Odisha news

ପର୍ଯ୍ୟଟନ କ୍ଷେତ୍ର : ଡୁଲୁରୀ ପାଇନବଣ ଏବେ ଗୋରୁଗାଈ ଛେଳିଙ୍କ ଚରାଭୂଇଁ ପାଲଟିଛି

0
ବାଲିଗୁଡା, ତା, ୦୩/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ରେ ଥିବା ଡୁଲୁରୀ ପାଇନବଣ ଏବେ ଗୋରୁଗାଈ ଛେଳିଙ୍କ ଚରାଭୂଇଁ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ l ପର୍ଯ୍ୟଟନ ଋତୁ ଆସିଲେ ଅନେକ କଥା କହେ ପାଇନବଣର ଦୃଶ୍ୟ। ଆଉ ପର୍ଯ୍ୟଟକ ଯଦି ଦାରିଙ୍ଗବାଡ଼ି ଆସିନ୍ତି ନିଶ୍ଚିତ ଉକ୍ତ ପାଇନବଣ ବୁଲିଥାନ୍ତି। ବଣଭୋଜି କରି ମଜା ନେଇଥାନ୍ତି। ପର୍ଯ୍ୟଟକଙ୍କ ପାଇଁ ରହିଛି ବଣଭୋଜି କରି ମଜା ନେବା ପାଇଁ ସମସ୍ତ ବ୍ୟବସ୍ଥା। ହେଲେ ଏବେ ଆଉ ପାର୍କ ପର୍ଯ୍ୟଟକଙ୍କ ପାଇଁ ଏହା ନିରାପଦ ସ୍ଥାନ ହୋଇକି ନାହିଁ ଏବଂ ଏହା ନିଜ ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି। ଏବେ ପର୍ଯ୍ୟଟକଙ୍କ ସ୍ଥାନରେ ଗୋରୁଙ୍କ ଚରାଭୂମି ପାଲଟିଛି ପାଇନବଣ। ଆଉ ଗୋରୁ ଚରାଳିଙ୍କ ପାଇଁ ଶିଶୁଙ୍କ ଉଦ୍ୟାନ ପାଲଟିଛି ବିଶ୍ରାମ କକ୍ଷ। ଅଞ୍ଚଳର ଏକାଧିକ ଗୋରୁ ଚରାଳି ତାଙ୍କ ଗୋରୁ ନେଇ ସିଧା ଡୁଲୁରୀ ପାଇନବଣ ଓ ତା’ ପରିସର ଭିତରେ ଥିବା ଶିଶୁ ଉଦ୍ୟାନରେ ଚରିବାକୁ ଛାଡ଼ି ଦିଅନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଘାସ ଗାଲିଚାକୁ ଗାଈ, ଛେଳି ବୁଲିବୁଲି ପେଟ ପୂରିବା ପର୍ଯ୍ୟନ୍ତ ଖାଇଥାନ୍ତି। ଗାଈଆଳମାନେ ମଧ୍ୟ ବହୁତ ଖୁସି। କାରଣ ତାଙ୍କୁ ଆଉ କେହି ଆକଟ କରିବାକୁ ନାହାନ୍ତି। ସେହିପରି ପାଇନ ଜଙ୍ଗଲକୁ ଦୈନିକ ଆସାମିଜିକ ବ୍ୟକ୍ତିମାନେ ଆସି ପାର୍କର ଶିଶୁ ଉଦ୍ୟାନର ଦୋଳି, ବ୍ୟଞ୍ଚ, ଖେଳନାକୁ ନଷ୍ଟ କରୁଥିବା ନଜିର ରହିଛି। ଦୈନିକ ଉକ୍ତ ପାଇନ ବଣକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକମାନେ ଉକ୍ତ ପାର୍କରେ କେହି ସୁରକ୍ଷାକର୍ମୀ ନ ଥିବାରୁ ନିଜକୁ ଅସୁରକ୍ଷିତ ମନେ କରନ୍ତି। ଏବେ ପର୍ଯ୍ୟଟନ ଋତୁ ନ ଥିଲେ ମଧ୍ୟ ଡୁଲୁରୀ ପାଇନ ବଣରେ ରାଜ୍ୟ ଏବଂ ରାଜ୍ୟ ବାହାରର ପର୍ଯ୍ୟଟକ ବୁଲୁଥିବା ଦେଖିବାକୁ ମିଳୁଛି। କେବଳ ପର୍ଯ୍ୟଟନ ଋତୁ ଅକ୍ଟୋବର ମାସଠାରୁ ଫେବୃଆରୀ ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ଓ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ନିୟୋଜିତ କରାଯାଇଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମୁଖ୍ୟ ଫାଟକରେ ଜଗି ରହିବା ସହ ପର୍ଯ୍ୟଟକଙ୍କଠାରୁ ଟିକେଟ୍‌ ସଂଗ୍ରହ କରିଥାନ୍ତି କିନ୍ତୁ ଏବେ ଫେବୃଆରୀ ପରଠାରୁ କେହି ଜଗୁନାହାନ୍ତି। ଫଳରେ ପାର୍କର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଦୈନିକ ଶହ ଶହ ଟଙ୍କାର ରାଜସ୍ବ ହରାଉଛି ବ୍ଲକ ପ୍ରଶାସନ। ଏହାକୁ ବ୍ଲକ ପ୍ରଶାସନ ଅଧୀନରେ ଥିବା ଟ୍ରଷ୍ଟରେ ସାମିଲ କରାଗଲେ ଏହାର ରକ୍ଷଣବେକ୍ଷଣ ଭଲ ଭାବରେ ହୋଇପାରିବ ବୋଲି ଅଞ୍ଚଳବାସୀ କହୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ମୁକୁଳା ଛାଡ଼ି ଦେଇଥିବା ନେଇ ଅସନ୍ତୋଷ ଦେଖାଯାଇଛି। ଏନେଇ ସ୍ଥାନୀୟ ସରପଞ୍ଚ ପାଉଲ ପ୍ରଧାନ କହିଛନ୍ତି ଯେ, ଏବେ ପର୍ଯ୍ୟଟକ ବହୁତ କମ୍‌ ଆସୁଛନ୍ତି ଏବଂ ପାଇନ ବଣରେ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବିଦ୍ୟୁତ୍‌ ସଂଯୋଗ ଓ ଅନ୍ୟାନ୍ୟ କାର୍ଯ୍ୟ ସରିନାହିଁ। ଫଳରେ ପର୍ଯ୍ୟଟକଙ୍କ ପାଇଁ ସମସ୍ୟା ଉପୁଜୁଥିବା ସେ କହିବା ସହ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ସହ କଥା ହୋଇଛନ୍ତି ଶୀଘ୍ର କାର୍ଯ୍ୟ ସରିଲେ ପୁଣି ମହିଳା ମାନେ ସେଠାରେ ରହି ରକ୍ଷଣାବେକ୍ଷଣ ସଫେଇ ସହ ଟିକେଟ ସଂଗ୍ରହ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଏନେଇ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ କହିଛନ୍ତି, ସେ ଏବେ ଶୁଣିଲେ ସ୍ଥାନୀୟ ବିଡିଓଙ୍କ ସହ କଥା ହେଲେ ସେ ଏହାକୁ ଟ୍ରଷ୍ଟରେ ସାମିଲ କରାଇବା ପାଇଁ କନ୍ଧମାଳ ଜିଲାପାଳ ବେଦଭୂଷଣ ଏବଂ ବାଲିଗୁଡ଼ାର ନୂଆ ଉପଜିଲ୍ଲାପାଳ ପ୍ରଣୀତା ଦାସଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
Leave A Reply