Odisha news

ମନେପଡନ୍ତି ନନ୍ଦିନୀ ଶତପଥୀ : ନନ୍ଦିନୀ ଶତପଥୀଙ୍କ 14 ତମ ଶ୍ରାଦ୍ଧ …..

0

ହିମାଂଶୁ ଶେଖର ଆଚାର୍ଯ୍ୟ : ସୃଜନଶୀଲତାର ସୁନାର ଫସଲଠାରୁ ରାଜନୀତିର ପିଛିଳ ପଥ, ସ୍ୱାଧୀନତା ସଂଗ୍ରାମର ଲେଲିହାନ ଶିଖାରୁ ସେବାର ବୃହତ୍ତର କ୍ଷେତ୍ର, ଜନଜାଗରଣ ଓ ସାଧନାର ମନ୍ତ୍ର·ରଣରୁ ସାଫଲ୍ୟର ଶୀର୍ଷାରୋହଣ- ସବୁଠି ତାଙ୍କ ପାରିବାପଣିଆ, ଯଶ ଓ ଗାଥାର କାହାଣୀ । “ମାଟିର ମଣିଷ’’ର ସ୍ରଷ୍ଟା କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଅତି ଆଦରର କନ୍ୟା ନନ୍ଦିନୀ ପାଣିଗ୍ରାହୀ- ସବୁରି ପ୍ରିୟ କୁନି । ପରବର୍ତ୍ତୀ କାଳରେ ଯିଏ ନନ୍ଦିନୀ ଶତପଥୀ ନାମରେ ସୁପରିଚିତା ହୋଇଥିଲେ । ସବୁଜ ଯୁଗର ସ୍ରଷ୍ଟା କାଳିନ୍ଦୀଚରଣ ପାଣିଗ୍ରାହୀ ଓ ସାମ୍ୟବାଦର ଉଦ୍ଗାତା କକା ଭଗବତୀଚରଣ ପାଣିଗ୍ରାହୀଙ୍କ ଜୀବନାଦର୍ଶ ତାଙ୍କୁ ବହୁ ଭାବରେ ପ୍ରଭାବିତ କରିଥିଲା । ସେହି ଆଦର୍ଶକୁ ପାଥେୟ କରି ସେ ଜାତୀୟସ୍ତରରେ ଜଣେ ଆଗଧାଡିର ନାରୀନେତ୍ରୀ ରୂପେ ନିଜକୁ ପ୍ରତିଷ୍ଠିତ କରିବା ସହ ଆମ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ । ତାଙ୍କର ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ଏପରି ପ୍ରଭାବିତ କରିଥିଲା ଯେ କେହି ତାଙ୍କୁ ମାଟିର ମହାନାୟିକା ବୋଲି ସମ୍ବୋଧନ କରୁଥିବା ବେଳେ କିଏ ଡାକୁଥିଲେ ଆଇରନ ଲେଡି ନନ୍ଦିନୀ ତ ପୁଣି ମାଟିର ନନ୍ଦିନୀ ।

ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ ନନ୍ଦିନୀ ଶତପଥୀ । ସାହିତ୍ୟ ଓ ରାଜନୀତିର ଅପୂର୍ବ ସମନ୍ୱୟ ତାଙ୍କ ଜୀବନରେ ଘଟିଥିଲା । ଏକାଧାରରେ ସେ ଥିଲେ ଜଣେ ରାଷ୍ଟ୍ରନୀତିଜ୍ଞା, ସୁସାହିତି୍ୟକା, ସୁଶାସିକା, ଦୀନଦୁଃଖୀ ଦରିଦ୍ରଙ୍କ ଦରଦୀ ନେତ୍ରୀ, ତଥା ଶିକ୍ଷା, କୃଷି ଓ ଶିଳ୍ପାୟନର ମୁଖ୍ୟ ବିନ୍ଧାଣୀ । ଜୀବନରେ ପରାଜୟ କ’ଣ ସେ କେବେ ଜାଣି ନଥିଲେ । ଆଉ ଥରେ ସେ ଯେଉଁ କାମରେ ହାତ ଦେଉଥିଲେ ତାହାକୁ ପୂରଣ କରିବା ପର୍ଯ୍ୟନ୍ତ ନିଷ୍ଠାପର ଉଦ୍ୟମ କରୁଥିଲେ ଓ ସେଥିରୁ କେହି ତାଙ୍କୁ ନିବୃତ୍ତ କରିପାରୁନଥିଲେ । ପରାଜୟ କ’ଣ ଜାଣିନଥିବା ନନ୍ଦିନୀ ଦେବୀ କହୁଥିଲେ- “ମୁଁ ବିଜୟୀ ହେବାକୁ ଆଖି ଆଗରେ ରଖି କୌଣସି କଥାରେ ଲଢେ ନାହିଁ । ମୁଁ କେଉଁ କଥା ପାଇଁ ଲଢିବାକୁ ନିଷ୍ପତି ନିଏ ତାକୁ ହିଁ ଗୁରୁତ୍ୱ ଦେଇଥାଏ ।” ସବୁବେଳେ ସେ ଗୋଟିଏ କଥା ମନେ ରଖିଥିଲେ, ତାହା ହେଉଛି ତାଙ୍କ ପିତାଙ୍କ ସେହି କାଳଜୟୀ କବିତା ପଂକ୍ତି-“ଅକ୍ଷୟ ହେଉ ପୁଣ୍ୟ ଜଗତେ, ଧର୍ମର ହେଉ ଜୟ ।’’

