Odisha news

ରାଜ୍ୟସ୍ତରୀୟ ବିଶ୍ଵ ଅଣ୍ଡା ଦିବସ , ଅଣ୍ଡା ଉତ୍ପାଦନର ଶକ୍ତି କେନ୍ଦ୍ର ହେବ ଓଡ଼ିଶା : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

 ଏବେ ବାର୍ଷିକ ୩୭୨ କୋଟି ଅଣ୍ଡା ଉତ୍ପାଦନ ହେଉଛି, ୨୦୨୯ ସୁଦ୍ଧା ୫୦୦ କୋଟି ଉତ୍ପାଦନ ଲକ୍ଷ୍ୟ

0

ଭୁବନେଶ୍ୱର(Suvendra Pattanaik) : ଭରପୁର ପୋଷଣ ଥିବା ଖାଦ୍ୟ ହେଉଛି ଅଣ୍ଡା । ଏହା ଏକ ସମ୍ପୂର୍ଣ୍ଣ ଖାଦ୍ୟ । ସବୁଠାରୁ କମ ମୂଲ୍ୟରେ ମିଳୁଥିବା ଏହି ପ୍ରାଣୀଜ ଖାଦ୍ୟ ହେଉଛି ଶିଶୁଙ୍କ ଉତ୍ତମ ସ୍ଵାସ୍ଥ୍ୟର ଆଧାର ଓ ଗ୍ରାମୀଣ ଅର୍ଥନୀତିର ଉତ୍ସ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ ରାଜ୍ୟସ୍ତରୀୟ “ବିଶ୍ଵ ଅଣ୍ଡା ଦିବସ” ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହା କହିଛନ୍ତି ।

ଏବେ ଦୈନିକ ପ୍ରାୟ ୧ କୋଟି ୧୭ ଲକ୍ଷ ଅଣ୍ଡା ଉତ୍ପାଦିତ ହେଉଛି । ବାର୍ଷିକ ୩୭୨ କୋଟି ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ୨୦୨୯ ସୁଦ୍ଧା ବାର୍ଷିକ ୫୦୦ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରହିଛି । ଆମ ରାଜ୍ୟରେ ବାର୍ଷିକ ଅଣ୍ଡାର ମୁଣ୍ଡପିଛା ଉପଲବ୍ଧତା ୮୦ ଗୋଟି ଥିବା ବେଳେ ସୁସ୍ଥ ଶରୀର ପାଇଁ ବାର୍ଷିକ ୧୮୨ ଗୋଟି ଅଣ୍ଡାର ଆବଶ୍ୟକତା ରହିଛି ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ । ତେଣୁ ଅଣ୍ଡା ଉତ୍ପାଦନରେ ଆତ୍ମନିର୍ଭର ହେବା ପାଇଁ ପ୍ରତ୍ୟେକ ବ୍ଲକ୍ ଓ ଜିଲ୍ଲାରେ ଯୁବ ଉଦ୍ୟୋଗୀମାନେ ଆଗେଇ ଆସିବାକୁ ମାନ୍ୟବର ମନ୍ତ୍ରୀ ଆହ୍ଵାନ କରିଥିଲେ ।

କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଭାତ କୁମାର ରାଉଳ ଅଣ୍ଡା ଉତ୍ପାଦନରେ ଆମ ରାଜ୍ୟକୁ ସ୍ଵାବଲମ୍ବୀ କରାଇବାର ସଂକଳ୍ପ ନେବା ପାଇଁ ଆହ୍ଵାନ ଦେଇଥିଲେ । ଅତିରିକ୍ତ ଶାସନ ସଚିବ ରିନା ମହାପାତ୍ର ସରକାରଙ୍କ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ନିର୍ଦ୍ଦେଶକ ହାଡିବନ୍ଧୁ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନାଯୋଗ୍ୟ, ପ୍ରତି ବର୍ଷ ଅକ୍ଟୋବର ମାସ ଦ୍ଵିତୀୟ ଶୁକ୍ରବାର ଦିନ “ବିଶ୍ଵ ଅଣ୍ଡା ଦିବସ” ପାଳନ କରାଯାଏ । ଅଣ୍ଡାର ଖାଦ୍ୟଗୁଣ ଓ ଏହାର ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରାଇବା ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ଉଦ୍ଦେଶ୍ୟରେ ବିଶ୍ଵ ଅଣ୍ଡା ଦିବସ ପାଳନ କରାଯାଉଅଛି । ଚଳିତ ବର୍ଷର ଥିମ୍ ରହିଛି “ଶକ୍ତିଶାଳୀ ଅଣ୍ଡା: ପ୍ରାକୃତିକ ପୋଷଣରେ ଭରପୂର ।”

“ବିଶ୍ଵ ଅଣ୍ଡା ଦିବସ” ପରିପ୍ରେକ୍ଷୀରେ ଆଜି ଭୁବନେଶ୍ଵରର ବିଭିନ୍ନ ବିଦ୍ୟାଳୟମାନଙ୍କରେ ଅଣ୍ଡାର ଉପାଦେୟ ଗୁଣ ବିଷୟରେ ପିଲାମାନଙ୍କୁ ସଚେତନ କରାଯାଇଥିଲା । ୟୁନିଟ-୧, ୟୁନିଟ-୨, ୟୁନିଟ-୯, ସିଆରପି ଓ କ୍ୟାପିଟାଲ ହାଇସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହା ବ୍ୟତୀତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଭୁବନେଶ୍ଵରର ବିଭିନ୍ନ ଅନାଥାଶ୍ରମରେ ଅନ୍ତେବାସୀମାନଙ୍କୁ ଅଣ୍ଡା ବଣ୍ଟନ କରାଯାଇଥିଲା ।

Leave A Reply