Odisha news

ଗରିବ ସବୁଦିନ ପାଇଁ ଗରିବ? ,ଚଳିତ ବଜେଟ୍ ପୁସ୍ତିକାରେ ରାଜ୍ୟରେ ୭୦ ଲକ୍ଷ ପରିବାର ବା ଅତି କମ୍‌ରେ ୨କୋଟି ୮୦ ଲକ୍ଷ ଲୋକେ ଗରିବ ଅଛନ୍ତି ବୋଲି ସରକାର ସ୍ୱୀକାର

0

ଓଡ଼ିଶାରେ ଜନସଂଖ୍ୟା ବୃଦ୍ଧି ସହ ତାଳ ଦେଇ ଗରିବୀ ବଢି ଚାଲିଛି ଓ ଦାରିଦ୍ର‌୍ୟ ଦୂରୀକରଣ ଯୋଜନା ସଂଖ୍ୟା ବୃଦ୍ଧି ସହ ତାଳ ଦେଇ ଅନାହାର, ଅଳ୍ପାହାର ଓ ଅର୍ଦ୍ଧାହାର ଜନିତ ଆର୍ତ୍ତ ଚିତ୍କାର ଶୁଣିବାକୁ ମିଳୁଛି । ଚଳିତ ବଜେଟ୍ ପୁସ୍ତିକାରେ ରାଜ୍ୟରେ ୭୦ ଲକ୍ଷ ପରିବାର ବା ଅତି କମ୍‌ରେ ୨କୋଟି ୮୦ ଲକ୍ଷ ଲୋକେ ଗରିବ ଅଛନ୍ତି ବୋଲି ସରକାର ସ୍ୱୀକାର କରିବା ଘଟଣା ଅର୍ଥନୀତିଜ୍ଞ ଓ ବୁଦ୍ଧିଜୀବୀ ମାନଙ୍କୁ ସ୍ତବ୍ଧ କରିଦେଇଛି । ଅନେକ ବର୍ଷ ତଳୁ ଆମଦେଶରେ ଗରିବୀ ହଟାଇବାକୁ ଜୋରଦାର ଉଦ୍ୟମ ଚାଲିଆସିଛି । ମାତ୍ର ବର୍ଷ ପରେ ବର୍ଷ ଅତିକ୍ରମ କରି ଚାଲିଥିଲେ ହେଁ ଗରିବି ହଟୁନି! ତେବେ କିଛି ବର୍ଷ ତଳୁ ଏହାକୁ ଏକ ନୂଆ ରୂପ ଦିଆଯାଇଛି ।

ଦାରିଦ୍ର‌୍ୟ ସୀମାରେଖା ତଳେ ଅର୍ଥାତ୍ ପୂର୍ବରୁ କେବଳ ଗରିବୀ ଥିଲା, ଏବେ ଏହାଠୁ ବି ଲୋକେ ତଳେ ଅଛନ୍ତି । ଏହାକୁ ଇଂରାଜୀରେ କହନ୍ତି, ବିଲୋ ପଭର୍ଟି ଲାଇନ୍ ଓ ଏହାର ସଂକ୍ଷିପ୍ତ ନାମ ହେଉଛି ବିପିଏଲ୍ । ସାଂପ୍ରତିକ ପରିସ୍ଥିତିରୁ ଜଣା ପଡୁଛି ଯେ, ନିକଟ ଭବିଷ୍ୟତରେ ଏହାର ରୂପ ଆଉ କିଛି ବଦଳିପାରେ । ଯେହେତୁ ବିପିଏଲ୍ ତଳେ ବି ଲୋକେ ରହିଥିବା ସ୍ପଷ୍ଟ ଦେଖା ଯାଉଛି । କ୍ରମେ ଦେଶରୁ ଦାରିଦ୍ର‌୍ୟ ହ୍ରାସ ପାଉ ଥିବା କୁହା ଯାଉଥିଲେ ହେଁ ଏଥିନେଇ ବିଭିନ୍ନ ମହଲରେ ସନ୍ଦେହ ହେଉଛି । ସରକାରୀ ରିପୋର୍ଟ ଅନୁଯାୟୀ ୧୯୭୭-୭୮ମସିହାରେ ଦେଶର ଗ୍ରାମାଞ୍ଚଳରେ ୫୩.୧ ଭାଗ ଓ ସହରାଞ୍ଚଳରେ ୪୫.୨ ଭାଗ ଲୋକେ ଦରିଦ୍ର ଥିଲାବେଳେ ୧୯୮୩ ରେ ଏହା ଯଥାକ୍ରମେ ୪୫.୭ ଓ ୪୦.୮ ଭାଗ,୧୯୯୯-୨୦୦୦ରେ ୨୭.୧ ଓ ୨୩.୬ ଏବଂ ୨୦୦୭ ରେ ୨୧.୧ ଓ ୧୫.୧ରେ ପହଞ୍ଚିଥିଲା । ଜାତୀୟ ନମୂନା ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ଦେଶରେ ୧୫% ଦାରିଦ୍ର‌୍ୟ କମିଥିଲା ।

ଆଉରି ମଧ୍ୟ ୨୦୧୬ ସୁଦ୍ଧା ଏହା ୧୫% କୁ କମିବାର ଆଶାବ୍ୟକ୍ତ କରାଯାଇଥିଲା । କିନ୍ତୁ ଏବେର ସର୍ଭେ ରିପୋର୍ଟ ଆଧାରରେ ଏହି ହିସାବରେ ପରିବର୍ତ୍ତନ ହୋଇ ଯାଇଛି । ଚଳିତ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ଦେଶରେ ବିହାର ସବୁଠୁ ଦରିଦ୍ରତମ ରାଜ୍ୟ, ଯେଉଁଠି ଦାରିଦ୍ର‌୍ୟ ହାର ୩୩.୭୦% ରହିଛି । ଦାରିଦ୍ର‌୍ୟର ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଏଠାରେ ୩୨.୫୯% ଲୋକେ ଦାରିଦ୍ର‌୍ୟ ସୀମାରେଖା ତଳେ ରହିଛନ୍ତି । ସେହିପରି ଓଡ଼ିଶାରେ ମୁଣ୍ଡପିଛା ଆୟ ନୈରାଶ୍ୟଜନକ ରହିଛି । ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟ ୯୨,୫୬୮ ଟଙ୍କା ଥିବାବେଳେ ଓଡ଼ିଶାରେ ୬୯,୮୬୪ ଟଙ୍କା, ହରିୟାନାରେ ୧,୫୭,୬୪୯ଟଙ୍କା, ଗୁଜୁରାଟରେ ୧,୪୪.୦୯୦, ହିମାଚଳ ପ୍ରଦେଶରେ ୧,୨୮,୪୪୦ ଟଙ୍କା, ଆନ୍ଧ୍ରପ୍ରଦେଶରେ ୧,୦୬,୮୬୪ଟଙ୍କା, ମଧ୍ୟପ୍ରଦେଶରେ ୫୫,୬୭୭୯ଟଙ୍କା, ଆସାମରେ ୫୭,୦୯୯ଟଙ୍କା, ଉତ୍ତର ପ୍ରଦେଶରେ ୪୧,୦୮୨ ଟଙ୍କା ଓ ବିହାରରେ ୪୩,୮୨୨ଟଙ୍କା, ମହାରାଷ୍ଟରେ ୧,୪୧,୧୫୨ ଟଙ୍କା, କର୍ଣ୍ଣାଟକରେ ୧,୪୨,୯୪୩ ଟଙ୍କା, କେରଳରେ ୧,୩୬,୩୬୪ ଟଙ୍କା, ପଞ୍ଜାବରେ ୧,୧୦,୮୩୫ ଟଙ୍କା ରହିଛି । କିନ୍ତୁ ୪ବର୍ଷ ତଳୁ ଗରିବ ସଜ୍ଞା ବଦଳି ଯାଇଛି । ସହରାଞ୍ଚଳରେ ୪୭ଟଙ୍କା ଓ ଗ୍ରାମାଞ୍ଚଳରେ ୩୨ଟଙ୍କା ଖର୍ଚ୍ଚ କରୁଥିବା ଲୋକ ଗରିବ ନୁହଁନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି । ସି.ରଙ୍ଗରାଜନ୍ କମିଟି ରିପୋର୍ଟ ଅନୁଯାୟୀ ମୁଣ୍ଡପିଛା ବ୍ୟୟ ଆଧାରରେ ୨୦୦୯-୧୦ରେ ଦେଶରେ ଗରିବଙ୍କ ସଂଖ୍ୟା ୩୮.୨% ଅର୍ଥାତ୍ ୪୫.୪୦କୋଟି ଥିଲାବେଳେ ୨୦୧୧-୧୨ରେ ୨୯.୫% ବା ୩୬.୩୦କୋଟି ଥିଲା ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବର ତେନ୍ଦୁଲକର କମିଟି ରିପୋର୍ଟରେ ସହରାଞ୍ଚଳରେ ୩୩ଟଙ୍କା ଓ ଗ୍ରାମାଞ୍ଚଳରେ ୨୭ଟଙ୍କା ଖର୍ଚ୍ଚ କରୁଥିବା ଲୋକ ଗରିବ ନୁହଁନ୍ତି ବୋଲି କୁହାଯାଇଥିଲା ଓ ଏହି ଅନୁସାରେ ଦେଶରେ ୨୦୦୯-୧୦ରେ ଗରିବଙ୍କ ସଂଖ୍ୟା ୨୯.୮% ବା ୩୫.୪୦କୋଟି ଥିଲାବେଳେ ୨୦୧୧-୧୨ରେ ୨୧.୯% ବା ୨୬.୯୦ କୋଟ଼ିକୁ ହ୍ରାସ ପାଇଥିଲା ।

