Odisha news

ଜୟପୁର,କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ ଓ ଅସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ , ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ କୁଶଳୀ କରିବ – ଧର୍ମେନ୍ଦ୍ର ପ୍ରଧାନ

0
• ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ବହୁ ଆକାଂକ୍ଷୀତ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି
• ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବାର ଦୀର୍ଘ ଦିନର ଦାବି ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
• ଜୟପୁର ମହାରାଜା ଶ୍ରୀ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ
• କୋରାପୁଟ ସମେତ ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା କ୍ଷେତ୍ର ସମେତ ସର୍ବାଙ୍ଗିନ ବିକାଶ ଆମର ଲକ୍ଷ୍ୟ
• ଓଡ଼ିଶାର ଅନ୍ୟତମ ସାଂସ୍କୃତିକ, ବ୍ୟବସାୟିକ ଓ ବୌଦ୍ଧିକ କେନ୍ଦ୍ର ହେଉଛି ଜୟପୁର
• ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରାୟ ୯୦ଟି ସ୍କୁଲ ପିଏମ ଶ୍ରୀ ସ୍କୁଲ ବିକଶିତ ହେଉଛି, ଏଥିପାଇଁ ପାଖାପାଖି ୨୦୦ କୋଟି ଟଙ୍କା ଆସିଛି
• ବିକ୍ରମଦେବ ବିଶ୍ଵବିଦ୍ୟାଳୟ ପାଇଁ କେନ୍ଦ୍ର ସରକାର ୨୦ କୋଟି ଦେଇଥିବାବେଳେ ରାଜ୍ୟ ସରକାର ୫୦ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଇଛନ୍ତି
• ଆମର ପିଲାମାନଙ୍କ ମଧ୍ୟରେ ଚାକିରି ନକରି ଚାକିରି ଦେବାର ମାନସିକତା ତିଆରି କରାଇବା
• କୋରାପୁଟର ନବନିର୍ମାଣରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରୟୋଗଶାଳା ହେବ
• ବିକଶିତ ଓଡ଼ିଶା ନହେଲେ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ନାହିଁଜୟପୁର, ଜୁଲାଇ ୦୬ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କେନ୍ଦ୍ରୀୟ ବିଦ୍ୟାଳୟ, ଜୟପୁରର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ଜଗନ୍ନାଥ ସଦର ନିକଟରେ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି । ଏହି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ କୁଶଳୀ କରିବ । ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିକ ସାଧାରଣ ସଭାକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ଅନ୍ୟତମ ସାଂସ୍କୃତିକ, ବ୍ୟବସାୟିକ ଓ ବୌଦ୍ଧିକ କେନ୍ଦ୍ର ହେଉଛି ଜୟପୁର । ଜୟପୁର ମହାରାଜା ଶ୍ରୀ ବିକ୍ରମ ଦେବ ବର୍ମା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଦେଶ ସ୍ୱାଧୀନତାରେ ଅନେକ ଅବଦାନ ରହିଛି । ଏଭଳି ସହରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା । ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ଏଠାରେ ବହୁ ଆକାଂକ୍ଷୀତ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଚଳିତ ଶିକ୍ଷା ବର୍ଷ ଠାରୁ ଏହାର ଅସ୍ଥାୟୀ କ୍ୟାମ୍ପସରେ ଶିଶୁବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପାଠ ପଢିବେ । ଏଥିପାଇଁ ନାମଲେଖା ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳର ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ବେଶ୍ ସହାୟକ ହେବ । ଆମର ପିଲାମାନଙ୍କ ମଧ୍ୟରେ ଚାକିରି ନକରି ଚାକିରି ଦେବାର ମାନସିକତା ତିଆରି କରାଇବା ଦରକାର  ।

ସେ ଆହୁରି କହିଛନ୍ତି ଯେ ଗତକାଲି କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୬୧୦ କୋଟି ଟଙ୍କାରୁ ଅଧିକ ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରାୟ ୯୦ଟି ସ୍କୁଲ ପିଏମ ଶ୍ରୀ ସ୍କୁଲ ବିକଶିତ ହେଉଛି । ଏଥିପାଇଁ ପାଖାପାଖି ୨୦୦ କୋଟି ଟଙ୍କା ଆସିଛି । ବିକ୍ରମଦେବ ବିଶ୍ଵବିଦ୍ୟାଳୟ ପାଇଁ ପିଏମ ଉଷା ଯୋଜନାରେ କେନ୍ଦ୍ର ସରକାର ୨୦ କୋଟି ଟଙ୍କା ଦେଇଛନ୍ତି । ଓଡ଼ିଶା ସରକାରଙ୍କ ତରଫରୁ ମଧ୍ୟ ଏହି ବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା ହୋଇଛି । କୋରାପୁଟର ନବନିର୍ମାଣରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରୟୋଗଶାଳା ହେବ । ଆଗାମୀ ଦିନରେ କୋରାପୁଟ ସମେତ ଅବିଭକ୍ତ ସମସ୍ତ ଜିଲ୍ଲାରେ ଡିଗ୍ରୀ ଓ ଅନ୍ୟାନ୍ୟ ଅନୁଷ୍ଠାନରେ ଗୁଣାତ୍ମକ ଶିକ୍ଷା ବୃଦ୍ଧି କରାଯିବ ।

ଅପାର ସମ୍ଭାବନାର ଅଞ୍ଚଳ ହେଉଛି କୋରାପୁଟ । ଏଠାରେ ଅନେକ ସମ୍ଭାବନା ଅଛି । ଅଭିବକ୍ତ କୋରାପୁଟ ଜିଲ୍ଲାର ବିକାଶ ନ ହେଲେ ବିକଶିତ ଓଡ଼ିଶାର କଳ୍ପନା ହୋଇପାରିବ ନାହିଁ । ବିକଶିତ ଓଡ଼ିଶା ନହେଲେ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭାରତ ସରକାର ଭାରତମାଳା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ରାୟଗଡ଼ାରେ ରେଳ ଡିଭିଜନ ହୋଇଛି । ନବରଙ୍ଗପୁର ଓ ମାଲକାଲଗିରିରେ ରେଳ ଲାଇନ ଜମିଅଧିଗ୍ରହଣର କାମ ତ୍ୱରାନ୍ୱିତ ହୋଇଛି । କୋରାପୁଟ ସମେତ ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା କ୍ଷେତ୍ର ସମେତ ସର୍ବାଙ୍ଗିନ ବିକାଶ, ଆର୍ଥିକ କ୍ଷେତ୍ରକୁ ମଜଭୂତ୍ କରିବା ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର ପ୍ରୟାସ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଜୟପୁର ମହାରାଜା ଶ୍ରୀ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଅର୍ପଣ କରିଥିଲେ ।

 

Nalco
Leave A Reply