଗଣନା ସମୟରେ ୧୦୦ ରୁ ଉର୍ଦ୍ଧ୍ୱ ପକ୍ଷୀଙ୍କୁ ଭିତରକନିକା ଜାତୀୟ ଉଦ୍ୟାନରେ ଦୃଶ୍ୟମାନ ହେଉଥିବା ଜଣାପଡିଛି । ୧୯୬୩ ମସିହାରେ ଜର୍ମାନୀର ପ୍ରସିଦ୍ଧ ପକ୍ଷୀ ବିଷାରଦ ହର୍ମାନ ସ୍ଲେଜର ପ୍ରଥମେ ଏହି ପକ୍ଷୀଙ୍କୁ ଆବିଷ୍କାର କରି ଇନ୍ଦ୍ରଧନୁର ରଙ୍ଗ ସହ ତୁଳନା କରିଥିଲେ ।