ବାଲିଗୁଡା, ତା, ୨୬/୦୩: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବନାଞ୍ଚଳ ପକ୍ଷରୁ ଗତ ତିନିଦିନ ଧରି ଜଙ୍ଗଲ ନିଆଁକୁ ନିରାକରଣ କରିବା ପାଇଁ ପାରମ୍ପରିକ ନୃତ୍ୟ ଗୀତ,ପଥପ୍ରାନ୍ତି ନାଟକ, ଶୋଭାଯାତ୍ରା, ଶପଥ ପାଠ ଓ ସଭା ସମିତି ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହାକୁ ବାଲିଗୁଡ଼ା ବନଖଣ୍ଡ ଅଧୂକାରୀଙ୍କ ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧୂକାରୀ ରମାକାନୁ କହଁରଙ୍କ ନେତୃତ୍ୱରେ କ.ନୂଆଗାଁ ବନପାଳ ଶୁଶାନୁ କୁମାର ବୈଶାଖୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୃଥକ ଭାବେ ସାରଙ୍ଗଗଡ ଗ୍ରାମ ପଞ୍ଚାୟତ ପରିସର, ପୁରୁଣା ନୂଆଗାଁ ସାହି ଓ ସିର୍ଲିଗୁଡା ଠାରେ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ଏହା ସହ କ.ନୂଆଗାଁ,ସାରଙ୍ଗଗଡ ଏବଂ ଧରମପୁର ସେକ୍ସନରେ ପୋଡୁଚାଷରୁ ନିବୃତ୍ତ ହେବା, ବେଆଇନ ଶିକାର, ମହୁଲ ସଂଗ୍ରହ ସମୟରେ ଗଛ ତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ସଚେତନତା କରି ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଛି।ଏହା ସହ ସାଧାରଣ ଜନତା,ବନ ସୁରକ୍ଷା ସମିତି ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଉପସ୍ଥିତରେ ଜଙ୍ଗଲକୁ କିଭଳି ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କ.ନୂଆଗାଁ ବନାଞ୍ଚଳ ଅଧିନରେ ଥିବା କାର୍ଯ୍ୟରତ ବନପାଳ ସନ୍ତୋଷ କୁମାର ସେନାପତି ଓ ଅରୁଣ କୁମାର ଦାଶ, ବନରକ୍ଷୀ କଲ୍ୟାଣୀ ସାହୁ, ସୁଦେଷ୍ଟା ବେହେରା , ଧର୍ମେନ୍ଦ୍ର ଦିଗାଲ, ରୁପିଙ୍ଗା ମଲ୍ଲିକ,ସୁବ୍ରତ ନାୟକ, ପାର୍ବତୀ ମଲ୍ଲିକ,ସୁଜାତା ସାହୁ ସମେତ ସମସ୍ତ ବନ ସୁରକ୍ଷା ସଦସ୍ୟଙ୍କ ସହ ବନ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ।