Odisha news

ଅପହଞ୍ଚ ସାକ୍ଷରତା ! : ଯେଉଁ ଦେଶ ଯେତେ ଶିକ୍ଷିତ, ସେହି ଦେଶ ସେତେ ଉନ୍ନତ

0

ସାକ୍ଷରତା ପ୍ରଗତିର ଚାବିକାଠି । ଯେଉଁ ଦେଶ ଯେତେ ଶିକ୍ଷିତ, ସେହି ଦେଶ ସେତେ ଉନ୍ନତ । ଯେତେ ଯାହା ଯୋଜନା କଲେ ବି ନିରକ୍ଷରତା ଦୂର ନ ହେଲେ କୈାଣସି ଦେଶର ଉନ୍ନତି ଆଶାନୁରୂପ ହୋଇପାରିବନାହିଁ । କାରଣ ଏହା ଉପରେ ମାନବ ସମ୍ବଳର ବିକାଶ ନିର୍ଭର କରେ । ଏକ ଲୋକପ୍ରିୟ କାହାଣୀ କୁହେ – “ଯଦି ତୁମେ ଆଗାମୀ ଏକ ବର୍ଷ ପାଇଁ ଯୋଜନା କରୁଛ, ତାହେଲେ ଜମିରେ କିଛି ମଞ୍ଜି ବୁଣିଦିଅ, ଯଦି ୧୦ ବର୍ଷ ବା ତା ଠାରୁ ଉର୍ଦ୍ଧ୍ୱ ସମୟ ପାଇଁ ଯୋଜନା କରୁଛ, ତାହେଲେ ଜମିରେ କିଛି ଗଛ ଲଗାଇଦିଅ, ଆଉ ଯଦି ୧୦୦ ବର୍ଷ ପାଇଁ ଯୋଜନା କରୁଛ, ତାହେଲେ ସମସ୍ତଙ୍କୁ ଶିକ୍ଷିତ କରାଇଦିଅ” । ଏଥିରୁ ସାକ୍ଷରତାର ଗୁରୁତ୍ୱ ସ୍ପଷ୍ଟ ଅନୁମେୟ ।
ସାକ୍ଷରତା କେବଳ ଏକ ଅଧିକାର ନୁହେଁ ବରଂ ସାମାଜିକ ଓ ମାନବିକ ବିକାଶର ମାଧ୍ୟମ ଅଟେ । ତେଣୁ କୌଣସି ଦେଶର ବାସ୍ତବ ବିକାଶ ସେ ଦେଶର ସାକ୍ଷରତା ସହ ଅଙ୍ଗାଙ୍ଗୀଭାବେ ଜଡିତ । ଦାରିଦ୍ର‌୍ୟ ଦୂରୀକରଣ, ଶିଶୁ ମୃତ୍ୟୁହାର ହ୍ରାସ, ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ, ପୁରୁଷ ମହିଳା ଲିଙ୍ଗାନୁପାତ ହ୍ରାସ ଓ ଉଚ୍ଚମାନର ଜୀବନଧାରଣର ମାନକୁ ଏହା ସିଧାସଳଖ ପ୍ରଭାବିତ କରେ । ସେଥିପାଇଁ ୟୁନେସ୍କୋ ତରଫରୁ ଚଳିତ ବର୍ଷ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ କରାଯାଇ ଆସୁଅଛି । ବିଶେଷକରି କମ୍ପ୍ୟୁଟର,ଇଣ୍ଟରନେଟ୍‌,ମୋବାଇଲ,ହ୍ୱାଟସଆପ୍‌,ଫେସବୁକ୍ ଓ ଟ୍ୱିଟର ସମଗ୍ର ବିଶ୍ୱକୁ ଏକ ଛୋଟିଆ ଗାଆଁରେ ପରିଣତ କରିଥିବା ବେଳେ ସାକ୍ଷରତା ସହ ବହୁଭାଷୀ ଦକ୍ଷତାର ଗୁରୁତ୍ୱ ଆହୁରି ବଢିଯାଇଅଛି । କାରଣ ଏହା କାର୍ଯ୍ୟ କୁଶଳତା ବୃଦ୍ଧି କରିବା ସହ ଜୀବନଧାରଣର ମାନକୁ ଉନ୍ନତ କରିଥାଏ ।

ଏବେବି ବିଶ୍ୱରେ ନିରକ୍ଷରଙ୍କ ସଂଖ୍ୟା ପ୍ରାୟ ୭୫ କୋଟିରୁ ଉର୍ଦ୍ଧ୍ୱ । ପ୍ରତି ପାଞ୍ଚଜଣ ପ୍ରାପ୍ତ ବୟସ୍କ ଲୋକଙ୍କ ମଧ୍ୟରେ ଜଣେ ନିରକ୍ଷର । ଅନ୍ୟୁନ ୭କୋଟି ଶିଶୁ ନିମ୍ନ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ । କେତେ ଶିଶୁ ପ୍ରାଥମିକ ସ୍ତରରୁ ହିଁ ଶିକ୍ଷା ଛାଡୁଛନ୍ତି ତାହାର କୌଣସି ହିସାବ ନାହିଁ । ପରିସଂଖ୍ୟାନ ତଥ୍ୟରୁ ଜଣାପଡେ ଦକ୍ଷିଣ ଓ ପଶ୍ଚିମ ଏସିଆରେ ପ୍ରାପ୍ତ ବୟସ୍କ ନିରକ୍ଷରଙ୍କ ସଂଖ୍ୟା ସର୍ବାଧିକ । ଏହା ପଛକୁ ଅଛନ୍ତି ଆରବ ଓ ଆଫ୍ରିକାନ୍ ରାଷ୍ଟ୍ରସମୂହ । ବର୍କିନା ଫାସୋ, ନିଗର ଓ ମାଲିରେ ସାକ୍ଷରତା ହାର ବିଶ୍ୱରେ ସବୁଠାରୁ କମ୍ ଯଥାକ୍ରମେ ୧୨.୮ ପ୍ରତିଶତ, ୧୪.୪ ପ୍ରତିଶତ ଓ ୧୯ ପ୍ରତିଶତ । କିନ୍ତୁ ବିଶ୍ୱର ସାକ୍ଷରତା ହାର ୮୪ ପ୍ରତିଶତକୁ ବିଚାରକୁ ନେଲେ ସ୍ୱୀକାର କରିବାକୁ ହେବ ଯେ ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି । ଏକ ସର୍ବେକ୍ଷଣରୁ ଯଣାପଡିଛିଯେ ଏବେବି ଆମ ଦେଶରେ ପ୍ରାୟ ୨୮ କୋଟିରୁ ଉର୍ଦ୍ଧ୍ୱ ଲୋକ ନିରକ୍ଷର ଅଛନ୍ତି ।
ଏହି ପରିପ୍ରେକ୍ଷୀରେ ବିଶ୍ୱରେ ସାକ୍ଷରତା ହାର ଅଧିକ ଥିବା ଦେଶମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଗ୍ରେଟବ୍ରିଟେନ, ସୋଭିଏତ୍ ଋଷ, ସୁଇଡେନ, କାନାଡା ପ୍ରଭୃତି ଦେଶରେ ସାକ୍ଷରତା ହାର ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ, ୯୯.୬ ପ୍ରତିଶତ, ୯୯ ପ୍ରତିଶତ ରହିଛି । ଏପରିକି କାନାଡା, ନିଉଜିଲ୍ୟାଣ୍ଡ ଓ ବର୍ମା ପ୍ରଭୃତି ଦେଶରେ ମ୍ମ ସାକ୍ଷରତା ହାର ହେଉଛି ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ ଓ ୮୯ ପ୍ରତିଶତ । ଏହି ପରିପ୍ରେକ୍ଷୀରେ ଆମ ଦେଶକଥା ବିଚାରକୁ ନେଲେ ୨୦୧୧ ଜନଗଣନା ଅନୁସାରେ ଆମ ଦେଶର ସାକ୍ଷରତା ହାର ୭୪.୦୪ ପ୍ରତିଶତ । ତନ୍ମ୍ମରୁ ପୁରୁଷ ସାକ୍ଷରତା ହାର ୮୨.୧୪ ପ୍ରତିଶତ ହୋଇଥିବା ବେଳେ ନାରୀ ସାକ୍ଷରତା ହାର ୬୫.୪୬ ପ୍ରତିଶତ । ଏଥିରୁ ଅନୁମେୟ ପୃଥିବୀର ଅନ୍ୟ ଦେଶ ତୁଳନାରେ ଭାରତର ନିରକ୍ଷରତା ସମସ୍ୟା ଉତ୍କଟତର ।

ସେହିପରି ଆମ ପ୍ରଦେଶ ଓଡ଼ିଶା କଥା ଚିନ୍ତାକଲେ ଅନ୍ୟ ରାଜ୍ୟ ତୁଳନାରେ ଆମେ ପଛରେ । କେରଳ ଓ ମିଜୋରାମରେ ସାକ୍ଷରତା ହାର ଯଥାକ୍ରମେ ୯୩.୯୧ ପ୍ରତିଶତ ଓ ୯୧.୬ ପ୍ରତିଶତ ହୋଇଥିବା ବେଳେ ବିହାରରେ ସର୍ବନିମ୍ନ ସାକ୍ଷରତା ହେଉଛି ୬୩.୮୨% । ଆମ ଓଡିଶାର ସାକ୍ଷରତା ହାର ୭୩.୫ ପ୍ରତିଶତ ଯାହାକି ଜାତୀୟ ହାର ଠାରୁ କମ୍ । ଏମାନଙ୍କ ମଧ୍ୟରୁ ପୁରୁଷ ସାକ୍ଷରତା ହାର ୮୨.୪ ପ୍ରତିଶତ ଓ ମହିଳା ସାକ୍ଷରତା ହାର ୬୪.୩୬ ପ୍ରତିଶତ ।
ମାନବ ଜାତିର ସର୍ବାଙ୍ଗୀନ ବିକାଶର ଉତ୍ସ ହେଉଛି ଶିକ୍ଷା । ପ୍ରତ୍ୟେକ ମଣିଷକୁ ଶିକ୍ଷାର ଅଙ୍ଗନକୁ ଆଣିବା ପାଇଁ ସବୁସ୍ତରରେ ଉଦ୍ୟମ ଜାରି ରହିଛି । ଏସବୁ ସତ୍ୱେ ବିଶ୍ୱ ସ୍ତରରେ ପ୍ରତି ୫ଜଣ ବୟସ୍କଙ୍କ ମ୍ମରେ ଜଣେ ଅଶିକ୍ଷିତ ଅଛନ୍ତି । ଆମ ଦେଶ ଓ ରାଜ୍ୟ କଥା ଆହୁରି ତଦ୍ରୁପ । ଏହି ସମସ୍ୟାର ସମାଧାନ ପାଇଁ ପ୍ରାକ୍ ସ୍ୱାଧୀନତା କାଳରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୯୭୮ ମସିହା ଅକ୍ଟୋବର ୨ ତାରିଖରେ ଭାରତ ସରକାର ବହୁଚର୍ଚ୍ଚିତ ପ୍ରୈାଢ ଶିକ୍ଷା କାର୍ଯ୍ୟକ୍ରମ ଓ ୧୯୮୭ ମଇ ମାସ ୫ ତାରିଖରୁ ଦେଶରେ ସାକ୍ଷରତା ମିଶନ୍ କାର୍ଯ୍ୟକାରୀ ହେଉଛି । ପରବର୍ତ୍ତୀ କାଳରେ ସମ୍ପୂର୍ଣ୍ଣ ସାକ୍ଷରତା ଯୋଜନା, ନିରନ୍ତର ଶିକ୍ଷା କାର୍ଯ୍ୟକ୍ରମ ଭଳି ଅନେକ ଯୋଜନା ପ୍ରଣୟନ ହୋଇଛି । ସେହିପରି ଓଡ଼ିଶା ସରକାର ୨୦୦୨ ମସିହାରୁ ସର୍ବଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଛନ୍ତି ।

ଭାରତ ସରକାର ୨୦୦୯ ମସିହାରେ ଐତିହାସିକ ଶିକ୍ଷା ଅଧିକାର ବିଲ୍ ଆଣି ଶିକ୍ଷାକୁ ମୌଳିକ ଅଧିକାର ପରିସରଭୁକ୍ତ କରିଛନ୍ତି । ଏହାଦ୍ୱାରା ୬ ରୁ ୧୪ ବର୍ଷ ବୟସର ପ୍ରାୟ ୯୨ ଲକ୍ଷ ଶିଶୁ ଶିକ୍ଷାଲାଭର ସୁଯୋଗ ପାଇବାର ଲକ୍ଷ୍ୟ ରଖାଯାଇଛିା ଏକ ହିସାବରୁ ଜଣାଯାଏ ଓଡ଼ିଶାରେ ମଧ୍ୟ ମୋଟ ୬୮ ଲକ୍ଷ ୨୮ ହଜାର ୩୫୭ ଜଣ ଶିଶୁଙ୍କ ମଧ୍ୟରୁ ୩ ଲକ୍ଷ ୫୧ ହଜାର ୧୪୭ ଜଣ ପିଲା ସ୍କୁଲ ଦୁଆରମୁହଁ ମାଡିନାହାଁନ୍ତି ।
ଆମକୁ ମନେ ରଖିବାକୁ ହେବ ଯେ, ସାକ୍ଷରତା ଯେକୌଣସି ଦେଶର ଅଭିବୃଦ୍ଧିର ମୂଳ ଉତ୍ସ । । ଏଦିଗରେ ଅବହେଳା କଲେ ପ୍ରଗତିର ଧାରା ବ୍ୟାହତ ହେବ । ସାକ୍ଷରତା ଅଭିବୃଦ୍ଧି ନିମନ୍ତେ କ୍ରମାଗତ ପ୍ରୟାସ ଏକାନ୍ତ ଅପରିହାର୍ଯ୍ୟ ।

Leave A Reply