ଭୁବନେଶ୍ୱର,୧୦/୧୦/୨୦୨୫: ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (PM-JANMAN) ଅଧୀନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗ୍ରାମୀଣ ସଡ଼କ ପ୍ରକଳ୍ପର ନିର୍ମାଣ ସଫଳତାର ସହିତ ଶେଷ କରିଛନ୍ତି । ରାଜ୍ୟର ଦୂରଦୂରାନ୍ତ ଆଦିବାସୀ ଅଞ୍ଚଳରେ ଏହି ପ୍ରକଳ୍ପ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିଛି । ରାୟଗଡା ଜିଲ୍ଲାର ତେଲଗୁଡୁଠାରୁ ତାରବେଲ ଗ୍ରାମ୍ୟ ଉନ୍ନୟନ ରାସ୍ତା ଏବଂ ଦେବଗଡ଼ ଜିଲ୍ଲାର ପୂର୍ତ୍ତ ରାସ୍ତାଠାରୁ ସିଆରହୁଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଯୋଗୁଁ ପ୍ରଥମ ଥର ପାଇଁ ସ୍ଥାନୀୟ ଲୋକଙ୍କୁ ନିରାପଦ ଏବଂ ସବୁଦିନିଆ ଯୋଗାଯୋଗର ସୁବିଧା ମିଳିଛି ଏବଂ ସେମାନଙ୍କ ଜୀବନଯାପନରେ ଉନ୍ନତି ଦେଖାଦେଇଛି ।
ରାୟଗଡା ଜିଲ୍ଲାରେ, ୩୦ ମଇ ୨୦୨୫ ରେ ସମାପ୍ତ ହୋଇଥିବା ତେଲଗୁଡୁ ରାସ୍ତା ପ୍ରକଳ୍ପ ଯୋଗୁଁ ତେଲଗୁଡୁ ଗ୍ରାମଠାରୁ ୨.୫ କିଲୋମିଟର ଦୂର ତାରବେଲର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଯୋଗାଯୋଗ ସହଜ ହୋଇଛି । ପୂର୍ବରୁ, ଗ୍ରାମକୁ ଯିବା ପାଇଁ ଏକମାତ୍ର ରାସ୍ତା କାଦୁଅ ଏବଂ ବିପଦପୂର୍ଣ୍ଣ ଥିବାରୁ ବର୍ଷା ଋତୁରେ ଗ୍ରାମବାସୀମାନେ ନିକଟବର୍ତ୍ତୀ ପ୍ରମୁଖ ସହରରୁ ବିଚ୍ଛିନ୍ନ ରହୁଥିଲେ । ପିଲାମାନେ ସ୍କୁଲ ଯିବାରୁ ବଞ୍ଚିତ ହେଉଥିଲେ, ଚାଷୀମାନେ ଉଚିତ ସମୟରେ ସେମାନଙ୍କର ଫସଲ ବିକ୍ରି କରିପାରୁ ନଥିଲେ ଏବଂ ଯୋଗାଯୋଗ ଅଭାବରୁ ଜରୁରୀକାଳୀନ ଚିକିତ୍ସା ମଧ୍ୟ ମିଳିପାରୁନଥିଲା । ଆଜି ପରିସ୍ଥିତି ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । ଏହି ନୂତନ ରାସ୍ତା ଯୋଗୁଁ ବର୍ଷସାରା ଗ୍ରାମକୁ ଯାନବାହାନ ପହଞ୍ଚିପାରିବ । ସ୍କୁଲରେ ପିଲାଙ୍କ ଉପସ୍ଥାନରେ ଉନ୍ନତି ଆସିପାରିବ, ଗର୍ଭବତୀ ମହିଳାମାନଙ୍କୁ ଏବେ ସୁରକ୍ଷିତ ଭାବରେ ଡାକ୍ତରଖାନାକୁ ନେଇହେବ, ଏବଂ ଗ୍ରାମବାସୀମାନେ ନିକଟସ୍ଥ ବଜାର ଏବଂ ସରକାରୀ କାର୍ଯ୍ୟାଳୟକୁ ସହଜରେ ଯାତ୍ରା କରିପାରିବେ । ଚାଷୀମାନେ ଏବେ ପନିପରିବା, ଧାନ ଏବଂ ଜଙ୍ଗଲଜାତ ଦ୍ରବ୍ୟକୁ ଗୁଣୁପୁର ମଣ୍ଡିକୁ ନେଇପାରିବେ । ଏହା ଦ୍ୱାରା ସେମାନଙ୍କର ଆୟରେ ନିଶ୍ଚିତ ଭାବେ ବୃଦ୍ଧି ଘଟିବ ।
ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ବାସିନ୍ଦାଙ୍କୁ ଶ୍ରମିକ ଭାବରେ ମଧ୍ୟ ସାମିଲ କରାଯାଇଥିଲା । ଏହା ଦ୍ୱାରା ସେମାନେ ମଜୁରୀଭିତ୍ତିକ ଆୟରେ ସମର୍ଥ ହୋଇଥିଲେ ଏବଂ ଏହା ଗୋଷ୍ଠୀସଂପୃକ୍ତିକୁ ସୁଦୃଢ଼ କରିଥିଲା । ପ୍ରକଳ୍ପ ଅଧିନରେ ରାସ୍ତାକୁ ଦୀର୍ଘସ୍ଥାୟୀ ଏବଂ ସୁରକ୍ଷିତ ରଖିବା ପାଇଁ ବୃକ୍ଷରୋପଣ ଏବଂ ଉପଯୁକ୍ତ ଜଳ ନିଷ୍କାସନ ଭଳି ପରିବେଶ ଅନୁକୂଳ ପଦ୍ଧତି ଗ୍ରହଣ କରାଯାଇଥିଲା । ଗ୍ରାମବାସୀମାନେ ଏହି ପ୍ରକଳ୍ପରେ ଗଭୀର ସନ୍ତୋଷ ପ୍ରକାଶ କରି ଏହି ରାସ୍ତା ସେମାନଙ୍କ ପିଲାମାନଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତର ଦ୍ୱାର ଖୋଲିଛି ବୋଲି ପ୍ରକାଶ
କରିଛନ୍ତି ।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଅଧୀନରେ ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଅନ୍ତର୍ଗତ ସିଆରିହୁଲିର ଦୂରବର୍ତ୍ତୀ ବସତିକୁ ସବୁଦିନିଆ ଯୋଗାଯୋଗ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପିଡବ୍ଲìଡି ରାସ୍ତାଠାରୁ ସିଆରିହୁଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା । ୧୪୧.୬୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨.୧୯୮ କିଲୋମିଟର ଦୀର୍ଘ ରାସ୍ତା, ମୁଖ୍ୟତଃ PVTG (ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ) ପରିବାର ବାସ କରୁଥିବା ଏହି ଆଦିବାସୀ ଗ୍ରାମକୁ ବର୍ଷସାରା ଯୋଗାଯୋଗ ସୁବିଧା ଯୋଗାଇ ଦେଇଛି । ଏହି ରାସ୍ତା ଜନଜାତି ସମ୍ପ୍ରଦାୟ ପାଇଁ ଏକ ଜୀବନରେଖା ପାଲଟିଛି । ଏହା ଦ୍ୱାରା ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଏବଂ ସ୍ୱାସ୍ଥ୍ୟସେବା ସୁବିଧା ସୁନିଶ୍ଚିତ ହୋଇପାରିଛି । ଗ୍ରାମବାସୀମାନେ ଏବେ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର ଲାଭ ପାଇବା ସହ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି । ଉନ୍ନତ ଯୋଗାଯୋଗ ସୁବିଧା ଯୋଗୁଁ ବ୍ୟବସାୟୀ ଏବଂ ସେବା ପ୍ରଦାନକାରୀମାନେ ଏବେ ଗାଁରେ ପହଞ୍ଚି ପାରୁଛନ୍ତି, ଯାହା ସ୍ଥାନୀୟ ଯୁବକମାନଙ୍କ ପାଇଁ ନୂତନ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରୁଛି ।
ଏହି ପ୍ରକଳ୍ପଗୁଡ଼ିକର ସଫଳତା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱକୁ ପ୍ରତିଫଳିତ କରୁଛି । ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଅଞ୍ଚଳର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରୁଛି ଏବଂ ତୃଣମୂଳସ୍ତରେ ଥିବା ଲୋକଙ୍କର ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ସମ୍ଭବ ହୋଇପାରିଛି । ଏହି କାର୍ଯ୍ୟକ୍ରମ ଆଦିବାସୀ ସମ୍ପ୍ରଦାୟର ଜୀବନରେ ଏକ ଉଲ୍ଲେଖନୀୟ ଉନ୍ନତି ଆଣିଛି । ମାନ୍ୟବର ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକଙ୍କ ନିରନ୍ତର ମାର୍ଗଦର୍ଶନ ଏବଂ କ୍ଷେତ୍ରସ୍ତରୀୟ ତଦାରଖ, ସମନ୍ୱୟ ଓ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଯୋଗୁଁ ଏହି ପ୍ରକଳ୍ପଗୁଡ଼ିକ ସମୟସୀମା ମଧ୍ୟରେ ଶେଷ
ହୋଇପାରିଛି ।
ଉନ୍ନତ ଗ୍ରାମୀଣ ସଂଯୋଗୀକରଣ ଜୀବନକୁ କିପରି ଜନଜୀବନକୁ ପରିବର୍ତ୍ତନ କରିପାରିବ, ଏହି ପ୍ରକଳ୍ପଗୁଡ଼ିକ ତାହାର ନିଦର୍ଶନ ପାଲଟିଛି । ରାସ୍ତାଗୁଡ଼ିକ କେବଳ ଯୋଗାଯୋଗ ସୁବିଧା ପ୍ରଦାନ କରିନଥାଏ ବରଂ ଲୋକମାନଙ୍କୁ ସୁଯୋଗ, ସମ୍ମାନ ଏବଂ ପ୍ରଗତି ସହିତ ମଧ୍ୟ ଯୋଡ଼ିଥାଏ । ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନରେ ଦୁର୍ଗମ ଅଞ୍ଚଳର ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ପ୍ରତ୍ୟେକ ବ୍ୟକ୍ତି ନିକଟରେ ବିକାଶର ସୁଫଳ ପହଞ୍ଚାଇବାକୁ ସୁନିଶ୍ଚିତ କରୁଛି ଏବଂ ସାମାଜିକ ଏବଂ ଅର୍ଥନୈତିକ ବ୍ୟବଧାନକୁ ହ୍ରାସ କରୁଛି ।
ତେଲଗୁଡୁ ଏବଂ ସିଆରିହୁଲିରେ ନବନିର୍ମିତ ରାସ୍ତାଗୁଡ଼ିକ ତୃଣମୂଳସ୍ତରରେ ଥିବା ଲୋକ ପାଖରେ ଅନ୍ତର୍ଭୁକ୍ତିମୂଳକ ବିକାଶ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ଉଦାହରଣ ଭାବରେ ଉଭା ହୋଇଛି । ସଶକ୍ତିକରଣ ଏବଂ ସମୃଦ୍ଧି ଦିଗରେ ସଂଯୋଗୀକରଣ ପ୍ରଥମ ଭିତ୍ତିଭୂମି ବୋଲି ଏହି ପ୍ରକଳ୍ପ ଦୁଇଟି ପ୍ରମାଣିତ କରିଛି ଏବଂ ଲୋକଙ୍କ ଦୀର୍ଘକାଳୀନ ସ୍ୱପ୍ନ ବାସ୍ତବରେ ରୂପାନ୍ତରିତ ହୋଇଛି ।