Odisha news

କଟକ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

0

ଭୁବନେଶ୍ୱର,୨୩/୧ : ହଜାରେ ବର୍ଷର ସହର କଟକର ନବୀକରଣ ପାଇଁ ଏକ ବିଧିବଦ୍ଧ ଯୋଜନା କରାଯିବା ସହ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ରିଂ ରୋଡ୍ କୁ ୬ ଥାକିଆ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ବ୍ୟତୀତ ମହାନଦୀର ପୁନରୁଦ୍ଧାର ଜମିରୁ ସହରରରେ ମୁକ୍ତ ପରିବେଶ ସହିତ ରିଭର ଫ୍ରଂଟ ବିକାଶ କରାଯାଇ ପର୍ଯ୍ୟଟନ ପାଇଁ ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଯାଇ ମାତା ମଠ ନିକଟରେ ମହାନଦୀ କୂଳ ବୁଲି ଦେଖିବା ସହ ବିକାଶ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହଜାର ବର୍ଷର ସହର କଟକ ଅନେକ ଐତିହାସିକ ସ୍ମୃତି ବହନ କରୁଛି । ତେଣୁ ଏହାର ସମୁଚିତ ବିକାଶ ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ ।ଏଥିପାଇଁ ମୁଖ୍ୟମନ୍ତ୍ରୀ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି । କଟକ ସହର ପାଇଁ ଏକ ବିଧିବଦ୍ଧ ଡିକଂଜେଷ୍ଟନ୍ ପ୍ଲାନ୍ କରାଯିବ । ଏଥିରେ ରାସ୍ତାଘାଟର ପ୍ରଶସ୍ତିକରଣ ସହିତ ମୁକ୍ତ ପରିବେଶ , ଉଦ୍ୟାନ ଏବଂ ସବୁଜିମା ସହିତ ଅତ୍ୟାଧୁନିକ ଭିତିଭୂମି ବିକାଶ କରାଯାଇ କଟକ ସହରକୁ ନୂଆ ରୂପ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ କଟକ ଏସସିବି ମେଡିକାଲ କଲେଜ ର ଉନ୍ନତିକରଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ମାସରେ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଦୋହରାଇଥିଲେ । ଏହା ବ୍ୟତୀତ ମହାନଦୀରୁ ପୁନରୁଦ୍ଧାର ହୋଇଥିବା ୪୨୪ ଏକର ପରିମିତ ଜମିର ପ୍ରତିଟି ଇଂଚ୍ କୁ ସହରବାସୀଙ୍କ ସୁଖ ସୁବିଧା ଓ ମୌଳିକ ଆବଶ୍ୟକତା ପୂରଣ ପାଇଁ ବିନିଯୋଗ କରାଯିବ । କ୍ରୀଡା ଠାରୁ ଆରମ୍ଭ କରି ସାଂସ୍କୃତିକ ତଥା ଅବସର ବିନୋଦନ ଏବଂ ପରିବେଶର ଉନ୍ନତି ନିମନ୍ତେ ଏଠାରେ ପଦକ୍ଷେପ ନିଆଯିବ । ଏହି ଜମିର ଅଧିକାଂଶ ଅଂଚଳ ସବୁଜିମା ସୃଷ୍ଟି ପାଇଁ ବିନିଯୋଗ କରାଯିବ । କଟକ ସହର ପାଇଁ ଏହିସବୁ ଯୋଜନା ନିମନ୍ତେ ଅଭିଜ୍ଞ ସହରାଂଚଳ ପ୍ରସ୍ତୁତିକାରୀଙ୍କରୁ ନିୟୋଜିତ କରାଯିବ । ସେମାନଙ୍କ ସହରର ବିକାଶରେ ଜନସାଧାରଣଙ୍କର ଅବଦାନକୁ ଗୁରୁତ୍ୱ ଦେବା ନିମନ୍ତେ ଜନସାଧାରଣଙ୍କ ମତତ୍ତକୁ ଗ୍ରହଣ କରାଯାଇ ଚୂଡାନ୍ତ ଯୋଜନା ପ୍ରସ୍ତୁତ କରାଯିବ ।
କଟକ ସହରର ବିକାଶ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ସମ୍ବଳ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply