ପୁରୀ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳର ପ୍ରଭୁ ସାକ୍ଷୀଗୋପୀନାଥ ଏବଂ ମା ଶ୍ରୀ ଶ୍ରୀରାଧାରାଣୀଙ୍କର ଅଁଳାନବମୀ ଓ ଶ୍ରୀରାଧା ପାଦ ଦର୍ଶନ ଓ ବଡ଼ଏକାଦଶୀ ଯାତ୍ରା ଚଳିତ ମାସ ୨୧ ଓ ୨୩ ତାରିଖରେ ଅନୁଷ୍ଠିତ ହେବ | ଜିଲ୍ଲାର ଏହି ଅନ୍ୟତମ ବୃହତ୍ତମ ଗଣପର୍ବ ଅଁଳାନବମୀ ରେ ବର୍ଷକୁ ମାତ୍ର ଗୋଟିଏ ଦିନ ଓଡ଼ିଆଣୀ ବେଶରେ ଜଗଦ୍ଧାତ୍ରୀ ମା ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ସହିତ ଶାନ୍ତିଶୃଙ୍ଖଳା ରେ ଯାତ୍ରା ପରିଚାଳନା ନିମନ୍ତେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚସଖା ପାଠାଗାରରେ ଆଜି ଅପରାହ୍ନରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଅଁଳା ନବମୀ ଯାତ୍ରା ର ଅବ୍ୟବହିତ ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ଶେଷ ପ୍ରସ୍ତୁତି ବୈଠକରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମସ୍ତ କାର୍ଯ୍ୟର ସମୀକ୍ଷା କରି ଅଁଳାନବମୀ ଯାତ୍ରା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧକ୍ଷତା ରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ସମ୍ମାନିତ ଅତିଥି ଭାବରେ ସହକାରୀ ଦେବୋତ୍ତର ଆୟୁକ୍ତ ଗଗନ ସାହୁ ଯୋଗ ଦେଇ ଦେବ ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା କରିଥିଲେ | ପ୍ରାରମ୍ଭିକ ଆଲୋଚନା ରେ ଦେବନୀତି ନିର୍ଘଣ୍ଟ ସମ୍ପର୍କରେ ସେବାୟତ ସଙ୍ଘ ସଭାପତି ଶ୍ରୀବତ୍ସ ମହାପାତ୍ର,ସମ୍ପାଦକ ବିଜୟ କୁମାର ନନ୍ଦ, କୋଷାଧକ୍ଷ ଉମେଶ ନନ୍ଦ, ସଦସ୍ୟ ଓ ବରିଷ୍ଠ ସେବାୟତ ମାନେ ଯୋଗ ଦେଇ ସେମାନଙ୍କ ର କିଛି ଦାବୀ ଉପସ୍ଥାପନ କରିବା ସହିତ ଯାତ୍ରା ରେ ସମ୍ପୂର୍ଣ ସହଯୋଗ କରିବେ ଏବଂ ଅଁଳାନବମୀ ପୂର୍ବ ରାତ୍ର ୧ ଘଟିକା ରୁ ମନ୍ଦିର ଦ୍ୱାର ଉନ୍ମୋଚନ କରାଯାଇ ଦେବ ନୀତି ସମ୍ପନ୍ନ ସହିତ ସେବାୟତ ପରିବାର, ମନ୍ଦିର କର୍ମଚାରୀ ମାନଙ୍କ ଦର୍ଶନ ପରେ ସକାଳ ୬ ଘଟିକା ରୁ ସାହାଣ ମେଲା ଦର୍ଶନ ଆରମ୍ଭ କରାଯିବ ବୋଲି କହିଥିଲେ | ବିଧାୟକ ଶ୍ରୀ ଶ୍ରୀ ସାମନ୍ତରାୟ ଓ ଉପଜିଲ୍ଲାପାଳ ଶ୍ରୀ ସାହୁ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଶାନ୍ତିଶୃଙ୍ଖଳା ଓ ଯାନବାହାନ ନିୟନ୍ତ୍ରଣ, ବାରିକେଡ଼ ନିର୍ମାଣ, ରାସ୍ତା ଘାଟ ମରାମତି, ଅବିରତ ବିଦ୍ୟୁତ ଯୋଗାଣ ସହିତ ମନ୍ଦିର ଓ ରାସ୍ତା ଘାଟ ଆଲୋକୀକରଣ ବ୍ୟବସ୍ଥା, ସ୍ୱାସ୍ଥ୍ୟ ପରିମଳ ସହିତ ଜରୁରୀ କାଳୀନ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା,ପାନୀୟ ଜଳ, ମନ୍ଦିର, ବଜାର ଅଞ୍ଚଳ ସହିତ ପଞ୍ଚସଖା ପଡିଆ ସଫେଇ ଆଦି କାର୍ଯ୍ୟର ଅଗ୍ରଗତି ଓ ଶେଷ ପ୍ରସ୍ତୁତି ସମ୍ପର୍କ ରେ ସମୀକ୍ଷା କରିଥିଲେ | ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ସ୍ୱାଗତ ଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିରଞ୍ଚି ନାରାୟଣ ପତି,ବ୍ଲକ ଅଧକ୍ଷ ସୁନିଲ କୁମାର ପଣ୍ଡା,ଟ୍ରଷ୍ଟ ବୋର୍ଡ ସଭାପତି ପ୍ରତାପ ମହାପାତ୍ର, ସତ୍ୟବାଦୀ ପ୍ରଶାସନ ପକ୍ଷରୁ ତହସିଲଦାର ଜୟନ୍ତ କୁମାର ଜୟସିଂହ,ବିଡ଼ିଓ ଲିପ୍ସା ରାୟ, ଆଇଆଇସି ବିଜୟ କେତନ ବେହେରା, ଆର ଏମ ସି ସମ୍ପାଦକ କମଳ କୁମାର ଆଚାର୍ଯ୍ୟ,ସ୍ୱାସ୍ଥ୍ୟ ଅଧିକାରୀ ଡ଼. ବିଶ୍ୱଜିତ ମିଶ୍ର, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଶଶୀ ଭୂଷଣ ମହାନ୍ତି,ଜଳସମ୍ପଦ ଯନ୍ତ୍ରୀ ସୁରେଶ କୁମାର ସାହୁ, ବିଦ୍ୟୁତ ଉପଖଣ୍ଡ ଅଧିକାରୀ ନୀଳାଚଳ ପାତ୍ର, ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ସୁଜାତା ପରିଡା ଓ ଅନିତା ରାଜ ପଣ୍ଡା ଙ୍କ ସହିତ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ଚିନ୍ମୟ ରାଉତ ଓ ଆରାଧନା ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ | ମନ୍ଦିରର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ |