Odisha news

ତାତିରେ ଜଳୁଛି ଓଡିଶା : ୧୬ ସହର ୪୧ ଡିଗ୍ରି ପାର୍, ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶାରେ ସ୍ଥିତି ଆହୁରି ଭୀଷଣ ହେବ , ପୂରା ରାଜ୍ୟ ପାଇଁ ହିଟ୍-ୱେଭ୍‌ ସତର୍କତା

ଭୁବନେଶ୍ବର: ତତଲା ତାୱାରେ ଆଜି ଛଟପଟ ହୋଇଛି ଓଡ଼ିଶା। ଆକାଶରୁ ନିଆଁ ପିଣ୍ଡୁଳା ଖସିବା ଭଳି ସ୍ଥିତି ସୃଷ୍ଟି କରିଛି। ଜନଜୀବନ କଲବଲ ହୋଇପଡ଼ିଛନ୍ତି ଗ୍ରୀଷ୍ମର ତାତିରେ। ରାଜ୍ୟର ଅଧା ଅଞ୍ଚଳ ଅର୍ଥାତ୍ ପ୍ରାୟ ୧୬ଟି ସହରର ତାପମାତ୍ରା ୪୧ଡିଗ୍ରି ଉପରେ ରହିଥିବା ବେଳେ ସେଥିମଧ୍ୟରୁ ୬ଟି ସହର ୪୨ଡିଗ୍ରି ଉପରେ ରହିଛି। ସର୍ବାଧିକ ଉତ୍ତପ୍ତ ସହର ଭାବେ ବାରିପଦାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ ହୋଇଛି। କେବଳ ରାଜ୍ୟ ନୁହେଁ, ସାରା ଦେଶରେ ଆଜି ଉତ୍ତପ୍ତ ସହର ପାଲଟିଛି ବାରିପଦା।

ହେଲେ ଏଥିରୁ ନିସ୍ତାର ମିଳିବାର ନାହିଁ। ବରଂ ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶାରେ ସ୍ଥିତି ଆହୁରି ଭୀଷଣ ହୋଇପାରେ। ଏହି ସମୟରେ ତାପମାତ୍ରା ୨ଡିଗ୍ରି ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଏଥିସହିତ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୪ଡିଗ୍ରି ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏବେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ନଥିବାରୁ ଏବଂ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ନଥିବାରୁ ରାଜ୍ୟରେ ତାପମାତ୍ରା ନିୟନ୍ତ୍ରଣରେ ରହିବ ନାହିଁ। ପ୍ରବଳରୁ ଅତିପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କେନ୍ଦ୍ର ଆସନ୍ତା ଦୁଇ ଦିନ ସମଗ୍ର ରାଜ୍ୟ ପାଇଁ ହିଟ୍‌-ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। କାମ ନ ଥିଲେ, ବାହାରେ ନ ବୁଲିବା ଲାଗି ସରକାର ସତର୍କ କରାଇ ଦେଇଛନ୍ତି। ଅଂଶୁଘାତ ଜନିତ ସମସ୍ତ ନିୟମ ମାନିବାକୁ ବି କୁହାଯାଇଛି।

ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି,
ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ତାପମାତ୍ରା ସ୍ବାଭାବିକଠାରୁ ଖୁବ୍‌ ଅଧିକ ରହିବାର ସମ୍ଭାବନା ରହିଥିବାରୁ ଏହି ସବୁ ଜିଲ୍ଲାରେ ଗ୍ରୀଷ୍ମ ଲହରି ପରିସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ବୁଧବାର ସକାଳ ସୁଦ୍ଧା ତାହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଓଡ଼ିଶାରେ ଲଘୁଚାପଜନିତ ବର୍ଷାର ସମ୍ଭାବନା ନାହିଁ। ସାରା ରାଜ୍ୟକୁ ରାଜସ୍ଥାନରୁ ଗରମ ପବନ ସିଧା ବହୁଛି। ରାଜସ୍ଥାନରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଏହା ଓଡ଼ିଶାକୁ ପ୍ରବାହିତ ହେବା ସମୟରେ ବା‌ଟରେ ଉତ୍ତାପ ଗ୍ରହଣ କରିବା ଯୋଗୁଁ ଅଧିକ ଉତ୍ତପ୍ତ ହେଉଛି। ଉପକୂଳର କୂଳେକୂଳେ ବହୁଥିବା ବଙ୍ଗୋପସାଗରୀୟ ପବନ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରକୁ ମୁହାଁଇବାରୁ ସାମୁଦ୍ରିକ ପବନ ରାଜ୍ୟକୁ ଆସିପାରୁନାହିଁ। ଫଳରେ ସମଗ୍ର ଉପକୂଳ ମଧ୍ୟ ଉତ୍ତପ୍ତ ହୋଇଯାଇଛି। ଓଡ଼ିଶା ସମେତ ଛତିଶଗଡ଼, ଆନ୍ଧ୍ର ଉପକୂଳ, ତେଲେଙ୍ଗାନା ଓ ଦକ୍ଷିଣ ପଶ୍ଚିମ ବାଂଲାଦେଶର ସବୁଠାରୁ ଉତ୍ତପ୍ତ ଭୂଖଣ୍ଡରେ ପରିଣତ ହୋଇଛି।

ଆକଳନ କରାଯାଉଛି ଯେ ଏପ୍ରିଲ ପହିଲା ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରିରୁ ଅଧିକ ରହିବ, କିଛି କିଛି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରି ବି ଅତିକ୍ରମ କରିପାରେ। ଭୁବନେଶ୍ବରର ତାପମାତ୍ରା ୪୩ ଡିଗ୍ରି ସ୍ପର୍ଶ କରିପାରେ। ତେବେ ଏପ୍ରିଲ ୨ରେ ପାରଦ କମିବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୪ ତାରିଖ ଭିତରେ ପଶ୍ଚିମା ଗରମ ପବନ ସିଧା ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେତୁ ତାପମାତ୍ରା ସାମୟିକ ଭାବେ ୨ ଡିଗ୍ରି କମିପାରେ। ୫ ତାରିଖରୁ ପୁଣି ବଢ଼ିବ ଏବଂ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନାହିଁ। ଏହି ସମୟରେ କାଳବୈଶାଖୀର ସମ୍ଭାବନା ବି ଖୁବ୍‌ କମ୍‌ ରହିଛି। ତେବେ ଉପକୂଳ ଓଡ଼ିଶାରେ ୨ରୁ ୬ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବିଶେଷ ଭାବେ କମିପାରେ। ହୁଏତ ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିପାରେ।

ସାମୁଦ୍ରିକ ପବନ ସହିତ କାଳବୈଶାଖୀର ସମ୍ଭାବନା ଥିବାରୁ ତାତି କମିବାର ଆକଳନ କରାଯାଉଛି। ଅତ୍ୟଧିକ ଗରମ ସହିତ ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମି ବହୁତ ବେଶି ରହୁଥିବାରୁ ଖରା ବେଳେ ସିଧା ଖରାଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୩୧ତାରିଖ ସକାଳ ସୁଦ୍ଧା ଲଘୁଚାପ ଓ ଏପ୍ରିଲ ୧ ତାରିଖ ଦିନ ସ୍ପ‌ଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବା ପରେ ଉତ୍ତର ଆଣ୍ଡାମାନସାଗର ଦେଇ ମିଆଁମାର୍‌ ଆଡ଼କୁ ମୁହାଁଇବ। ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଡ. ପଶୁପାଳକ କହିଛନ୍ତି।

Comments are closed.