ନନ୍ଦିନୀ ଦେବୀଙ୍କର ରାଜନୈତିକ ଜୀବନ ବେଶ୍ ଚଳଚଞ୍ଚଳ ଥିଲା । ୧୯୬୨ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପ୍ରାୟ ·ରିଦଶନ୍ଧି ଧରି ସେ ଓଡିଶା ତଥା ଜାତୀୟ ରାଜନୀତିକୁ ପ୍ରଭାବିତ କରିଥିଲେ । ୧୯୬୨ ମସିହାରେ ପ୍ରଥମେ ରାଜ୍ୟସଭାରେ ପାଦଦେଇ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୬ ରୁ ୧୯୬୮ ମସିହା ପର୍ଯ୍ୟନ୍ତ କେନ୍ଦ୍ରରେ ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଭାବେ ସୂଚାରୁରୂପେ ନିଜ ଦାୟିତ୍ୱ ସମ୍ପାଦନ କରିଥିଲେ । ସେହିପରି ୧୯୭୨, ୧୯୭୪, ୧୯୭୭, ୧୯୮୦, ୧୯୮୫, ୧୯୯୦ ଓ ୧୯୯୫ରେ ଓଡିଶା ବିଧାନସଭାକୁ ସାତ ଥର ନିର୍ବାଚିତ ହୋଇଥିଲେ । ୧୯୭୨ ମସିହାରେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ଗୌରବ ଲାଭ କରିବା ସହିତ ୧୯୭୩ ମସିହା ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୧୯୭୪ ରୁ ୧୯୭୬ ପର୍ଯ୍ୟନ୍ତ ସେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରି ଓଡିଶା ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଥିସହିତ ୧୯୮୯ ଓ ୧୯୯୫ ମସିହାରେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷା ଭାବେ କାର୍ଯ୍ୟକରି ନିଜର ପାରଦର୍ଶିତାର ପ୍ରମାଣ ଦେଇଥିଲେ । ଜନ୍ମରେ ନାରୀ ହେଲେବି ତାଙ୍କଠି ଅତୁଳନୀୟ ପୁରୁଷାକାର ଥିଲା । ନିଜର ପ୍ରତିଭା ଓ ପାରାକାଷ୍ଠା ଯୋଗୁଁ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଖୁବ୍ ନିକଟବର୍ତ୍ତୀ ହୋଇପାରିଥିଲେ ।

କେବଳ ରାଜନୀତି ନୁହେ,ଁ ନନ୍ଦିନୀ ଦେବୀଙ୍କର ସାହିତ୍ୟ କ୍ଷେତ୍ରରେ ମଧ୍ୟ ଗଭୀର ପ୍ରବେଶ ଓ ପ୍ରବଳ ଅନୁରାଗ ଥିଲା । କାବ୍ୟ, କବିତା, ଗଳ୍ପ ଓ ଅନୁବାଦରେ ସେ ତାଙ୍କର ପ୍ରତିଭାର ପରିଚୟ ଦେଇଥିଲେ । ମାତ୍ର ଏଗାର ବର୍ଷ ବୟସରେ ତାଙ୍କର ପ୍ରଥମ ଗଳ୍ପ “ଅନାଥ’’ ବିଦ୍ୟାଳୟର ମୁଖପତ୍ରରେ ପ୍ରକାଶିତ ହୋଇଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ । ତାଙ୍କ ସାରସ୍ୱତ ପ୍ରତିଭାର ଚଉହଦୀ “ଅନାଥ’’ ଠାର ୁ ଆରମ୍ଭ କରି “ଉତ୍ତର ପୁରୁଷ’’ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ବିଶିଷ୍ଟ ସାହିତି୍ୟକା ଅମୃତା ପ୍ରିତମ୍ଙ୍କ ରେଭେନୁ୍ୟ ଟିକେଟ୍କୁ (ଯାହାର ଓଡିଆ ଅନୁବାଦିତ ନାମ ଥିଲା ରସିଦ୍ ଟିକେଟ) ଓଡିଆରେ ଅନୁବାଦ କରି ସେ ପୁଣି ଚର୍ଚ୍ଚିତା ହୋଇଥିଲେ । ଏଥିସହିତ ତସ୍ଲିମା ନସରିନ୍ଙ୍କ ବଙ୍ଗଳା ପୁସ୍ତକ “ଲଜ୍ଜା’’କୁ ଓଡିଆରେ ଅନୁବାଦ କରି ସେ ଅନେକ ପ୍ରଶଂସାର ଅଧିକାରିଣୀ ହୋଇପାରିଥିଲେ । ଓଡିଆ ସାହିତ୍ୟର ବିଭିନ୍ନ ବିଭାଗରେ କୃତିତ୍ୱ ପାଇଁ ନନ୍ଦିନୀ ଶତପଥୀଙ୍କୁ ମିଳିଥିଲା ‘ଓଡିଶା ସାହିତ୍ୟ ଏକାଡେମୀ’, ‘କେନ୍ଦ୍ର ସାହିତ୍ୟ ଏକାଡେମୀ’ ଓ ‘ସାହିତ୍ୟ ଭାରତୀ ସମ୍ମାନ’ । ଏଥିସହିତ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ କାର୍ଯ୍ୟ କରି ଓଡିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ ।

ନନ୍ଦିନୀ ଶତପଥି ଜଣେ ସୁଦକ୍ଷା ପ୍ରଶାସିକା ଥିଲେ । ଏବେବି ଲୋକମାନେ ଶ୍ରଦ୍ଧା ଓ ସମ୍ମାନର ସହ ତାଙ୍କ ଶାସନକାଳକୁ ମନେ ରଖିଛନ୍ତି । ପ୍ରଶାସନକୁ ଲୋକାଭିମୁଖୀ କରିବା ଓ କର୍ମ·ରୀଙ୍କଠାରୁ ଉପଯୁକ୍ତ କାମ ଆଦାୟ କରିବା କୌଶଳ ତାଙ୍କୁ ବେଶ୍ ଜଣାଥିଲା । ଗୋଟିଏ ପଟେ ପ୍ରଶାସନକୁ ନିୟନ୍ତ୍ରଣ କରି ନିଜର ପାରଦର୍ଶିତା ପ୍ରମାଣ କରିବା ସହ କର୍ମ·ରୀଙ୍କଠାରୁ ଉପଯୁକ୍ତ କାମ ଆଦାୟ କରିବା ପାଇଁ ସେମାନଙ୍କୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ସରେଣ୍ଡର ଲିଭ୍, ଅବସରକାଳୀନ ଭତ୍ତା ଓ ରିହାବିଲିଟେସନ୍ ସ୍କିମ୍ରେ ·କିରି ଆଦି ପ୍ରଦାନ ଏହାର ଗୋଟିଏ ଗୋଟିଏ ନିଚ୍ଛକ ଉଦାହରଣ । ସେ ସବୁବେଳେ ଓଡିଶାର ବହୁବିଧ ବିକାଶ ନିଜ ଚିନ୍ତା ଓ ଚେତନାରେ ରଖିଥିଲେ । ସେ ବୁଝିଥିଲେ ଶିକ୍ଷା, କୃଷି, ଜଳସେଚନ ଓ ଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ନ ଆସିଲେ ଓଡିଶାର ଆଖି ଦୃଶିଆ ପ୍ରଗତି ହୋଇପାରିବ ନାହିଁ । ଏହାକୁ ଆଖିଆଗରେ ରଖି ସେ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ପରି·ଳନା କମିଟିର ପ୍ରତ୍ୟକ୍ଷ ନିୟନ୍ତ୍ରଣରୁ ମୁକ୍ତ କରି ୧୯୭୪ ମସିହାରେ ପ୍ରଚଳନ କରିଥିଲେ ଯୁଗାନ୍ତକାରୀ ଓ ବହୁଚର୍ଚ୍ଚିତ ପ୍ରତ୍ୟକ୍ଷ ଅନୁଦାନ ଆଇନ୍ । ଏଥିପାଇଁ ଶିକ୍ଷକ ସମାଜ ତାଙ୍କ ପାଖରେ ସବୁଦିନ ଋଣୀ ହୋଇରହିବ ।

ସେହିପରି ଦୀନହୀନ, ଖଟିଖିଆ ଭୂମିହୀନ ଓ ନାମମାତ୍ର ·ଷୀଙ୍କ ଦୁଃସ୍ଥିତିକୁ ସୁଧାରିବା ପାଇଁ ସେ ଆରମ୍ଭ କରିଥିଲେ ଐତିହାସିକ ଭୂସଂସ୍କାର ଆଇନ୍ । ଏହି ଆଇନ୍ ଅନୁସାରେ ବହୁ ଜମିଦାରଙ୍କଠାରୁ ସିଲିଂ ବର୍ହିଭୁତ ଜମି ଆଣି ଭୂମିହୀନଙ୍କୁ ବାଣ୍ଟିବାର ବ୍ୟବସ୍ଥା କରାଯାଇଥିଲା । ଏହି ଭୂସଂସ୍କାର ଆଇନ୍ ଯୋଗୁଁ ଅନେକ ସ୍ୱାର୍ଥନ୍ୱେଷୀ ବ୍ୟକ୍ତିଙ୍କର ସମାଲୋଚନାର ଶରବ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ଭ୍ରୁକ୍ଷେପ କରିନଥିଲେ । ସେହିପରି ଗ୍ରାମାଞ୍ଚଳରେ ଗରିବ ଲୋକମାନଙ୍କୁ ସୁଧଖୋର ମହାଜନମାନଙ୍କ ଶୋଷଣରୁ ରକ୍ଷା କରିବା ପାଇଁ ସେ ଯେଉଁ ପଦକ୍ଷେପ ନେଇଥିଲେ ସେ ସମୟରେ ତାହା ତାଙ୍କର ଅନ୍ୟ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା । ସେହିପରି ଶିଳ୍ପର ବିକାଶ ନିମନ୍ତେ ସେ କେତେକ ବଳିଷ୍ଠ ପଦେକ୍ଷପ ନେଇଥିଲେ । ତନ୍ମଧ୍ୟରେ ତାଳଚେରର ସାର କାରଖାନା ଓ ଗୋପାଳପୁରର ରେୟାର ଆର୍ଥ କମ୍ପ୍ଲେକ୍ସ ଅନ୍ୟତମ । ସେହିପରି ଜଳସେଚନ ବ୍ୟବସ୍ଥାକୁ ସୁଧାରିବା ପାଇଁ ତାଙ୍କ ସମୟରେ ଅପର କୋଲାବ ଜଳ ପ୍ରକଳ୍ପ ଓ ରେଙ୍ଗାଲି ପ୍ରକଳ୍ପ ପରି କ୍ଷୁଦ୍ର ତଥା ମଧ୍ୟମ ଧରଣ ଜଳ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା ।

ଗଣତନ୍ତ୍ରର ସେ ଥିଲେ ଜାଗ୍ରତ ପ୍ରହରୀ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ସଫଳତା ସାର୍ଥକ ଜନମତ ଉପରେ ନିର୍ଭର କରେ ବୋଲି ସେ ମର୍ମେ ମର୍ମେ ଅନୁଭବ କରିଥିଲେ । ଜନମତକୁ ପ୍ରତିଫଳିତ କରିବା ପାଇଁ ସେ ପ୍ରତିଷ୍ଠା କରିଥିଲେ ଦୈନିକ ସମ୍ବାଦ ପତ୍ର “ଧରିତ୍ରୀ’’ ଯାହା ଆଜି ସମ୍ବାଦପତ୍ର ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହା ପଛରେ ରହିଛି ସେହି ମହୀୟସୀ ମହିଳାଙ୍କ ନିରନ୍ତର ଉଦ୍ୟମର ଫଳଶ୍ରୁତି ।
ଏହି ଅନନ୍ୟା ଜନନାୟିକା ଜନ୍ମ ନେଇଥିଲେ ୧୯୩୧ ମସିହା ଜୁନ୍ ୯ ତାରିଖରେ ଏବଂ ତାଙ୍କର ଦେହାବସାନ ଘଟିଲା ୨୦୦୬ ମସିହା ଅଗଷ୍ଟ ୪ ତାରିଖରେ । ଦୀର୍ଘ ୭୫ ବର୍ଷର ଜୀବନକାଳ ଥିଲା ବେଶ୍ ଘଟଣାବହୁଳ ଓ ବହୁ ଚର୍ଚ୍ଚିତ । ନନ୍ଦିନୀ ଦେବୀ ଆଜି ଆମ ଗହଣରେ ନାହାଁନ୍ତି ସତ, ହେଲେ ଓଡିଶାର ପ୍ରତିଟି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ । ଉତ୍ତରପିଢ଼ିର ଦୟାଦମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ଏହାହିଁ ଆଜିର ଅନୁଚିନ୍ତା ।

Leave A Reply