ଡ଼ ପ୍ରତିଭା ମହାରଥୀ : ଦୋଳୋତ୍ସବ ହିନ୍ଦୁ ଜଗତରେ ଏକ ଋତୁଭିତ୍ତିକ ପର୍ବ । ଅତି ପ୍ରାଚୀନ କାଳରୁ ଏହା ବସନ୍ତୋତ୍ସବ ନାମରେ ପ୍ରସିଦ୍ଧି ଲାଭ କରିଆସିଛି । ଏହି ବସନ୍ତୋତ୍ସବ ବା ମଦନ ମହୋତ୍ସବ ସାରା ଭାରତରେ ଦୋଳୋତ୍ସବ ନାମରେ ନାମିତ । ମାତ୍ର ଓଡ଼ିଶାରେ ଏହା ହୋଲି ଉତ୍ସବ ନାମରେ ମଧ୍ୟ ପ୍ରସିଦ୍ଧ । ଫାଲଗୁନ ପୂର୍ଣ୍ଣିମାକୁ ଦୋଳପୂର୍ଣ୍ଣିମା କୁହାଯାଏ । ତା’ ପରଦିନ ଅର୍ଥାତ୍ ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ହୋଲି ଉତ୍ସବ ପାଳିତ ହୁଏ । ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ହୋଲିଉତ୍ସବ ଫାଲଗୁନ ଶୁକ୍ଳ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ଏହାକୁ ରାଜଦୋଳ କୁହାଯାଏ । ଏହି କ୍ରମରେ ଓଡ଼ିଶାରେ ପାଳିତ ହେଉଥିବା ଦୋଳଯାତ୍ରାକୁ ଯଥାକ୍ରମେ ରାଜଦୋଳ, ପଞ୍ଚୁଦୋଳ, ସାତଦୋଳ, ନଅଦୋଳ ଓ ଦଶଦୋଳ ନାମରେ ନାମିତ କରାଯାଇଛି । ମାଦଳା ପାଞ୍ଜିରେ ଉଲ୍ଲେଖ ଅଛି ଯେ ୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗ ଭୀମଦେବ ଶ୍ରୀମନ୍ଦିରରେ ଦୋଳୋତ୍ସବ ଆରମ୍ଭ କରିଥିଲେ ।
ଏହା ମୁଖ୍ୟତଃ ରାଧାକୃଷ୍ଣଙ୍କର ପ୍ରେମର ପର୍ବ । ରଙ୍ଗିନ ଫୁଲ ଫୁଟିବା ପାଇଁ ସୂର୍ଯ୍ୟକିରଣ ଯେପରି ଅତ୍ୟାବଶ୍ୟକ, ଜୀବନରେ ପ୍ରେମ ସେହିପରି ଅପରିହାର୍ଯ୍ୟ । କୃଷ୍ଣ ଗାଢ଼ ଅନ୍ଧକାରର ଅନ୍ୟନାମ । ବନ୍ଦୀଶାଳାର ଘନ ଅନ୍ଧକାର ଭିତରେ ଜନ୍ମ ହୋଇଥିଲା ତାଙ୍କର । ଅର୍ଥାତ୍ ଅନ୍ଧାର ରୂପରେ ଆଲୋକର ଆବାହନ ପାଇଁ ଯିଏ କୃଷ୍ଣବର୍ଣ୍ଣ ଧାରଣ କରିଥିଲେ, ସିଏ କୃଷ୍ଣ । ଆକର୍ଷୟତି ଇତି କୃଷ୍ଣ । ଅର୍ଥାତ୍ ଯାହା ଆକର୍ଷଣ କରେ, ସିଏ ହେଉଛି କୃଷ୍ଣ । କୃଷ୍ଣ ନାମର ମାଧୁରିମା ଅନ୍ୟତ୍ର ନାହିଁ । କୃଷ୍ଣ ରୂପର ଆକର୍ଷଣରେ ଗୋପପୁରର ଗୋଧନଠାରୁ ଗୋପୀଗୋପାଳ ଯାଏଁ ସମସ୍ତେ ଧାଉଁଥିଲେ ତାଙ୍କ ପଛରେ । ସେ ପୁଣି ମହାଯୋଗୀ । ଯୁଦ୍ଧ କ୍ଷେତ୍ରର ଘନଘଟା ଭିତରେ ବି ବୁଝାଇ ଦେଇଥିଲେ ଜୀବନର ଅସଲ ତତ୍ତ୍ୱ, ସଖା ଫାଲଗୁନୀଙ୍କୁ । ଶ୍ରୀକୃଷ୍ଣଙ୍କ ରଥର ନାମ ଜୈତ୍ର, ସାରଥୀ ହେଲେ ଦାରୁକ, ଖଡ଼୍ଗର ନାମ ନନ୍ଦକ, ଗଦାର ନାମ କୌମୋଦିକୀ, ଶଙ୍ଖର ନାମ ପାଞ୍ଚଜନ୍ୟ, ମୁଖ୍ୟ ଆୟୁଧ ଚକ୍ରର ନାମ ସୁଦର୍ଶନ ଏବଂ ଧନୁର ନାମ ସାରଙ୍ଗ । କୌସ୍ତୁଭ ମଣି ତାଙ୍କର ବକ୍ଷସ୍ଥଳରେ ଶୋଭା ପାଉଥାଏ । ତାଙ୍କ ମୁଖାରବିନ୍ଦରେ ସଦା ସ୍ମିତହାସ୍ୟ ଲାଗି ରହିଥାଏ ।
ଶ୍ରୀକୃଷ୍ଣ ଥିଲେ ଷୋଳକଳା ସମ୍ପନ୍ନ, ସର୍ବଗୁଣ ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ, ମର୍ଯ୍ୟାଦା ପୁରୁଷୋତ୍ତମ । ନିଜର ଉଦ୍ଧତ ବଂଶଧରଙ୍କୁ ନିର୍ମୂଳ କରିବାର କଠୋର ନିଷ୍ପତ୍ତି ନେଇପାରିଥିବା ଏହି ବିଶ୍ୱନିୟନ୍ତାଙ୍କୁ କୋଟି କୋଟି ପ୍ରଣାମ ।
ସେହିପରି ରାଧା, କୃଷ୍ଣଙ୍କର ହ୍ଳାଦିନୀ ଶକ୍ତି । ସେ କୃଷ୍ଣଙ୍କର ପତ୍ନୀ ନୁହଁନ୍ତି, ସେ ମଧୁର ଭାବରେ ତନ୍ମୟ ହେଉଥିବା ଏକ ଚରିତ୍ର ଯିଏ କି କୃଷ୍ଣଙ୍କଠାରେ ନୈସର୍ଗିକ ପ୍ରେମ ନିବେଦନ କରିଥିଲେ । “ରାଧ୍’ ଧାତୁରୁ ରାଧା ଶବ୍ଦର ଉତ୍ପତ୍ତି । ରାଧା ଶବ୍ଦର ଅର୍ଥ ଆରାଧନା କରିବା, ପୂଜନ କରିବା ଇତ୍ୟାଦି । ରାଧା ଶବ୍ଦ ଏକ ଚେତନା, ଯାହା ଚେତାଇଦିଏ, ଯାହା ଶିଖେଇଦିଏ ଏକ ଉପାସନାର ଧାରା, ଭଲ ପାଇବାର ଧାରା । ମାତୃତୁଲ୍ୟ ମାର୍ଗଦର୍ଶନ କରାଏ କୃଷ୍ଣଙ୍କ ଆଡ଼କୁ, ଯିଏ ସକଳ ଶକ୍ତିର, ଆକର୍ଷଣର କେନ୍ଦ୍ରବିନ୍ଦୁ । ବୃନ୍ଦାବନର ଗୋପୀମାନେ ଯେଉଁ ମଧୁର ପ୍ରେମ ମାଧ୍ୟମରେ କୃଷ୍ଣଙ୍କୁ ଆରାଧନା କରୁଥିଲେ, ତାହାର ପଟ୍ଟାନ୍ତର ନାହିଁ । କାରଣ ଏହା ଆତ୍ମା ସହିତ ପରମାତ୍ମାଙ୍କର ସଂଯୋଗ ଜନିତ ପ୍ରେମ । ପ୍ରେମର ମୂଳଦୁଆ ଉପରେ ତ ସାରା ସୃଷ୍ଟି ତିଷ୍ଠି ରହିଛି । ଯଦି ପ୍ରେମ ନାହିଁ, ତେବେ ଭକ୍ତି ନାହିଁ, ଯଦି ଭକ୍ତି ନାହିଁ ତେବେ ଭଗବାନ ନାହାନ୍ତି ।
ଏହି ମଧୁର ଭକ୍ତି ରସରେ କାମନା, ବାସନାର ସ୍ଥାନ ନଥାଏ ।
ଫାଲଗୁନ ମାସ ସୂର୍ଯ୍ୟଙ୍କର ଉତ୍ତରାୟଣ ସମୟ । ସୌରଗଣନା ଅନୁସାରେ ଫାଲଗୁନ ମାସର ନାମ କୁମ୍ଭମାସ । ଏହାକୁ ଫଗୁଣ ମାସ ମଧ୍ୟ କୁହାଯାଏ । ଫଗୁଣ ସହ ଋତୁରାଜଙ୍କର ଧରାବତରଣ ହୋଇଥାଏ । ପ୍ରେମ, ପ୍ରଣୟ, ଫୁଲ, ରଙ୍ଗ ଓ ସୁବାସକୁ ନେଇ ବସନ୍ତ ଆସିଥାଏ ବୋଲି ଏହି ଫଗୁଣ ମାସକୁ ସୁବର୍ଣ୍ଣ ମାସ ମଧ୍ୟ କୁହାଯାଇଥାଏ । ବସନ୍ତର ଆଗମନରେ ଭୂମିରୁ ଭୂମାଯାଏ ସୃଷ୍ଟିହୁଏ ଅସଂଖ୍ୟ ପରିବର୍ତ୍ତନ – ପତ୍ରରେ, ଫୁଲରେ, ମନରେ, ପ୍ରାଣରେ, ଦେହରେ । ଗଛ, ଲତା, ପାହାଡ଼ ପର୍ବତ, ଆକାଶ, ବାୟୁ, ନୂତନ କିଶଳୟରେ ମଣ୍ଡିତ ବୃକ୍ଷରାଜିଙ୍କୁ ଦେଖି ଆଖି ଲାଖିରହେ । ପଳାଶର ରଙ୍ଗୀନ ପାଖୁଡ଼ା, କୋଇଲିର କୁହୁତାନ, ବଉଳର ମିଠା ମିଠା ବାସ୍ନା, ମୃଦୁ ମଳୟର ମନଛୁଅାଁ ମହକ, ଫୁଲର ସୁଗନ୍ଧିତ ସୁରଭି ପୁଲକିତ କରେ, ଶିହରିତ କରେ ତନୁ, ମନ, ଚିନ୍ତା, ଚେତନାକୁ । ମହାକବି କାଳିଦାସଙ୍କ “ଋତୁସଂହାରମ୍’ରେ ବର୍ଣ୍ଣନା କରାଯାଇଛି –
“ଦ୍ରୁମାଃ ସପୁଷ୍ପାଃ ସଲୀଳଂ ସପଦ୍ମଂ ସ୍ତ୍ରୀୟଃ ସକାମାଃ ପବନଃ ସୁଗନ୍ଧିଃ
ସୁଖାଃ ପ୍ରଦୋଷାଃ ଦିବଶାଶ୍ଚ ରମ୍ୟାଃ ସର୍ବଂ ପି୍ରୟଂ ଚାରୁତରଂ ବସନ୍ତେ ।”
ଯାହାର ଅର୍ଥ ହେଲା, ବୃକ୍ଷରାଜି ପୁଷ୍ପବିମଣ୍ଡିତ, ଜଳାଶୟଗୁଡ଼ିକ ପଦ୍ମ ସୁଶୋଭିତ, ନାରୀକୁଳ କାମନାସକ୍ତ, ପବନ ସୁରଭିତ, ସନ୍ଧ୍ୟା ଅତ୍ୟନ୍ତ ସୁଖପ୍ରଦ, ଦିବସ ଅତ୍ୟନ୍ତ ରମଣୀୟ, ଏହିପରି ବସନ୍ତ କାଳରେ ସର୍ବତ୍ର ଶୋଭନୀୟ ହୋଇଥାଏ । ସେଥିପାଇଁ ଇଂରାଜୀରେ କୁହାଯାଇଛି – ଙକ୍ଟ୍ରଗ୍ଧସଜ୍ଞସଗ୍ଦଜ୍ଞ ସଗ୍ଦ ଗ୍ଧଷର ଗ୍ଦରମକ୍ଟଦ୍ଭୟ ଭରଗ୍ଦଗ୍ଧ ଗ୍ଧଷସଦ୍ଭଶ ଏକ୍ଟୟ ଷବଗ୍ଦ ଶସଙ୍ଖରଦ୍ଭ ଗ୍ଧକ୍ଟ ଷଙ୍କଜ୍ଞବଦ୍ଭ ଭରସଦ୍ଭଶ. ଞଷର ଲସକ୍ସଗ୍ଦଗ୍ଧ କ୍ଟଦ୍ଭର ସଗ୍ଦ ଗ୍ଧଷର ବଭସକ୍ଷସଗ୍ଧଚ୍ଚ ଗ୍ଧକ୍ଟ କ୍ସରଜ୍ଞବସଦ୍ଭ ଷବକ୍ଟ୍ରକ୍ଟ୍ରଚ୍ଚ.
ଏହି ଋତୁରେ ପ୍ରକୃତିର ପ୍ରାଣସ୍ପର୍ଶୀ ଆହ୍ୱାନ ସମସ୍ତଙ୍କୁ ମୋହଗ୍ରସ୍ତ କରିପକାଏ । ଏ ଋତୁରେ ସମସ୍ତଙ୍କ ହୃଦୟରେ ଜାଗିଉଠେ ପ୍ରେମ, ପ୍ରଣୟ, ଉନ୍ମାଦନାର ସୂକ୍ଷ୍ମ ଭାବଟିଏ । ବସନ୍ତର କାଉଁରୀ ସ୍ପର୍ଶରେ ପ୍ରେମର ଫୁଆର ସୃଷ୍ଟିହୁଏ ମାଟିରୁ ଆକାଶଯାଏଁ । ବସନ୍ତ ପ୍ରେମର ଋତୁ, ପ୍ରଣୟର ଋତୁ, ମିଳନର, ସମ୍ଭୋଗର ଋତୁ । ପତ୍ନୀ ରତିଙ୍କ ପ୍ରାର୍ଥନାରେ ଶିବଙ୍କର ଅଭିଶାପରେ ଭସ୍ମୀଭୂତ ହୋଇଯାଇଥିବା କାମଦେବ ପୁନଶ୍ଚ ବସନ୍ତ ଋତୁର ରଙ୍ଗବୋଳା ପ୍ରକୃତି ଓ ଶ୍ୟାମଳିମା ମଧ୍ୟରେ ଅଶରୀରେ ବିରାଜମାନ କଲେ । ତାଙ୍କର ପଞ୍ଚପୁଷ୍ପ – ଅଶୋକ, ଅରବିନ୍ଦ, ଚୂତ, ନବମଲ୍ଲିକା ଓ ନୀଳୋତ୍ପଳ ଏବଂ ପଞ୍ଚବାଣ ଯଥା – ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ପ୍ରକୃତିର ଚିହ୍ନରେ ପ୍ରକଟିତ ହୁଏ । ଅସରା ପ୍ରୀତି ଓ ପ୍ରଣୟର ସନେ୍ଦଶ ନେଇ ଉଭାହୁଏ ଫୁଲେଇ ଫଗୁଣ, ଫୁଲରେ ଫୁଲରେ ସଜେଇ ଦେଇ ନିଜର ଗଭାକୁ, ଅବିର ରଙ୍ଗରେ ମାଖିଦେଇ ଅଙ୍ଗ ପ୍ରତ୍ୟଙ୍ଗକୁ ।
ଫୁଲ ଫୁଟା ଋତୁ ପରା ଏଇ ଫଗୁଣ – ସର୍ବାଧିକ ଫୁଲ ଫୁଟେ ବୋଲି ଫୁଲର ଫଗୁଣ, ରଙ୍ଗର ସମ୍ଭାର ନେଇ ଆସେ ବୋଲି ଫଗୁର ଫଗୁଣ । ଏ ଋତୁରେ ଫୁଟେ ମାଧବୀ, ମଲ୍ଲିକା, କେତକୀ, ନାଗେଶ୍ୱର, କରବୀର, ଜୁଇ, କୃଷ୍ଣଚୂଡ଼ା, ପଳାଶ, କୁନ୍ଦ, ମଲ୍ଲୀ, ବଉଳ ଆଦି କେତେ ଫୁଲ । ଫୁଲ ପରି କୋମଳ ହୁଏ ମନ ଆଉ ହୃଦୟ । ପୃଥିବୀ ହୁଏ ଆନମନା । ସ୍ୱର୍ଗୀୟ ପ୍ରେମ, ପବିତ୍ରତା, ଅତିନ୍ଦି୍ରୟ ସୁଖ, ଶାନ୍ତି, ଆନନ୍ଦରେ ଚହଲିଯାଏ ପ୍ରତିଟି ପରାଣ । ଦୋଳଗୋବିନ୍ଦ ଆଉ କି ରହିପାରନ୍ତି ଦୂର ଆକାଶର ସେ ଅଦୃଶ୍ୟ ଇଲାକାରେ! ପ୍ରଣୟିନୀ ଶ୍ରୀରାଧାଙ୍କ ସହ ବିଜେ କରନ୍ତି ବିମାନରେ, ଗ୍ରାମ୍ୟ ପରିକ୍ରମଣ ସାରି ବିରାଜମାନ କରନ୍ତି ଦୋଳ ମଣ୍ଡପରେ ଥିବା ସୁସଜ୍ଜିତ ପୁଷ୍ପଦୋଳିରେ । ସତେ ଅବା ବିମାନରେ ଝୁଲୁଥିବା ପେନ୍ଥା ପେନ୍ଥା କଷି ଆମ୍ବର ପରଶରେ ଶ୍ୟାମଳ ତନୁକାନ୍ତି ଆହୁରି ଶ୍ୟାମଳିମାମୟ ହୋଇଉଠେ !! ରଙ୍ଗ ଅବିରର ଖେଳ, ଧାଁଧଉଡ଼, ଲୁଚକାଳି ଭିତରେ ପ୍ରାଣମୟ, ରସମୟ ହୁଏ ଜୀବନର ଛନ୍ଦ, ରାଧାକୃଷ୍ଣ ପ୍ରେମରେ ତଲ୍ଲୀନ ଭକ୍ତ ସମାଜ ଗାଇ ଉଠେ –
ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନଂ
ରଥେ ତୁ ବାମନଂ ଦୃଷ୍ଟ୍ୱା ପୁର୍ନଜନ୍ମ ନ ବିଦ୍ୟତେ ।
ଶ୍ରୀମଦ୍ଭାଗବତରେ ମଧ୍ୟ ଗୋପେଶ୍ୱର ଶ୍ରୀକୃଷ୍ଣଙ୍କର ମାଧୁର୍ଯ୍ୟରସ ଓ ଅପ୍ରାକୃତ ଦିବ୍ୟପ୍ରେମର ରହସ୍ୟ ବର୍ଣ୍ଣନା କରାଯାଇଛି । ସେଥିରେ ଏହାକୁ ରାସଉତ୍ସବ ନାମରେ ନାମିତ କରାଯାଇଛି । ପୂର୍ଣ୍ଣମୀର ଜ୍ୟୋତ୍ସ୍ନାବିଧୌତ ରଜନୀର କମନୀୟ ପ୍ରକୃତି କୋଳରେ ଦିବ୍ୟନାରୀ ଗୋପାଙ୍ଗନାମାନଙ୍କ ସହିତ ରସିକନାଗର ପ୍ରେମମୟ ନଟବର ଗୋପୀନାଥ ଯେଉଁ ଅପ୍ରାକୃତ ସ୍ୱର୍ଗୀୟ ପ୍ରେମର ଲୀଳା ସମ୍ପାଦନ କରିଥିଲେ, ତାହାର ସ୍ମୃତିରେ ମୁଖ୍ୟତଃ ଶରତ ରାସ ଓ ବସନ୍ତରାସ ପାଳିତ ହୋଇଆସୁଛି ଅଦ୍ୟାବଧି ଏବଂ ଏହି ବସନ୍ତରାସରୁ ହିଁ ଦୋଳ ଉତ୍ସବର ଉତ୍ପତ୍ତି ହୋଇଥିଲା ବୋଲି ଜଣାଯାଏ । ସେଥିପାଇଁ କବି (ପ୍ରତିଭା ମହାରଥୀ)ଙ୍କ ଲେଖନୀ ଚଳଚଞ୍ଚଳ ହୋଇଛି, “ଆଜି ଫଗୁଣ ଆସିଛି ମହୀରେ” କବିତାରେ –
“ଫୁଲେ ଫୁଲେ କେତେ ସୁରଭି ରଙ୍ଗ
ଚଉଦିଗେ ଖେଳେ ପ୍ରେମ ତରଙ୍ଗ
ଆସୁଛନ୍ତି ସେ ରସିକ ନାଗର, ନନ୍ଦକୁମର, ଏ ପୁରେ
ଆଜି ଫଗୁଣ ଆସିଛି ମହୀରେ
ଆସ ଅବିର ଖେଳିବା ସହିରେ…”
ଏହାକୁ କେହି କେହି ମଧ୍ୟ ରଙ୍ଗର ମହୋତ୍ସବ ବୋଲି କହିଥାନ୍ତି । କେତେକ ପ୍ରାକୃତିକ ରଙ୍ଗ ଓ ଅବିରରେ କିଛି ଚର୍ମରୋଗ ଦୁରୀଭୁତ ହେଉଥିବାରୁ ହୋଲିଖେଳକୁ ଏକ ବିଜ୍ଞାନସମ୍ମତ ପ୍ରଥା ଭାବେ ପାଳନ କରାଯାଉଥିଲା । ମାତ୍ର ଅଧୁନା ବଜାରରେ ଯେଉଁ ରଙ୍ଗ, ପିଚକାରୀ, ଅବିର ଆଦି ମିଳୁଛି, ତାହା ବିଭିନ୍ନ ଭୟଙ୍କର ରାସାୟନିକ ପଦାର୍ଥର ସମ୍ମିଶ୍ରଣରେ ପ୍ରସ୍ତୁତ ହେଉଥିବାରୁ ତାହା ବେଳେବେଳେ ବିପଦକୁ ଡାକି ଆଣିଥାଏ । ଅର୍ଥାତ୍ ମୃତୁ୍ୟର ମଧ୍ୟ କାରଣ ହୋଇଥାଏ । ତେଣୁ ଲୋକମାନଙ୍କ ଭିତରେ ସଚେତନତାର ଅଭାବ ରହିଲେ ଏହିପରି ଦୁର୍ଯୋଗ ହିଁ ଉପସ୍ଥିତ ହୁଏ । ମାତ୍ର ଏହି ଅବିର ଖେଳ ପଛରେ ଥିବା ଆଧ୍ୟାତ୍ମିକ ରହସ୍ୟଟି ହେଲା ସର୍ବଗୁଣର ସାଗର ପରମପିତାଙ୍କ ସତ୍ସଙ୍ଗର ରଙ୍ଗ ଏବଂ ଈଶ୍ୱରୀୟ ଦିବ୍ୟ ଗୁଣରେ ଜୀବନକୁ ରଙ୍ଗୀନ କରିବା । କାରଣ ଈଶ୍ୱରଙ୍କ ସଙ୍ଗ ହିଁ ଶ୍ରେଷ୍ଠ ସତ୍ସଙ୍ଗ, ତାଙ୍କ ବିଷୟରେ ସମସ୍ତ ଜ୍ଞାନ ହିଁ ସଦ୍ଜ୍ଞାନ, ତାଙ୍କର ଗୁଣ ହିଁ ସଦ୍ଗୁଣ, ତାଙ୍କ ପାଇଁ ନିବେଦିତ ସମସ୍ତ କର୍ମ ହିଁ ସଦ୍କର୍ମ ଏବଂ ଈଶ୍ୱରଙ୍କ ପ୍ରଦତ୍ତ ମତ ହିଁ ଶ୍ରେଷ୍ଠମତ ବା ଶ୍ରୀମତ ଅଟେ ।
ସମଗ୍ର ଓଡ଼ିଶାରେ ବିଷ୍ଣୁ ମନ୍ଦିର, ଗୋପୀନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିରମାନଙ୍କରେ ଦୋଳ ଉତ୍ସବ ଉପଲକ୍ଷେ ରାଧାକୃଷ୍ଣଙ୍କ ସହିତ ଅନ୍ୟ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ବିମାନରେ ବସି ଏକତ୍ର “ଦୋଳମେଳଣ’ ପଡ଼ିଆରେ ବିରାଜମାନ କରନ୍ତି । ନାନା ରଙ୍ଗର ଅବିର ସହିତ ଧୂପ ଦୀପ, ନୈବେଦ୍ୟ (ମୁଖ୍ୟତଃ ଚଣା ଓ ସାକର) ଠାକୁରମାନଙ୍କୁ ଆଗମନ ସମୟରେ ପ୍ରତି ଘରମାନଙ୍କରୁ ଅର୍ପଣ କରାଯାଇଥାଏ । ଠାକୁରଙ୍କ ମନ୍ଦିରକୁ ଭକ୍ତଟିଏ ଯାଇ ଭକ୍ତି ଅର୍ଘ୍ୟ ଅର୍ପଣ କରିବା ପରିବର୍ତ୍ତେ ଠାକୁର ନିଜେ ଆସି ଗାଁ ଦାଣ୍ଡରେ ଘର ସମ୍ମୁଖରେ ଉପସ୍ଥିତ ହୋଇ ଆମ ହାତରୁ ଭକ୍ତି ନୈବେଦ୍ୟ ଗ୍ରହଣ କରିଥାନ୍ତି । ଏହା ହିଁ ତ ଅନନ୍ୟ ଦୋଳ ମହୋତ୍ସବର ସ୍ୱାତନ୍ତ୍ର୍ୟ । ଏହା ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସ୍ନେହ, ପ୍ରେମ, ମୈତ୍ରୀ, ଏକତା ଓ ବନ୍ଧୁତ୍ୱ ସୃଷ୍ଟିକରେ, ମଣିଷ ମଣିଷ ଭିତରେ ଓ ଅସରା ସୁଖ, ଶାନ୍ତି, ଆନନ୍ଦ ଅଜାଡ଼ି ଦିଏ ଜୀବନ ସ୍ରୋତରେ ।

Comments are closed.