ରାଜକନିକା,୧୬/୮ :ରାଜକନିକା ବ୍ଲକ୍ ମଙ୍ଗଳପୁର ଗ୍ରାମରେ ମଙ୍ଗଳବାର କନିକା ତହସିଲଦାର ପ୍ରେମାନନ୍ଦ ବେହେରାଙ୍କୁ ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଆଠ ଘଣ୍ଟା ଅଟକ ରହିଥିଲେ । ତହସିଲଦାର ଗ୍ରାମବାସୀଙ୍କୁ ପ୍ରତିଶୃତି ଦେବା ପରେ ମୁକୁଳିଥିବାର ଜଣାପଡ଼ିଛି । ଖବରମୁତାବକ ଦଶଭଗାରିଆ ଗାଁର ଜଣେ ବ୍ୟକ୍ତି ମଙ୍ଗପୁର ମୌଜାର ନିଜ ଘର ଆଗରେ ରହିଥିବା ଏକ ସରକାରୀ ଜାଗାକୁ ମାଡ଼ି କୋଠାଘର ନିର୍ମାଣକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ଗ୍ରାମବାସୀଙ୍କ କହିବା କଥାଯେ, ଆମ ମୌଜାରେ ରାସ୍ତା ପାଖକୁ ଲାଗି ଥିବା ସରକାରୀ ଜାଗାକୁ ମାଡ଼ି କୋଠାଘର ନିର୍ମାଣ କରିଛନ୍ତି ।
ଏହି ଘଟଣା ସଂପର୍କରେ କନିକା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ତହସିଲଦାର କୌଣସି କଥା ବୁଝିନଥିଲେ । ବରଂ କୋଠାଘର ଛାତ ଗତ ରାତିରେ ପଡ଼ିବା ପରେ ଆଜି ସକାଳୁ ତହସିଲଦାର ସ୍ଥାନୀୟ ପୁଲିସଙ୍କୁ ସଙ୍ଗରେ ଧରି ଘଟଣା ସ୍ଥଳରେ ପହଂଚିଥିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ମଙ୍ଗଳପୁର ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଂଚି ମହିଳାମାନଙ୍କ ସହିତ ରାସ୍ତା ଅବରୋଧ କରି ପୁଲିସ ଗାଡ଼ି ଏବଂ ତହସିଲଦାରଙ୍କ ଗାଡ଼ି ଆଗରେ ବସିରହିଥିଲେ । ଏହି କାରଣକୁ ନେଇ ତୀବ୍ର ଉତ୍ଥେଜନା ଦେଖାଦେଇଥିଲା । ଏହି ଘଟଣା ସଂପର୍କରେ କନିକା ତହସିଲଦାରକୁ ପଚାରିବାରୁ ସେ କହିଛନ୍ତିଯେ, ମତେ ଅଟକ ରଖାଯାଇନାହିଁ । ସମାଧାନ ହେବା ପର୍ଯ୍ୟନ୍ତ ମୁଁ ଏଠାରେ ରହିଛି ବୋଲି କହିଥିଲେ । ଅପରାହ୍ଣ ୫ଟାରେ ତହସିଲଦାର ଖୁବ୍ ଶୀଘ୍ର ସରକାରୀ ଜାଗା ଚିହ୍ନଟ କରି ନିୟମ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶୃତି ଦେବା ପରେ ଗ୍ରାମବାସୀମାନେ ତହସିଲଦାରଙ୍କୁ ଛାଡ଼ିଥିଲେ ।
