ବାଲିଗୁଡ଼ା, ତା, ୧୯/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷାନିକେତନର ୨୨ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ଏସଡିପିଓ ସୁଭମ୍ ଭୋଷଲେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶିକ୍ଷା ସର୍ବଶ୍ରେଷ୍ଠ , ଏଣୁ ଶିକ୍ଷାକୁ ଗୁରୁତ୍ୱ ଦେଇ ଆଗକୁ ବଢ଼ିବା ଆବଶ୍ୟକ ବୋଲି ନିଜ ଅଭିଭାଷଣରେ କହିବା ସହ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ସମ୍ମାନୀତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝୀ, ଶାନ୍ତିମୈତ୍ରୀ ଅନୁଷ୍ଠାନର ପ୍ରତିଷ୍ଠାତା ଭଗବାନ ଜେନା, ବିଦ୍ୟାଳୟର ଉପଦେଷ୍ଟା ରାଜକିଶୋର ସାହୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ସମ୍ପାଦିକା ରେଖାରାଣୀ ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ପରେ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଶେଷରେ ବାର୍ଷିକ ଉତ୍ସବକୁ ନେଇ ବିଦ୍ଯାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ସମସ୍ତଙ୍କ ପୂର୍ଣ୍ଣ ସହଯୋଗ ଯୋଗୁଁ ଆଜି ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଛି ବୋଲି କହିବା ସହ ସମସ୍ତଙ୍କୁ ବିଦ୍ୟାଳୟର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀ ସାଧୁବାଦ ଜଣାଇଛନ୍ତି।