ବାସ୍ତବତା ଦେଖାଗଲେ, ଗରିବ କିଏ ଓ ଧନୀ କିଏ, ତାହା ଚିହ୍ନଟ କରିବାରେ ଆଜି ପର୍ଯ୍ୟନ୍ତ ସରକାରୀ କଳ ବିଫଳ ହୋଇ ଆସିଛି । ଗରିବ ଚିହ୍ନଟ ପ୍ରକ୍ରିୟା ପ୍ରସ୍ତୁତରେ ବ୍ୟାପକ ଭୁଲ୍ ରହିଛି । ବର୍ତ୍ତମାନ ଗରିବ ଚିହ୍ନଟ ପାଇଁ ଯେଉଁ ମାପଦଣ୍ଡ ନିର୍ଦ୍ଧାରଣ ହୋଇଛି, ତାହା ପ୍ରମାଣିତ ହେବା ନେଇ ସନ୍ଦେହ ସୃଷ୍ଟି ହେଉଛି । ନ୍ୟାସନାଲ୍ ସାମ୍ପ୍ୟୁଲ୍ ସର୍ଭେ (ଏନ୍‌ଏସ୍‌ଏସ୍‌) ଅଧିକାରୀ/କର୍ମଚାରୀ ମାନେ ଗୋଟିଏ ଘରେ ପହଞ୍ଚି ମୁଖିଆଙ୍କୁ ତାଙ୍କର ଆର୍ଥିକ ସ୍ଥିତି ସଂପର୍କରେ ଯାହା ବି ପଚାରନ୍ତୁ ବା ଅନୁସନ୍ଧାନ କରନ୍ତୁ ନା କାହିଁକି, ପ୍ରାୟତଃ ମୁଖିଆ ଗରିବ ମାପଦଣ୍ଡ ଭିତରେ ତାଙ୍କର ସ୍ଥିତି ରହିଥିବା କହୁଛନ୍ତି ଓ ଲୋକ ପ୍ରତିନିଧିମାନେ ଏଥିରେ ନିଜ ସମ୍ମତିର ମୋହର ମାରୁଛନ୍ତି ବା ଏଥିପାଇଁ ସୁପାରିଶ କରୁଛନ୍ତି, ଯାହା ସେମାନେ ସ୍ୱାଧୀନତା ପରଠାରୁ କରି ଆସୁଛନ୍ତି । ଯଦ୍ଦ୍ୱାରା ଧନୀ ଲୋକେ ମଧ୍ୟ ଗରିବ ତାଲିକାରେ ସ୍ଥାନ ପାଉଛନ୍ତି । ଦାରିଦ୍ର‌୍ୟ ସୀମାରେଖା ତଳେ ଅନ୍ତର୍ଭୁକ୍ତ ହେବାକୁ ଲାଞ୍ଚ ଓ ସୁପାରିଶ ଦରକାର ଥିବାରୁ ଗରିବ ମଣିଷର ଭବିଷ୍ୟତ ଅନ୍ଧକାର ଭିତରେ ହଜି ଯାଇଛି ।

