ଛତ୍ରପୁର ୪/୮: ଗଞ୍ଜାମ ପୁଲିସ ଜିଲ୍ଲାରେ କାର୍ଯ୍ୟରତ ଜଣେ ଏଏସଆଇ ତଥା କୋଭିଡ୍ ଯୋଦ୍ଧା କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଛନ୍ତ । ଗଞ୍ଜାମ ପୁଲିସ ଜିଲ୍ଲାର ତାରସିଙ୍ଗ ଥାନା ଅଧିନରେ ମୃତ ଏସଏସଆଇ ସୀତାରାମ ଦାଶ କାର୍ଯ୍ୟରତ ଥିଲେ । ସେ କରୋନା ଆକ୍ରାନ୍ତ ହେବା ପରେ ଭଞ୍ଜନଗର କୋଭିଡ୍ କେୟାର କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି ।
ଏନେଇ ଆଜି ଗଞ୍ଜାମ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ତାଙ୍କର ମର ଶରୀରକୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଉପସ୍ଥିତିରେ ସମସ୍ତ ପୁଲିସ ଅଧିକାରୀ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଂଟ୍ ନୀରବ ପ୍ରାର୍ଥନା କରିଥିଲେ । ପରେ ତାଙ୍କ ପରିବାରବର୍ଗଙ୍କୁ ଏସପି ଭେଟି ସମବେଦନା ଜଣାଇବା ସହ ପୁଲିସ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଥିଲେ ।
କୋଭିଡ୍ ଯୋଦ୍ଧା ତଥା ସ୍ୱର୍ଗତ ଏଏସଆଇ ଶିବରାମ ଦାଶଙ୍କ ନିଜ ଘର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପୋଡ଼ାପଦର ଗ୍ରାମ ଅଟେ । ଏହି ଅବସରରେ ମୃତ ଏଏସଆଇଙ୍କ ପରିବାର ସଦସ୍ୟ, ପୋଡ଼ାପଦର ସରପଂଚ ପିତାମ୍ବର ପଣ୍ଡା, ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପାତ୍ରଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ମର ଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।
କରୋନା କାର୍ଯ୍ୟରେ ନିୟୋଜିତ ହୋଇ ଗଞ୍ଜାମ ପୁଲିସ ଜିଲ୍ଲାରେ ଏବେ ସୁଦ୍ଧା ୪ଜଣ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଛନ୍ତି । ସେଥି ମଧ୍ୟରୁ ଦୁଇଜଣ ଏଏସଆଇ, ଜଣେ କନଷ୍ଟେବଳ ଓ ଜଣେ ହୋମଗାର୍ଡ ରହିଛନ୍ତି । ଗଞ୍ଜାମ ଜିଲ୍ଲାର ପୁଲିସ କମର୍ଚାରୀ ମାନେ ସବୁ ବେଳେ ଲୋକଙ୍କ ସୁରକ୍ଷା ନିମନ୍ତେ ଓ କରୋନା ମୁକାବିଲାରେ ନିଜ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇ ଆସୁଛନ୍ତି ବୋଲି ଏସପି ଶ୍ରୀ ରାୟ କହିଛନ୍ତି । ଆଗାମୀ ଦିନରେ କରୋନା ହାରିବ ଆମେ ଜିତିବା ବୋଲି ଏସପି ସୂଚନା ଦେଇଛନ୍ତି ।