Odisha news

ଦୁଇ ସଂଗ୍ରାମୀ ବରପୁତ୍ରଙ୍କ କଥା ଓ ଗାଥା : ଜାନୁଆରୀ ୨୩ ତାରିଖ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉପଲକ୍ଷେ ……..

0

ହିମାଂଶୁ ଶେଖର ଆଚାର୍ଯ୍ୟ : ସମଗ୍ର ମାନବଜାତିର ଇତିହାସରେ ଗୋଟିଏ ଗୋଟିଏ ଦିନ ବା ତାରିଖ ଅନେକ ମହତ୍ତ୍ୱ ରଖେ । ସେହିପରି ଏକ ତାରିଖ ହେଉଛି ଜାନୁଆରୀ ୨୩ ତାରିଖ । ଅବିସ୍ମରଣୀୟ ଦିନ । ଏହି ଦିନ କଥା ମନେ ପଡିଲେ ତନୁମନ ରୋମାଞ୍ଚିତ ହୁଏ । ମନ ଭିତରେ ଦେଶପ୍ରେମର ଭାବ ଉଦ୍ରେକ ହୁଏ । ଦେଶପାଇଁ ଜାତିପାଇଁ ବଳିଦାନ ଦେଇଥିବା ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ କଥା ଓ ଗାଥା ମାନସପଟ୍ଟରେ ଉଙ୍କିମାରେ । ଏହି ଦିନ ଜନ୍ମ ନେଇଥିଲେ ଉକ୍ରଳ ଜନନୀର ଦୁଇ ସୁଯୋଗ୍ୟ ବରପୁତ୍ର । ଜଣେ ହେଉଛନ୍ତି ବୀରପୁରୁଷ, ସଂଗ୍ରାମୀ ସେନାପତି, ତ୍ୟାଗୀ, ସାହସୀ, ଧୈର୍ଯ୍ୟବାନ, ଦେଶପ୍ରେମୀ ସୁଭାଷ ଚନ୍ଦ୍ର ବୋଷ । ସବୁରି ପ୍ରିୟ ନେତାଜୀ । ଅନ୍ୟ ଜଣେ ହେଉଛନ୍ତି ଦେଶପ୍ରେମର ଉପାସକ, ସାହସୀ,ତ୍ୟାଗୀ, ଚିରବିପ୍ଳବୀ ସୁରେନ୍ଦ୍ର ସାଏ । ସବୁରି ପ୍ରିୟ ବୀର ସୁରେନ୍ଦ୍ର ସାଏ ।

ସଂଗ୍ରାମୀ ସୁଭାଷ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଐାତିହ୍ୟ ସମ୍ପନ୍ନ କଟକ ସହରର ଓଡିଆ ବଜାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜାନକୀନାଥ ବୋଷ କଟକରେ ଜଣେ ବିଶିଷ୍ଟ ଓକିଲ ଥିଲେ । ତାଙ୍କ ମାତାଙ୍କ ନାମ ଥିଲା ପ୍ରଭାବତୀ ଦେବୀ । ସେଦିନ ବୋଷ ପରିବାରରେ ଯେଉଁ ଶିଶୁଟିର କୁଆଁରାବ ବୋଷ ପରିବାରକୁ ଆମୋଦିତ କରିଥିଲା, ପରବର୍ତ୍ତୀ କାଳରେ ସେ ସାଜିଥିଲେ ଭାରତର ମୁକ୍ତି ସଂଗ୍ରାମର ମହାନାୟକ । ନେତାଜୀ କହିଲେ କେବଳ ତାଙ୍କୁ ହିଁ ବୁଝାଉଥିଲା । ସୁଭାଷଙ୍କ ବାଲ୍ୟଶିକ୍ଷା ଆରମ୍ଭ ହୋଇଥିଲା କଟକର ମିଶିନାରୀ ସ୍କୁଲରୁ ଓ ପରେ ପରେ ରେଭେନ୍ସା କଲେଜିଏଟ୍ ସ୍କୁଲରେ ନାମ ଲେଖାଇଥିଲେ । ୧୯୧୩ ମସିହାରେ ସୁଭାଷ ମାଟି୍ରକ୍ ପାରୀକ୍ଷାରେ ସମଗ୍ର ବଙ୍ଗ, ବିହାର ଓ ଓଡିଶାରେ ଦ୍ୱିତୀୟ ସ୍ଥାନ ଲାଭ କରି ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୧୯ ମସିହାରେ ସେ ଦର୍ଶନଶାସ୍ତ୍ରରେ ଅନର୍ସ ସହ ପ୍ରଥମ ଶ୍ରେଣୀରେ ବି.ଏ ପାଶ୍ କଲେ ।

ଏହାପରେ ପିତା ଜାନକୀନାଥ ବୋଷ ଆଇ.ସି.ଏସ୍ ପଢିବା ପାଇଁ ସୁଭାଷଙ୍କୁ ଲଣ୍ଡନ ପଠାଇଲେ । ୧୯୨୦ ମସିହାରେ ଏହି ପରୀକ୍ଷା ଦେଇ ସୁଭାଷ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ଭାରତରେ ଏଥିପାଇଁ ତାଙ୍କୁ ଏକ ଉଚ୍ଚ ସରକାରୀ ଚାକିରି ମିଳିବା କଥା । ମାତ୍ର ସ୍ୱଦେଶ ବତ୍ସଳ ଓ ଜାତିପ୍ରାଣ ସୁଭାଷଙ୍କ ଉଚ୍ଚ ପଦବୀ ଓ ସରକାରୀ ଚାକିରିର ମୋହ ଆବଦ୍ଧ କରିପାରିନଥିଲା । ଅରବିନ୍ଦଙ୍କ ଏକ ଲେଖା – “ନିଜ ପାଇଁ ବଡ ହୁଅନା, ଦେଶ ପାଇଁ ବଡ ହୁଅ” ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା । ସେ ଏହାକୁ କଥାରେ ନୁହେଁ କାର୍ଯ୍ୟରେ କରି ଦେଖାଇଥିଲେ । ଏହି ସମୟରେ ମହାତ୍ମାଗାନ୍ଧୀ ଅସହଯୋଗ ଆନେ୍ଦାଳନର ଡାକରା ଦେଇଥାନ୍ତି । ସବୁକୁ ପଛରେ ପକାଇ ସୁଭାଷ ୧୯୨୧ ମସିହାରେ କଲିକତାଠାରେ ଜାତୀୟ କଂଗ୍ରେସରେ ଯୋଗଦେଲେ । ବଙ୍ଗଳାର ଦ୍ୱାରେ ଦ୍ୱାରେ ବୁଲି ସୁଭାଷ ଆରମ୍ଭ କଲେ ଦୁର୍ଗତ ଜନତାର ସେବା । ସବୁରି ଭିତରେ ସୃଷ୍ଟି କଲେ ଦେଶପ୍ରେମର ଭାବ । ତାଙ୍କରି ବୀରତ୍ୱପୂର୍ଣ୍ଣ ଆହ୍ୱାନରେ ଶିକ୍ଷକ, ଓକିଲ, ଛାତ୍ର, କୃଷକ ଓ ସରକାରୀ କର୍ମଚାରୀ ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବାପାଇଁ ଆଗେଇ ଆସିଲେ ।

Leave A Reply