ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଏଫବିଆଇ ତଦନ୍ତ ଏକ ଉଦ୍ଭଟ ଚିନ୍ତାଧାରା
ନବ ଦାସଙ୍କ ହତ୍ୟାର ତଦନ୍ତଭାର ସିବିଆଇକୁ ଦିଅନ୍ତୁ ମୁଖ୍ୟମନ୍ତ୍ରୀ
ସରକାରର ହତ୍ୟା ହେଲା ଜଣେ ସରକାରୀ କର୍ମଚାରୀଙ୍କ ଦ୍ୱାରା
ମା’କୁ ସମ୍ମାନର ନାରା ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ଅଥର୍ବ ନେତୃତ୍ୱର ଏହା ଏକ ନଗ୍ନ ନିଦର୍ଶନ
ରାଜ୍ୟରେ ପ୍ରତ୍ୟେକ ଦିନ ୯ଅଞ୍ଜନା/ମମିତା ଓ ୧୨ ପରୀ ଭଳି ଘଟଣା ଘଟୁଛି
ଭୁବନେଶ୍ୱର, ତା.୨୯/୦୧: ସଂସଦୀୟ ଗଣତନ୍ତ୍ରର ପ୍ରଥା ଓ ପରମ୍ପରା ଅନୁସାରେ ସଂସଦ କିମ୍ବା ବିଧାନସଭାକୁ ଗଣତନ୍ତ୍ରର ମନ୍ଦିର କୁହାଯାଏ । ଓଡିଶା ବିଧାନସଭା ଭଳି ପବିତ୍ର ଗୃହ ବା ଗଣତନ୍ତ୍ରର ମନ୍ଦିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଶୁଣି ନିଜର ଅପାରଗତା ଓ ଅଥର୍ବ ନେତୃତ୍ୱକୁ ଲୁଚାଇବା ପାଇଁ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଏଫବିଆଇ ତଦନ୍ତ ଭଳି ଉଦ୍ଭଟ ଚିନ୍ତାଧାରା ଓ ମିଥ୍ୟା ଆସ୍ଫାଳନ କରି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ସମର୍ଥନକୁ ଅସମ୍ମାନ ଓ କଟାକ୍ଷ କରିଛନ୍ତି । ଏଫବିଆଇ ତଦନ୍ତ କୁଆଡେ ଗଲା? ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ ୫ତାରିଖ ବିଧାନସଭା ଅଧିବେଶନ ତାଙ୍କ ପାଇଁ ଶେଷ ଅଧିବେଶନ ହେଉଥିବାରୁ ଯୋଡହସ୍ତରେ ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର ଦାବି କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ୨୯ ଜାନୁୟାରୀ, ୨୦୨୩ ଓଡ଼ିଶା ପାଇଁ ଏକ କଳାଦିନ ହୋଇରହିବ । ଗତବର୍ଷ ଆଜିର ଦିନରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ନବ ଦାସଙ୍କ ବୃଦ୍ଧା ମା’ ପୁଅର ହତ୍ୟାରେ ମ୍ରିୟମାଣ ହୋଇପଡୁଥିଲେ । ପୁଅର ମୃତ୍ୟୁ ପରେ ସେ ବୃଦ୍ଧା ମା’ର ମୃତ୍ୟୁ ହୋଇସାରିଛି । କିନ୍ତୁ ଜୀବିତାବସ୍ଥାରେ ସେହି ମା’ ନ୍ୟାୟ ପାଇବାରୁ ବଂଚିତ ହେଲେ । ମା’କୁ ସମ୍ମାନର ନାରା ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ଅଥର୍ବ ନେତୃତ୍ୱର ଏହା ଏକ ନଗ୍ନ ନିଦର୍ଶନ । ପୁନଶ୍ଚ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ୍ ସହଯୋଗୀଙ୍କ ନିଜ ଅଧିନରେ ଥିବା ପୋଲିସ ବିଭାଗର ଜଣେ ଅଫିସର ହତ୍ୟା କରିବା ବିରଳ ଘଟଣା । କହିବାକୁ ଗଲେ ସରକାରର ହତ୍ୟା ହେଲା ଜଣେ ସରକାରୀ କର୍ମଚାରୀଙ୍କ ଦ୍ୱାରା । ଓଡିଶା ଶାସନ ଇତିହାସ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ସଦାସର୍ବଦା ନିନ୍ଦିତ କରିବ । ରାଜ୍ୟ କ୍ରାଇମବ୍ରାଂଚ ନାମକୁ ମାତ୍ର ତଦନ୍ତ କରି କେବଳ ଗୋପାଳ ଦାସକୁ ଦୋଶୀ ସଜାଇ ବସିଯାଇଛି । କେଉଁମାନେ ହତ୍ୟାର ଷଡଯନ୍ତ୍ରକାରୀ ସେ ବିଷୟରେ ତଦନ୍ତ ନକରି ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରିଦିଆଯାଇଛି । ରାଜ୍ୟରେ ଆଇନଶୃଙ୍ଖଳା ନାହିଁ । ଦୋଷୀ ଦୋଷ କରି ଅନ୍ୟାୟସରେ ଖସି ଯାଉଛି । ରାଜ୍ୟରେ ପ୍ରତ୍ୟେକ ଦିନ ୯ଅଞ୍ଜନା/ମମିତା ଓ ୧୨ ପରୀ ଭଳି ଘଟଣା ଘଟୁଛି । ଏଥିପାଇଁ ଅପାରଗ ପ୍ରଶାସନ ହିଁ ଦାୟୀ । ଯେହେତୁ ଦୀର୍ଘ ୧ବର୍ଷ ଧରି ନବ ଦାସଙ୍କ ପ୍ରକୃତ ହତ୍ୟାକାରୀ ଓ ଷଡଯନ୍ତ୍ରକାରୀ ଧରାପଡିନାହାନ୍ତି । ତେଣୁ ଯଥାଶୀଘ୍ର ନବ ଦାସଙ୍କ ହତ୍ୟାର ତଦନ୍ତଭାର ସିବିଆଇକୁ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ।