ଓଡ଼ିଶାର ମହାମହିମ ରାଜ୍ୟପାଳ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଉତର କେବେ ମିଳିବ ?
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କାରଣରୁ କଟକ-ଅନୁଗୋଳ-ସମ୍ବଲପୁର ରାସ୍ତା ତ୍ୱରାନ୍ୱିତ ହେଉଥିବା ବେଳେ ଭ୍ରମ ତିଆରି କରୁଛି ବିଜେଡି
ଭୁବନେଶ୍ୱରରେ ଅଳିଆ ଗଦାର ପାହାଡ କରାଯାଇ ଯେଉଁ କୃତିମ ପ୍ରଦୂଷଣ ସୃଷ୍ଟି କରାଯାଇଛି, ଏଥିପାଇଁ ରାଜ୍ୟ ସରକାର କଣ କରିଛନ୍ତି ?
ଭୁବନେଶ୍ୱରରେ ଡ୍ରେନ୍ ପାଣିରେ ପିଲାମାନେ ଭାସିଯାଉଥିବା ବେଳେ ସରକାର ଏଭଳି ଘଟଣାରେ ଚିନ୍ତିତ ନୁହଁନ୍ତି କି?
ରାଉରକେଲାରେ ଲୋକମାନେ ହଇଜାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଲୋକ ଉତମ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ପାଇବାରେ ଅପେକ୍ଷାରତ, ଏ କ’ଣ ଲମ୍ବା ଶାସନର ପାରିବାପଣିଆ ?
ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ କେବଳ କେନ୍ଦ୍ରକୁ ଦୋଷ ଦେଉଛି ବିଜେଡି
ରେଙ୍ଗାଳି ଠାରେ ବ୍ରାହ୍ମଣୀ ନଦୀରେ ୨୦୧୩ରେ ଦ୍ୱିତୀୟ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ ମଧ୍ୟ ଦୀର୍ଘ ୧୦ ବର୍ଷ ପରେ କାମ ସରିନାହିଁ
ଭୁବନେଶ୍ୱର, ତା.୨୪/୧୨ : ରାଜ୍ୟ ସରକାର ଧର୍ମକୁ ଆଖିଠାର ଭଳି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ସମେତ ଓଡ଼ିଶାର ବିକାଶକୁ ଅଣଦେଖା କରୁଛନ୍ତି । ଖଣି ସମୃଦ୍ଧ ଅଂଚଳ ଅନୁଗୋଳରୁ ୬୦ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ରାଜ୍ୟ ସରକାର ଅନୁଗୋଳକୁ କଣ ଦେଇଛନ୍ତି ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଲ ।
ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ କେବଳ କେନ୍ଦ୍ରକୁ ଦୋଷ ଦେବା ବିଜେଡ଼ି ନେତା ତଥା ସରକାରଙ୍କ ଏକ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି । ନିକଟରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ । ଯୋରନ୍ଦାରେ ବୃଦ୍ଧାଶ୍ରମ ଚଳାଇଥିବା ମହର୍ଷି ଦୟାନନ୍ଦ ସର୍ଭିସ ମିଶନକୁ ଜମି ହସ୍ତାନ୍ତର ପାଇଁ ସୁପାରିସ ସହ ଗତ ୨ ବର୍ଷ ହେଲା ଆରପିଡିଏସି ବୈଠକ ନ ବସିବା ଫଳରେ ଲୋକଙ୍କ ସମସ୍ୟାର ସମାଧାନ ସହ ଅନ୍ୟାନ୍ୟ ବିଷୟ ସମାଧାନ ପାଇଁ ଚିଠିରେ ଉଲ୍ଲେଖ କରିଥିଲେ । ଏହା ଉପରେ ରାଜ୍ୟ ସରକାର ଉତର କେବେ ରଖିବେ ?
