Odisha news

କାମରେ  ଆସୁନି  ନାଲକୋ ଦ୍ୱାରା ନିର୍ମିତ ପାନୀୟ  ଜଳ ପ୍ରକଳ୍ପ : ସାକ୍ଷୀଗୋପାଳ ମନ୍ଦିରରେ  ପାନୀୟ ଜଳ ପାଇଁ ଯାତ୍ରୀ ହେଉଛନ୍ତି ହଟହଟା

0
ସାକ୍ଷୀଗୋପାଳ : ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର  ସାକ୍ଷୀଗୋପାଳ ମନ୍ଦିର l ହିନ୍ଦୁ ମତବାଦ ଅନୁଯାଇ ଶ୍ରୀଜଗନ୍ନାଥ ଧାମ, ବଦ୍ରୀନାଥ ଧାମ, ରାମେଶ୍ୱର ଧାମ ଓ ଋଷିକେଶ ଧାମ ଚାରି ଧାମ ଦର୍ଶନ ପରେ ସାକ୍ଷୀଗୋପାଳରେ ସାକ୍ଷୀଗୋପାଳ ଠାକୁରଙ୍କୁ ଦର୍ଶନ କରି ସାକ୍ଷୀ ନ ରଖିଲେ ଦର୍ଶନ ଅଧୁରା ରହିଥାଏ ବୋଲି ବିଶ୍ୱାସ ରହିଅଛି l ଫଳରେ ଦୈନିକ ସାକ୍ଷୀଗୋପାଳ ଠାକୁରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଅଛି l  ଦୈନିକ ବହୁତ ଯାନବାହାନ ମଧ୍ୟ ଆସୁଅଛି  । ମାତ୍ର ତୀର୍ଥ ଯାତ୍ରୀ , ମନ୍ଦିର ସେବାୟତ ,ସ୍ଥାନୀୟ ଲୋକଙ୍କ ନିମନ୍ତେ ମନ୍ଦିର ପରିସରରେ ନାଲକୋ ଅନୁଦାନରେ  ନିର୍ମାଣ ହୋଇଥିବା ଦୁଇଟି ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ହେବ  ଖରାପ ହୋଇ ପଡିରହିଛି । ଯାହାଦ୍ୱାରା   ଏଠାରେ ଯାତ୍ରୀମନେ ମନ୍ଦିର ବାହାରେ କିମ୍ବା ଭିତରେ ବିଶୁଦ୍ଧ ପନୀୟ ଜଳ ପାଇପାରୁନାହାନ୍ତି । ମନ୍ଦିର ଭିତରେ ଥିବା ପ୍ରକଳ୍ପଟିର ମୋଟର ଦୀର୍ଘ ଦିନର ଓ ପୁରୁଣା ହୋଇଥିବାରୁ ଏହାର ଓଭର ହେଡ ଟାଙ୍କିକୁ ପାଣି ଉଠାଇ  ପାରୁନାହିଁ l ଯାହା ଦ୍ୱାରା ଉକ୍ତ ପ୍ରକଳ୍ପଟି ଅକାମି ହୋଇ ରହିଛି ।ଏହା ଛଡା ଏହି ପ୍ରକଳ୍ପର ଅନ୍ୟ କିଛି ଯନ୍ତ୍ରାଂଶ ଓ ଟ୍ୟାପ ଗୁଡ଼ିକ ନଷ୍ଟ ହୋଇଯାଇଛି । ଅନ୍ୟପଟେ ମନ୍ଦିର ବାହାର ପରିସରରେ ଥିବା ପଦ ପ୍ରାକ୍ଷାଳନ ପ୍ରକଳ୍ପ ଓ ପାନୀୟ ଜଳ ପ୍ରକଳ୍ପଟି ରକ୍ଷଣ ବେକ୍ଷଣ ଅଭାବରୁ ଦୀର୍ଘ ଦିନ  ହେଲା ଅଚଳ ଅବସ୍ଥାରେ ରହିଛି । ଏହା ପ୍ରକଳ୍ପର ମଧ୍ୟ  ମଟରଟି ଖରାପ ରହିଅଛି l  ଅନ୍ୟାନ୍ୟ ଯନ୍ତ୍ରାଂଶ  ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି ବୋଲି ସାକ୍ଷୀଗୋପାଳ ମନ୍ଦିର ସୁପରଭାଇଜର ତଥା ବରିଷ୍ଠ ସେବାୟତ ବିଶ୍ୱନାଥ ମହାପାତ୍ର ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ମନ୍ଦିର ଭିତରକୁ ଯାତ୍ରୀମାନେ ପ୍ରବେଶ କରିବା ସମୟରେ ପଦପ୍ରକ୍ଷାଳନ କେନ୍ଦ୍ରରେ ଗୋଡ଼ ହାତ ଧୋଇ ଶୁଦ୍ଧ ପୁତ୍ତ ହୋଇ  ପ୍ରବେଶ କରିଥାନ୍ତି  । ମାତ୍ର ଏହାର ଅବସ୍ଥା ଶୋଚନୀୟ ହୋଇ ରହିଛି । ପଦପ୍ରକ୍ଷାଳନ ସ୍ଥାନଟ ଦୀର୍ଘ ଦିନରୁ ପରିଷ୍କାର ନହେବାରୁ ସେଠାରେ ପାନ ଛେପ ଠାରୁ ଆରମ୍ଭ  କରି ଅନ୍ୟ ଅସନା ଦ୍ରବ୍ୟ ପଡିରହିଛି । ଅଧିକାଂଶ ଟ୍ୟାପରେ ପାଣି ଆସୁନାହିଁ ତେଣୁ ଏହାକୁ  ତୀର୍ଥ ଯାତ୍ରୀମାନେ  ବ୍ୟବହାର  କରିପାରୁନାହାନ୍ତି । ଏ ସମ୍ପର୍କରେ  ମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ସତ୍ୟବାଦୀ ବିଡ଼ିଓ ଲିପ୍ସା ରାୟଙ୍କୁ ପଚାରିବାରୁ ସେ କହିଛନ୍ତି ,  ଯାତ୍ରୀ ଓ   ସେବାୟତ ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ  ରଖି ଅତିଶୀଘ୍ର ଏହି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ କରାଯିବ । ଆବଶ୍ୟକ ପଡ଼ିଲେ ମନ୍ଦିର  ପାଣ୍ଠିରୁ ଅର୍ଥ  ବ୍ୟୟ କରାଯିବ  ।
ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ କହିଛନ୍ତି,ଏହି ପ୍ରକଳ୍ପ ଗୁଡିକ ନାଲକୋ କରିଥିଲା । ଏହାର ମରାମତି ମଧ୍ୟ ନାଲକୋ ପକ୍ଷରୁ କରାଯାଉଥିଲା । ଏହି ପ୍ରକଳ୍ପ ଗୁଡିକ  ଅଚଳ ହୋଇ ପଡ଼ିଥିବା ସମ୍ପର୍କରେ ନାଲକୋ  ସହିତ  ଯୋଗଯୋଗ କରାଯାଇଛି l ହେଲେ ସେମାନେ ଏହା ପ୍ରତି କର୍ଣ୍ଣପାତ କରୁନାହାନ୍ତି । ତେବେ ଅଳ୍ପ ଦିନ ଭିତରେ ଏଗୁଡିକ କାର୍ଯ୍ୟକ୍ଷମ କରାଯିବ ବୋଲି  ପ୍ରଶାସନିକ ଅଧିକାରୀ ତ୍ରିପାଠୀ ପ୍ରକାଶ କରିଛନ୍ତି
Leave A Reply