Odisha news

କୋରାପୁଟରେ ବୃକ୍ଷରୋପଣ ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ , ଗଛଟିର ଯତ୍ନ ନେବା, ମାଟି ମା’ର ସୁରକ୍ଷା ପାଇଁ ସଂକଳ୍ପ କରିବା – ଧର୍ମେନ୍ଦ୍ର ପ୍ରଧାନ

0

ଗଛ ପ୍ରତି ଓଡ଼ିଶାବାସୀଙ୍କ ଆସକ୍ତି ଅଧିକ କାରଣ, ଆମ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଦାରୁବ୍ରହ୍ମ
କୋରାପୁଟର ଗୌରବ ଫେରାଇ ଆଣିବା ପାଇଁ ଅଧିକରୁ ଅଧିକ ଗଛ ଲଗାଇବା
କୋରାପୁଟକୁ ବିକଶିତ କରିବା ପାଇଁ ହେଲେ ବୃକ୍ଷରୋପଣ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା ଜରୁରି
ଘର ଠାରୁ ଆରମ୍ଭ କରି ରାସ୍ତା ପାର୍ଶ୍ୱ ସମେତ ବିଭିନ୍ନ ସ୍ଥାନରେ ଗଛ ଲଗାଇବା
କୋରାପୁଟକୁ ‘ବ୍ରାଣ୍ଡ୍ କୋରାପୁଟ’ରେ ପରିଣତ କରିବା ପାଇଁ ସାମୂହିକ ଦାୟିତ୍ୱ ନେବା
କୋରାପୁଟ, ଜୁଲାଇ ୦୬  – ଏକବିଂଶ ଶତାବ୍ଦୀରେ କୋରାପୁଟର ଗୌରବକୁ ଫେରାଇ ଆଣିବା ପାଇଁ ହେଲେ ଆମକୁ ପ୍ରଥମେ ଏହି ଅଞ୍ଚଳକୁ ସବୁଜିମାରେ ପରିବର୍ତ୍ତନ କରାଇବା ପାଇଁ ପଡ଼ିବ । ଏଥିପାଇଁ ଅଧିକରୁ ଅଧିକ ଗଛ ଲଗାଇବା ସହ ମାଟି ମା’ର ସୁରକ୍ଷା ପାଇଁ ସଂକଳ୍ପ କରିବାକୁ ହେବ ବୋଲି ଆଜି ପବିତ୍ର ‘ସୁନାବେଶ’ ଅବସରରେ କୋରାପୁଟରେ “ଏକ୍ ପେଡ୍ ମା’ କେ ନାମ୍ ୨.୦” ଅଭିଯାନ ଓ ବନ ମହୋତ୍ସବରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋରାପୁଟ ଓଏସଏପି ତୃତୀୟ ବାଟାଲିୟନ ପରିସରରେ ଛାତ୍ରଛାତ୍ରୀ, ମାତୃଶକ୍ତି, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ଓ ଅନ୍ୟ ସଦସ୍ୟମାନଙ୍କ ସହ ବୃକ୍ଷରୋପଣ କରିଥିଲେ । ସେ କହିଥିଲେ ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ । ଗଛ ପ୍ରତି ଓଡ଼ିଶା ଲୋକମାନଙ୍କର ବହୁତ ଆସକ୍ତି ଅଛି କାରଣ, ଆମର ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଦାରୁବ୍ରହ୍ମ । ଲୋକମୁଖରେ ସେ ଦାରୁଦେବତା ରୂପେ ସୁପରିଚିତ । ସେ ଆହୁରି କହିଛନ୍ତି ଯେ କୋରାପୁଟ ଜିଲ୍ଲା ସହ ମୋର ଦୀର୍ଘ ୩୦ରୁ ୩୫ ବର୍ଷର ସମ୍ପର୍କ । ଏଠାରେ ବୁଲିବା ବେଳେ ମୋର ମନରେ ଆସେ, ଖାଲି ପଡ଼ିଥିବା ଜଙ୍ଗଲ ଜମିକୁ ଘଞ୍ଚ ଜଙ୍ଗଲରେ ପରିଣତ କରାଇବା ପାଇଁ ପଡ଼ିବ । ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ । ମୋ ପାଇଁ ବିକଶିତ ଓଡ଼ିଶାର ଅର୍ଥ ହେଉଛି ବିକଶିତ କୋରାପୁଟ । କୋରାପୁଟକୁ ବିକଶିତ କରିବା ପାଇଁ ହେଲେ ଏଠାରେ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ସହ ନାଗରିକଙ୍କୁ ମୌଳିକ ସୁବିଧା ଦେବା, ସ୍ଥାନୀୟ ଚାଷ ସାମଗ୍ରୀ ଓ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ହସ୍ତତନ୍ତ ସାମଗ୍ରୀକୁ ଆଗକୁ ନେବା ପାଇଁ ପଡିବ ।
ଶ୍ରୀ ପ୍ରଧାନ କୋରାପୁଟର ପ୍ରତ୍ୟେକ ନାଗରିକଙ୍କୁ ଅନୁରୋଧ କରି କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଆମେ ସମସ୍ତେ ଘର ଠାରୁ ଆରମ୍ଭ କରି ରାସ୍ତା ପାର୍ଶ୍ୱ ସମେତ ବିଭିନ୍ନ ସ୍ଥାନରେ ଗଛ ଲଗାଇବା । ଗଛଟିର ଯତ୍ନ ନେବା ସହ ମାଟି ମା’ର ସୁରକ୍ଷା ପାଇଁ ସଂକଳ୍ପନା କରିବା । ବିକଶିତ କୋରାପୁଟ, ବିକଶିତ ଓଡ଼ିଶା ପାଇଁ ବ୍ୟକ୍ତିଗତ ସ୍ତରରେ ନିଜର ଯୋଗଦାନ ରଖିବା । କୋରାପୁଟରେ ବୃକ୍ଷରୋପଣ ଅଭିଯାନକୁ ଜନଆନ୍ଦୋଳନର ରୂପ ଦେବା ସହ କୋରାପୁଟକୁ ‘ବ୍ରାଣ୍ଡ୍ କୋରାପୁଟ’ରେ ପରିଣତ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଏକ ସବୁଜ ରଥର ଶୁଭାରମ୍ଭ କରିଥିଲେ ।

Nalco
Leave A Reply