ବନ୍ତଳା: କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର । କିନ୍ତୁ ଚଳିତ ବର୍ଷ ଶ୍ରାବଣ ମାସ ଯାଇ ଭାଦ୍ରବ ମାସ ଆସିଲାଣି ହେଲେ ବର୍ଷାର ଦେଖା ମିଳୁନାହିଁ । ଯେଉଁ ସମୟରେ ଚାଷୀକୁ ବସିବା ପାଇଁ ସମୟ ମିଳିନତାଏ ସେହି ସମୟରେ ବିଲ ହୁଡାରେ ବସି ଚିନ୍ତାଗ୍ରସ୍ତ ହୋଇ ନିଜ ଆଖିର ଲୁହ ନିଜେ ପିଇ ଯାଉଛି । ବର୍ତମାନ ସମୟରେ ବିଲବାଡି ବର୍ଷା ଜଳରେ ଭରପୁର ହେବା କଥା ଆଜି ମାଟି ଫାଟି ଆଁ ହେବାରେ ଦେଖିବାକୁ ମିଳୁଛି । ବିଲରେ ପାଣି ନଥିବାରୁ ପଡିଥିବା ଧାନତଳି ପାଚିବାକୁ ବସିଲାଣି । ବୁଣା ଯାଇଥିବା ଧାନବିହନ ବିହୁଡା ବେଉଷଣ ଅଭାବରୁ ବୁଢ଼ା ହେବାକୁ ବସିଲାଣି । ଯାହାକୁ ନେଇ ଶହ ଶହ ଚାଷୀ ମୁଣ୍ଡରେ ହାତ ବାନ୍ଧି ବସିଛନ୍ତି ।
ଗୋଟିଏ ପଟେ କରୋନା ମହାମାରୀ ପ୍ରଭାବରେ ପନିପରିବା ଚାଷୀଙ୍କର ଅଟାଂ ଭାଙ୍ଗି ଯାଇଥିବା ବେଳେ ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରି ଦେଇଛି । ପ୍ରକାଶ ଥାଉକି ଅନୁଗୁଳ ବ୍ଲକ ବନ୍ତଳା ଅଚଂଳ ଏକ ଚାଷୀ ପ୍ରବଣ ଅଚଂଳ ଭାବରେ ଖୁବ ପରିଚିତ । ବନ୍ତଳା ଅଚଂଳର ଅନେକ ଜମି ଅଣ ଜଳସେଚିତ ହୋଇଥିବାରୁ ପାଣି ପଚାଂୟତ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି । କିନ୍ତୁ ଏହା ଲୋକଙ୍କ କାମରେ ଆସୁ ନ ଥିବା ଅନେକ ସମୟରେ ଦେଖାଯାଉଛି । ବାରଗଣିଆ ପଚାଂୟତ କଲେଇପଦା ଗ୍ରାମରେ ୨୦୧୬ ମସିହାରେ ପାଖାପାଖି ୩୫ ଜଣ ଚାଷୀଙ୍କ ୮୦ ଏକର ଜମିକୁ ଜଳସେଚନ କରାଯିବା ଉଦେ୍ଦଶ୍ୟ ରେ ରାଧାକୃଷ୍ଣ ପାଣି ପଚାଂୟତ ନିର୍ମାଣ କରାଯାଇଥିଲା । ନିର୍ମାଣ କାର୍ଯ୍ୟ ସରିବା ପରେ ପରୀକ୍ଷା ମୂଳକ ଭାବରେ ମେସିନ ଲଗାଇ ଜମିକୁ ଜଳସେଚନ କରାଯାଇଥିଲା । ତା ପରଠାରୁ ଆଉ କେବେ ବି ଜଳସେଚନ କରାଯାଇନଥିବା ଅଭିଯୋଗ ହେଉଛି ।
ବର୍ତମାନ ବର୍ଷା ଅଭାବ ଯୋଗୁଁ ବିଲ ଫାଟି ଅାଁ ହେବାକୁ ବସିଲାଣି । ତେଣୁ ଜମିକୁ ଜଳସେଚନ କରିବା ପାଇଁ ଚିନ୍ତା କଲା ବେଳକୁ ସେଠାକୁ ଯାଇଥିବା ବିଦ୍ୟୁତ୍ ସଂଯୋଗ ନଥିବା ବେଳେ ରାସ୍ତାରେ ବିଛା ଯାଇଥିବା ପାଇପ୍ ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥାର ଅବହେଳା ଯୋଗୁଁ ପାଇପ୍ ନଷ୍ଟ ହୋଇଯାଇଛି । ଏ ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିବା ସତ୍ୱେ ଠିକାଦାର ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ ରାସ୍ତା ନିର୍ମାଣ କରୁଥିବା ଠିକାଦାର ଉଠା ଜଳସେଚନ ସଂସ୍ଥାକୁ ଦୋଷାରୋପ କରି ଚୁପ ଚାପ ବସିଯାଇଥିବା ଗ୍ରାମର ରବିନ୍ଦ୍ର ପରିଡା, ପ୍ରଦୀପ କୁମାର ଦାସ, ନେକୁରୀ ଦାସ, ରମେଶ ଦାସ, ଧୁବା ନାହାକ, ବବୁର ବାହାନ ନାହାକ, ପିତାମ୍ବର ଦେହୁରୀ, ବାଉରୀବନ୍ଧୁ ଦେହୁରୀ, ଧିରଣ ଦେହୁରୀ, ଚକ୍ର ସାହୁ, ସୁଦାମ ବେହେରା, ତାରିଣୀ ନାହାକ ଆଦି ଅନେକ ଚାଷୀମାନେ ଅଭିଯୋଗ କରିଛନ୍ତି । ଫଳରେ ଚାଷୀ ପାଣି ପାଇ ପାରୁନାହାଁନ୍ତି । ଖୁବଶିଘ୍ର ଏଥିପ୍ରତି ଦୃଷ୍ଟି ଦିଆ ନଗଲେ ଆନେ୍ଦାଳନ କରିବାକୁ ଉପରୋକ୍ତ ଚାଷୀ ମାନେ ଚେତାବନୀ ଦେଇଛନ୍ତି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।