ଗାଁରେ ମୁଖ୍ୟତଃ ଶାସକ ଦଳର କୁଜି ନେତାମାନେ ଦଳୀୟ ଭୋଟ୍ ବ୍ୟାଙ୍କ୍ ବଢାଇବା ପାଇଁ ସତ-ମିଛ ଏପଟସେପଟ କରୁଛନ୍ତି । ସେହିପରି ଅଧିକାରୀ ମାନେ ମଧ୍ୟ ଶାସକ ଦଳ ନେତାଙ୍କ କଥାରେ ଭାସିଯାଇ ବିପିଏଲ୍ ହେଉ କି ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଖୋଲାଖୋଲି ଉଲଂଘନ କରି ଆସୁଛନ୍ତି । ଏସବୁ ପ୍ରତି ସରକାର ଦୃଷ୍ଟି ନଦେବା ଦୁଃଖ ଦାୟକ । ବାସ୍ତବତା ଦେଖାଗଲେ, ବିଭିନ୍ନ ଉନ୍ନୟନ ଯୋଜନାର ହିତାଧିକାରୀ ତାଲିକାରେ ବହୁ ଧନୀ, ସରକାରୀ ଚାକିରିଆ, ଅଙ୍ଗନବାଡ଼ୀ କର୍ମୀ ଆଦି ସାମିଲ ହେଉଥିବା ବେଳେ ଭୂମିହୀନ, ବିପିଏଲ, ଅନ୍ନପୂର୍ଣ୍ଣା ଓ ଅନ୍ତୋଃଦୟ ହିତାଧିକାରୀ ମାନେ ବାଦ ପଡ଼ୁଛନ୍ତି । ହିତାଧିକାରୀ ଚିହ୍ନଟ ପାଇଁ ଠିକ୍ ଭାବେ ସରକାରୀ ନିୟମ ପାଳନ କରାଯାଉ ନାହିଁ । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ଅଙ୍ଗନୱାଡ଼ୀ କର୍ମୀ ଓ ୱାର୍ଡ଼ମେମ୍ବରଙ୍କ ହାତରେ ଛାଡ଼ି ଦିଆ ଯାଉଛି ।

ତେବେ ଧନୀ-ଦରିଦ୍ର ନିର୍ବିଶେଷରେ ଶାସକ ଦଳ ସମର୍ଥକ ମାନଙ୍କୁ ଏଥିରେ ସାମିଲ କରା ଯାଉଥିବା ଅଭିଯୋଗ ହେଉଛି । ହିତାଧିକାରୀ ଚିହ୍ନଟ ନାଁରେ ଗଣତନ୍ତ୍ରକୁ ହତ୍ୟା କରାଯିବାର ଉଦ୍ୟମ ବୁଦ୍ଧିଜୀବୀ ମହଲକୁ ସ୍ତବ୍ଧ କରି ଦେଇଛି । ସେହିପରି ସରକାଙ୍କ “କାଳିଆ” ଯୋଜନା ସତରେ କ’ଣ ଦାରିଦ୍ର‌୍ୟ ଦୂରୀକରଣରେ ସହାୟକ ହେଉଛି? ବାସ୍ତବତା ହେଲା, ଆମ ରାଜ୍ୟରେ ଦାରିଦ୍ର‌୍ୟ ସଂଖ୍ୟା ବଢୁଛି । ଏପରିକି ଦାରିଦ୍ର‌୍ୟ ତାଲିକାରେ ଥିଲେ ମଧ୍ୟ ଅନେକଙ୍କ ପାଖରେ ମୌଳିକ ସୁବିଧା ପହଂଚୁ ନାହିଁ ବା ଅନ୍ୟମାନେ ତା’ ଭାଗ ଲୁଟ୍ କରୁଛନ୍ତି । ତେବେ ଶହଶହ ଯୋଜନା କରିଦେଲେ ଯେ, ଦାରିଦ୍ର‌୍ୟ ହଟିଯିବ, ତାହା କେବେ ବି ସମ୍ଭବ ନୁହେଁ । ଆଜି ମଧ୍ୟ ଆମର ଅନୁନ୍ନତ ଓ ଗରିବ ଜିଲ୍ଲା ଭାବେ ପରିଚିତ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର ଓ ନୂଆପଡ଼ା ନିଜ ଭାଗ୍ୟ ଓ ଭବିଷ୍ୟତ ସହ ଲଢୁଛନ୍ତି ।

ଆମର ସମସ୍ତ ଭିତିଭୂମି ଥାଇପାରେ, ହେଲେ ନେତା ଓ ପ୍ରଶାସକ ମାନଙ୍କର ଗରିବ ଓ ଅନ୍ୟ ମାନଙ୍କ ପ୍ରତି ଟିକେ ସେବା ଭାବ ଦରକାର । ଆନ୍ତରିକତାର ସହ ସେମାନେ କାର୍ଯ୍ୟ କଲେ, ବହୁ ଶୀଘ୍ର ସାରା ରାଜ୍ୟରୁ ଦାରିଦ୍ର‌୍ୟ ଦୂରେଇ ଯାଆନ୍ତା, ଆମ ରାଜ୍ୟ ସଶକ୍ତ ଓଡ଼ିଶାରେ ପରିଣତ ହୁଅନ୍ତା ।
ଏହା କ’ଣ ସତ ନୁହେଁ ଯେ, ଆମ ଦେଶରେ ଅଧିକାଂଶ ଆଇନ କାନୁନ୍ ବା ସରକାରୀ ଯୋଜନା ହାସ୍ୟାସ୍ପଦ ହୋଇଛି? ଯଦିଓ ସଠିକ୍ ଭାବେ ଗରିବ ମଣିଷକୁ ଚିହ୍ନଟ କରାଯାଇଥାନ୍ତା, ତେବେ ଦେଶରୁ ଦାରିଦ୍ର‌୍ୟ ବହୁ ପରିମାଣରେ ହଟି ସାରନ୍ତାଣି ।

ଏବେ ଏ ସଂପର୍କରେ ଗଭୀର ଭାବେ ଚିନ୍ତା କରିବାର ସମୟ ଆସିଛି । ଜନ ପ୍ରତିନିଧିମାନେ ରାଜନୀତିର ଉର୍ଦ୍ଧ୍ୱରେ ରହି ସମାଜରୁ ଦାରିଦ୍ର‌୍ୟ ଉନ୍ମୁଳନ ପାଇଁ କର୍ତ୍ତବ୍ୟ କରିବା ଉଚିତ । ଛୋଟ ଛୁଆକୁ ଖାଦ୍ୟ, ମା’କୁ କପଡା, ଗୃହଶୂନ୍ୟକୁ ଘର ଓ ମୂଲିଆକୁ କାମ ସର୍ବୋପରି ଗାଁର ଗରିବ ମଣିଷକୁ ରୋଜଗାର ଯୋଗାଇ ଦେବାର ଅତ୍ୟନ୍ତ ଆବଶ୍ୟକତା ରହିଛି ।

Leave A Reply

Your email address will not be published.