Odisha news

‘ଦି ହଣ୍ଡ୍ରେଡ୍’ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରବେଶ : ଓଭାଲ୍ ଇନଭିନ୍ସିବଲ୍ସର ନୂଆ ନାଁ ହେବ ‘ଏମ୍ଆଇ ଲଣ୍ଡନ’

ରିଲାଏନ୍ସ ଏବଂ ସରେ ମଧ୍ୟରେ ସହଭାଗିତା; ୨୦୨୬ ରୁ ପୁରୁଷ ଏବଂ ମହିଳା ଉଭୟ ଦଳ ଏମଆଇ ଲଣ୍ଡନ ନାମରେ ଖେଳିବେ

0

– ଏମ୍ଆଇ ପରିବାରରେ ଦଳର ସଂଖ୍ୟା ସାତକୁ ବୃଦ୍ଧି ପାଇଛି

– ଅନନ୍ୟ ୧୦୦ବଲ୍ ଫର୍ମାଟ୍ ବିଶିଷ୍ଟ ଇଂଲଣ୍ଡର କ୍ରିକେଟ ଲିଗ ‘ଦି ହଣ୍ଡ୍ରେଡ୍‘ ରେ ଏମ୍ଆଇ ପରିବାରର ପ୍ରବେଶ

ମୁମ୍ବାଇ / ଲଣ୍ଡନ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହାୟକ କମ୍ପାନୀ ରିଲାଏନ୍ସ ଷ୍ଟ୍ରାଟେଜିକ୍ ବିଜନେସ୍ ଭେଞ୍ଚର୍ସ ଲିମିଟେଡ୍ ଏବଂ ସରେ କାଉଣ୍ଟି କ୍ରିକେଟ୍ କ୍ଲବ୍ ପକ୍ଷରୁ ଦି ହଣ୍ଡ୍ରେଡ୍‌ର ଲୋକପ୍ରିୟ ଫ୍ରାଞ୍ଚାଇଜ୍ ଓଭାଲ୍ ଇନଭିନ୍ସିବଲ୍ସରେ ଏକ ସହଭାଗିତା ଘୋଷଣା କରାଯାଇଛି। ଏହି ସହଭାଗିତା ଅନୁଯାୟୀ, ସରେକୁ ୫୧ ପ୍ରତିଶତ ଅଂଶଧନ ଏବଂ ରିଲାଏନ୍ସକୁ ୪୯ ପ୍ରତିଶତ ଅଂଶଧନ ମିଳିଛି। ୨୦୨୬ ରୁ, ପୁରୁଷ ଏବଂ ମହିଳା ଉଭୟ ଦଳ ‘ଏମ୍ଆଇ ଲଣ୍ଡନ’ ନାମରେ ଖେଳିବେ।

ଓଭାଲ୍ ଇନଭିନ୍ସିବଲ୍ସ ଦି ହଣ୍ଡ୍ରେଡ୍ ଇତିହାସରେ ସବୁଠାରୁ ସଫଳ ଦଳ ରହିଛି, ଯାହା ପାଞ୍ଚ ବର୍ଷ ମଧ୍ୟରେ ରେକର୍ଡ ପାଞ୍ଚଟି ଟାଇଟଲ ଜିତିଛି। ଏହି ଦଳରେ ସାମ୍ ଓ ଟମ୍ କରନ୍, ୱିଲ୍ ଜାକ୍ସ ଏବଂ ଆଲିସ୍ କ୍ୟାପ୍ସିଙ୍କ ପରି ଘରୋଇ ତାରକାଙ୍କ ସହିତ ରସିଦ୍ ଖାନ, ଆଡାମ ଜାମ୍ପା ଏବଂ ମାରିଜାନ୍ କାପ୍ ଙ୍କ ଭଳି ଅଭିଜ୍ଞ ଖେଳାଳି ସାମିଲ ରହିଛନ୍ତି। ଦି ହଣ୍ଡ୍ରେଡ୍ ବ୍ରିଟେନର ଏକ ପ୍ରଫେସନାଲ କ୍ରିକେଟ୍ ଲିଗ୍ ଯାହା ବିଶ୍ୱରେ ୧୦୦-ବଲ୍ ବିଶିଷ୍ଟ ଏକମାତ୍ର ଫର୍ମାଟ୍। ପ୍ରତିବର୍ଷ ଜୁଲାଇ-ଅଗଷ୍ଟରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥାଏ। ଏହି ଲିଗରେ ମୋଟ ଆଠଟି ଦଳ ଖେଳନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ପରିବାରରେ ଏହି ନୂତନ ଦଳ ଯୋଡି ହେବା ସହିତ, ଏମ୍ଆଇ ପରିବାରର ବର୍ତ୍ତମାନ ପାଞ୍ଚଟି ଦେଶରେ ସାତଟି ଦଳ ଅଛି। ଗତ ୧୭ ବର୍ଷ ମଧ୍ୟରେ, ଏମ୍ଆଇ ଫ୍ରାଞ୍ଚାଇଜ୍ ବିଶ୍ୱବ୍ୟାପୀ ୧୩ଟି ଲିଗ୍ ଟାଇଟଲ୍ ଜିତିଛି, ଯେଉଁଥିରେ ପାଞ୍ଚଟି ଆଇପିଏଲ ଟାଇଟଲ୍, ଦୁଇଟି ମହିଳା ପ୍ରିମିୟର ଲିଗ୍ ଟାଇଟଲ୍, ଦୁଇଟି ମେଜର୍ ଲିଗ୍ କ୍ରିକେଟ୍ ଟାଇଟଲ୍, ଦୁଇଟି ଚାମ୍ପିଅନ୍ସ ଲିଗ୍ ଟି୨୦ ଟାଇଟଲ୍ ଏବଂ ଆଇଏଲ ଟି୨୦ (ଏମ୍ଆଇ ଏମିରେଟସ, ୨୦୨୪) ଏବଂ ଏସଏ୨୦ (ଏମ୍ଆଇ କେପ୍ ଟାଉନ୍, ୨୦୨୫) ରେ ଗୋଟିଏ ଲେଖାଏଁ ଟାଇଟଲ୍ ଅନ୍ତର୍ଭୁକ୍ତ। ଏମ୍ଆଇର ପ୍ରଭାବଶାଳୀ ଟ୍ରାକ୍ ରେକର୍ଡ ଏହାକୁ ବିଶ୍ୱ ଟି୨୦ କ୍ରିକେଟରେ ସବୁଠାରୁ ସଫଳ ଫ୍ରାଞ୍ଚାଇଜ୍ କରିଛି।

ମୁମ୍ବାଇ ଇଣ୍ଡିଆନ୍ସର ଏହି ପଦକ୍ଷେପ ନେଇ ନୀତା ଏମ୍. ଅମ୍ବାନୀ କହିଛନ୍ତି, “ଆମେ ୱାନ ଫ୍ୟାମିଲିରେ ‘ଏମ୍ଆଇ ଲଣ୍ଡନ’କୁ ସ୍ୱାଗତ କରି ବେଶ ଆନନ୍ଦିତ। କ୍ରିକେଟର ହୃଦୟରେ ଲଣ୍ଡନର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ଏବଂ ଆମେ ଏହାର ପ୍ରସିଦ୍ଧ ଐତିହ୍ୟର ଏକ ଅଂଶ ହୋଇପାରିଥିବାରୁ ଗର୍ବିତ ଅନୁଭବ କରୁଛୁ। ସରେ ସହିତ ମିଳିତ ଭାବରେ ଆମେ ଯୁବ ପ୍ରତିଭାକୁ ଆଗକୁ ବଢାଇବା, ବିବିଧ ସମୁଦାୟକୁ ଯୋଡିବା ଏବଂ ଖେଳ ପ୍ରତି ସେମାନଙ୍କ ଭଲପାଇବା ମାଧ୍ୟମରେ ପ୍ରଶଂସକମାନଙ୍କୁ ଏକତ୍ର କରିବାକୁ ଉତ୍ସାହିତ ରହିଛୁ।”

ଏହି ଅବସରରେ ଆକାଶ ଅମ୍ବାନୀ କହିଛନ୍ତି, “ଏମ୍ଆଇ ଲଣ୍ଡନଆମର କ୍ରିକେଟ ଯାତ୍ରାରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଛି। ଇନଭିନ୍ସିବଲ୍ସର ବିଜୟ ରେକର୍ଡ ଏବଂ କ୍ରୀଡା ଭାବନା ସହିତ ଏମ୍ଆଇର ଉତ୍ସାହ, ଦୃଢ଼ତା ଏବଂ ଟିମ ୱାର୍କ ସିଦ୍ଧାନ୍ତ ସମ୍ପୂର୍ଣ୍ଣ ଭାବରେ ମେଳ ଖାଉଛି।”

ସରେର ଅଧ୍ୟକ୍ଷ ଓଲି ସ୍ଲିପର କହିଛନ୍ତି, “ରିଲାଏନ୍ସ ସହିତ ଏହି ସହଭାଗିତା ଫ୍ରାଞ୍ଚାଇଜ୍ କୁ ବିଶ୍ୱସ୍ତରରେ ପରିଚୟ ଦେବ, ଏବଂ ‘ଏମ୍ଆଇ ଲଣ୍ଡନ’ ବ୍ରାଣ୍ଡ ସହିତ ଦ୍ରୁତ ଗତିରେ ଏହାର ପ୍ରଶଂସକ ଆଧାର ଏବଂ ବ୍ୟବସାୟିକ ମୂଲ୍ୟ ଉଭୟରେ ବୃଦ୍ଧି ହେବ।”

Govt
Leave A Reply