ଜିଲ୍ଲା ଉନ୍ନୟନ ସମିତି ଓ ଗ୍ରାମୋଦୟ ବୈଠକ ଅନୁଷ୍ଠିତ , ଜିଲ୍ଲାର ଦୃତ ବିକାଶ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଆବଶ୍ୟକ : ଜିଲ୍ଲାପାଳ
ନୂଆପଡ଼ା -୨୩/୪ (ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ସଭା ଗୃହରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ସହିତ ଗ୍ରାମୋଦୟ ସଭା ଅନୁଷ୍ଠିତ ହୋଇ ଯାଇଅଛି l ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରତି ମାସ ଏହି ବୈଠକ ଅନୁଷ୍ଠିତ ହେଉଛି l ସଭାରେ ବନଖଣ୍ଡ ଅଧିକାରୀ ଖଡିଆଲ, ଅଜିଜ ଖାନ,ବନଖଣ୍ଡ ଅଧିକାରୀ ବନ୍ୟପ୍ରାଣୀ, ମହାଦେବ ବଡ଼ାଇକ, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ଅତିରିକ୍ତ ଉନ୍ନୟନ ଅଧିକାରୀ ଯୋଗେଶ୍ଵର ଭୋଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାଏକ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡଃ ଉମାକାନ୍ତ ମେହେର, ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ଅଧିକ୍ଷଣ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ ଏବଂ ଲାଇନ୍ ବିଭାଗ ଅଧିକାରୀମାନେ ଯୋଗଦେଇଥିଲେ l
ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାର ଦୃତ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଉପ ନିର୍ଦ୍ଦେଶକ ପ୍ଲାନିଂ , ପରିମଳ ସାମଲ ନିକଟ ଅତୀତ ରେ ଜିଲ୍ଲା କୁ ପରିଦର୍ଶନରେ ଆସିଥିବା ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ନିର୍ଦ୍ଦେଶକ ତଥା ନୋଡାଲ ଅଧିକାରୀ ଡି ପ୍ରଶାନ୍ତ କୁମାର ରେଡ୍ଡୀ ଙ୍କ ଗସ୍ତ ବିବରଣୀ ଓ ଅଭିମତ ଗୃହରେ ପଠନ କରିଥିଲେ। ଜିଲ୍ଲାରେ ପ୍ରବାସୀ ଶ୍ରମିକ ପଳାୟନ ରୋକିବା ପାଇଁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସହିତ ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ, ଆବାସ ଗୃହ ପ୍ରବେଶ ଭଳି କାର୍ଯ୍ୟ କ୍ରମର ଉଚ୍ଚ ପ୍ରଶଂସା କରିଛନ୍ତି ଶ୍ରୀ ରେଡ୍ଡୀ । ଏହା ସହିତ ସେ ଦେଇଥିବା ଅଭିମତ ସବୁ ଶିଘ୍ର ପାଳନ କରିଁବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ବିଗତ ମାସର ବୈଠକର ବିବରଣୀ ପଠନ ହୋଇଥିଲା l ଏହାର ପ୍ରତି ବିନ୍ଦୁ ଉପରେ ବିଶଦ ଆଲୋଚନା ପର୍ଯ୍ୟାଲୋଚନା ହୋଇଥଲା l ବିଗତ ମାସରେ ଉନ୍ନୟନ କାମରେ ଯେଉଁ ସବୁ ବାଧା ରହିଥିଲା ସେସବୁର କେତେ ସମାଧାନ ହେଇଛି ଏବଂ ପ୍ରତି ବିଭାଗର କିପରି ଅଗ୍ରଗତି ହୋଇଛି ଜିଲ୍ଲାପାଳ ଜାଣିବାକୁ ଚାହିଁଥିଲେ l ଅନ୍ତ ବିଭାଗୀୟ ବିସଂଗତି ଉପରେ ଆଲୋଚନା କରି ସେସବୁର ସମାଧାନର ରାସ୍ତା ବାହାର କରାଗଲା l ବୈଠକରେ ଜଳସେଚନ ,ପଞ୍ଚାୟତି ରାଜ, ରାଜସ୍ୱ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ , ରାସ୍ତା ଓ ଗୃହନିର୍ମାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ,ଉଠା ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ , ପ୍ରାଣୀ ସମ୍ପଦ, ପରିବହନ ,ଶିକ୍ଷା,ସ୍ୱାସ୍ଥ୍ୟ,ଜଙ୍ଗଲ , ଖଣି , ଟୁରିଜମ ଇତ୍ୟାଦି ସମସ୍ତ ବିଭାଗର କାର୍ଯ୍ୟ ଉପରେ ସମୀକ୍ଷା ହୋଇଥିଲା l ଏଥର ରବି ଋତୁରେ ସମୟୋଚିତ ପଦକ୍ଷେପ ନେଇଥିବାରୁ ବିଭିନ୍ନ ଜଳସେଚନ ପ୍ରକଳ୍ପରୁ ସୁଷମ ଜଳ ବଣ୍ଟନ ହୋଇ ପାରିଛି । ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ, ଗ୍ରୀଷ୍ମ ଋତୁରେ ପାନୀୟ ଜଳ ଯୋଗାଣ,ବିଭିନ୍ନ ବିଜ୍ଞାପିତ ଅଂଚଳର ସମସ୍ୟା, ତହସିଲଦାର ମାନଙ୍କ ଦ୍ୱାରା ବିଭିନ୍ନ ଶିକ୍ଷାନୁଷ୍ଠାନ , ଚିକିତ୍ସାଳୟ , ପ୍ରାଣୀ ଚିକିତ୍ସାଳୟ ମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ସହିତ ସେମାନଙ୍କର ନୂତନ କୋଠା ନିର୍ମାଣ ଇତ୍ୟାଦି ବିଷୟ ଉପରେ ବିଶଦ ଆଲୋଚନା ହୋଇଥଲା l ଜିଲ୍ଲା ସଦର ମହକୁମାରେ ୧୪ କୋଟି ଟଙ୍କା ବ୍ୟୟରେ ଭବ୍ୟ ସଂସ୍କୃତି ଭବନ ନିର୍ମାଣ ସହ ରାଜ୍ୟ ସରକାର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୪ କୋଟି ୨୯ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ଏହି କାମ ସବୁ ଅତିଶିଘ୍ର ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବିଭିନ୍ନ ଉନ୍ନୟନ ଏବଂ କାର୍ଯ୍ଯନିର୍ବାହି ସଂସ୍ଥା ସେମାନଙ୍କ ସମସ୍ତ ଉନ୍ନତି ମୂଳକ କାମ ଠିକ୍ ସମୟରେ ସାରି ସାତ ଦିନ ମଧ୍ୟରେ ଉପଯୋଗ ପ୍ରମାଣପତ୍ର ଦେବା ପାଇଁ ଜିଲ୍ଲାପାଳ ତାଗିଦ୍ କରିଥିଲେ l
ଜିଲ୍ଲାରେ ମାଓବାଦୀ ଦମନ ପାଇଁ ରାସ୍ତା ଘାଟର ଉନ୍ନତି ସହିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନସାଧାରଣଙ୍କୁ ସମସ୍ତ ସୁବିଧା ସୁଯୋଗ ତୁରନ୍ତ ଯୋଗାଇ ଦେବା ଉପରେ ସେ ଗୁରୁତ୍ଵ ଦେଇଥିଲେ । ଗଣ ମାଧ୍ୟମ ତଥା ସୋସିଆଲ ମିଡିଆରେ ପ୍ରକାଶିତ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସୂଚନା ଯୋଗ୍ୟ ଯେ ଜିଲ୍ଲାପାଳ ଶ୍ରୀ ଦାଶ ହିସାବରେ ଯୋଗଦାନ କରିବା ପରେ ଏହି ମାସିକ ଉନ୍ନୟନ ସମିତି ବୈଠକ ପ୍ରତି ମାସ ଅନୁଷ୍ଠିତ ହେଉଛି l ଏହା ଦ୍ବାରା ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା ପୂର୍ବକ କାମ ହେଇ ପାରୁଛି। ଜିଲ୍ଲାର ପ୍ରଗତି ପଥରେ ଆସୁଥିବା ବାଧା ବନ୍ଧନର ତ୍ୱରିତ ସମାଧାନ ହୋଇ ପାରୁଛି । କୌଣସି କାମ ମାସ ମାସ ଧରି ପଡି ରହୁନାହିଁ l ନିଜେ ଜିଲ୍ଲାପାଳ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ତତ୍ପର କରିବା ସହିତ ରାଜ୍ୟ ରାଜଧାନୀରେ ଅଟକି ରହିଥିବା କାମସବୁର ତୁରନ୍ତ ଅଗ୍ରଗତି କରାଉଛନ୍ତି।ଏହାର ସୁଫଳ ମଧ୍ଯ ମିଳିବା ଆରମ୍ଭ ହୋଇଯାଇଛି l ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉତ୍ସର୍ଗୀକୃତ ମନୋଭାବ ନେଇ ନିଜ ନିଜ ବିଭାଗର କାମ କରିବାକୁ ଜିଲ୍ଲାପାଳ ଆଉଥରେ ଆହ୍ବାନ ଦେଇଛନ୍ତି l