ବିଜେଡି ନେତା ଯେଉଁ କଟକ-ଅନୁଗୋଳ-ସମ୍ବଲପୁର ରାଜପଥ କଥା କହୁଛନ୍ତି, ଆଜି ଯେତିକି ଦ୍ରୁତ ଗତିରେ ଏହି କାମ ତ୍ୱରାନ୍ୱିତ ହେଉଛି, ତାହା କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ପାଇଁ । ପୂର୍ବରୁ ୨୭ ଜୁଲାଇ ୨୦୨୩, ୨୮ ସେପ୍େଟମ୍ବର ୨୦୨୨, ୨୬ ଏପ୍ରିଲ ୨୦୨୨, ୮ ଅକ୍ଟୋବର ୨୦୨୧ ସମେତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଅନେକ ଥର ଚିଠି ଲେଖିଛନ୍ତି । ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅନେକ ଥର ଏନଏଚଆଇ କର୍ତୃପକ୍ଷଙ୍କୁ ଭେଟି ମଧ୍ୟ ଏହା ଉପରେ ସମୀକ୍ଷା କରିଛନ୍ତି । କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ଜାଗାରେ ରାଜ୍ୟ ସରକାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ଏବଂ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟରେ ବିଳମ୍ବ ହେଉଛି । ଗୋଟିଏ ଗୋଟିଏ ପ୍ରକଳ୍ପରେ ୩-୪ ଡିପିଆର ବଦଳିଯାଉଛି, କାହା ସ୍ୱାର୍ଥରେ ଆଲାଇନମେଂଟ ବଦଳୁଛି, ବିଜୁ ଜନତା ଦଳ ନିଜକୁ ନିଜେ ପଚାରିବା ଆବଶ୍ୟକ ।
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଠାରେ ବ୍ରାହ୍ମଣୀ ନଦୀରେ ୨୦୧୩ରେ ଦ୍ୱିତୀୟ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ ମଧ୍ୟ ଦୀର୍ଘ ୧୦ ବର୍ଷ ପରେ ମଧ୍ୟ ଏହାର କାମ ସରିନାହିଁ । ଏହା ରାଜ୍ୟ ସରକାରଙ୍କ ବିଫଳତା ତଥା ମନ୍ଥର ବିକାଶର ଗତିର ଏକ ଉଦାହରଣ ଭାବେ ଅନୁଗୋଳ ଓ ରାଜ୍ୟବାସୀଙ୍କ ସାମ୍ନାରେ ରହିଛି । ପ୍ରସ୍ତାବିତ ତାଳଚେର-ଖାଲପାଳ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଘୋଷଣା ହେବା ସତ୍ୱେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ବଡକେରା-ଆଠଗଡ ରାଜ୍ୟ ରାଜପଥ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । କୁମୁରିସିହା-ଫୁଲପଡା ରାସ୍ତା ଖରାପ ଅବସ୍ଥାରେ ଅଛି । ବଲ୍ଲହପୁର ଗ୍ରାମକୁ ରାସ୍ତା ନାହିଁ ।
ରାଜଧାନୀ ଭୁବନେଶ୍ୱରରେ ଟିକେ ବର୍ଷା ହେଲେ ଲୋକଙ୍କ ଘରେ ପାଣି ଜମୁଛି । ଯେଉଁଠି ମୁଖ୍ୟମନ୍ତ୍ରୀ ରହୁଛନ୍ତି, ସରକାରଙ୍କ ଅଧିକାରୀମାନେ ରହୁଛନ୍ତି, ସେମାନଙ୍କ ଘରେ ମଧ୍ୟ ଡ୍ରେନ୍ ପାଣି ପଶୁଛି । ରାଜ୍ୟ ସରକାରଙ୍କ ଅପାରଗତା ଓ ଅବ୍ୟବସ୍ଥା କାରଣରୁ ପ୍ରାକୃତିକ ନାଳ ସବୁ ଜବର ଦଖଲ କରାଯାଇଛି, ଯାହାର ଭୁକ୍ତ ଭୋଗୀ ହୋଇଛନ୍ତି ରାଜଧାନୀବାସୀ । ୨୦୨୧ମସିହା ସେପ୍େଟମ୍ବର ମାସରେ ଭୁବନେଶ୍ୱରରେ ଡ୍ରେନ୍ ପାଣିରେ ଭାସି ଯାଇ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ୍ୟୁ ହୋଇଥିଲା । ୨୦୧୫ ମସିହା ଅଗଷ୍ଟ ମାସରେ ଅସଜଡା ଡ୍ରେନ୍ ଭିତରେ ଜଣେ ୯ ବର୍ଷର ବାଳକ ପୁପୁନ ବିଶ୍ୱାଳ ଭାସି ଯାଇଥିଲେ । ୨୦୧୭ରେ ଜଣେ ଟ୍ୟୁସନ୍ ସାର, ୨୦୧୮ରେ ଗୋଟିଏ ଛୋଟ ପିଲା ଏବଂ ୨୦୧୯ରେ ଜଣେ ବୃଦ୍ଧା ମୁକୁଳା ଡ୍ରେନ୍ରେ ଭାସି ଯାଇଥିଲେ । ଏତେ ସବୁ ଘଟଣା ଘଟିବା ପରେ ମଧ୍ୟ ଆଜି ବି ସେହି ସମାନ ଅବସ୍ଥା ।
ଦୁଇଟି ମହାନଗମ ନିଗମ ତଥା ଗୋଟିଏ ପଟେ ରାଉରକେଲାରେ ଲୋକମାନେ ହଇଜାରେ ଆକ୍ରାନ୍ତ ହୋଇ ଅନେକ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଲୋକ ଉତ୍ତମ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଅପେକ୍ଷା କରିଛନ୍ତି । ଅପରପକ୍ଷରେ ଭୁବନେଶ୍ୱରରେ ଅଳିଆ ଗଦାର ଯେଉଁ ପାହାଡ କରାଯାଇ କୃତିମ ପ୍ରଦୂଷଣ ସୃଷ୍ଟି କରାଯାଇଛି, ତାର ସମାଧାନ ପାଇଁ ରାଜ୍ୟ ସରକାର କଣ କରିଛନ୍ତି ? ଲୋକମାନେ ଅଳିଆର ଗନ୍ଧରେ ଅଣନିଶ୍ୱାସୀ ହୋଇପଡି ବାରମ୍ବାର ଅନୁରୋଧ ଦାବି ପରେ ସରକାରଙ୍କ ପଦକ୍ଷେପ କଣ ବୋଲି ଶ୍ରୀ ବିଶ୍ୱାଲ ପ୍ରଶ୍ନ କରିଛନ୍ତି