ମୟୂରଭଞ୍ଜ ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଭଞ୍ଜସେନା ପକ୍ଷରୁ ୨୫୦ ରୁ ଉଦ୍ଧ୍ୱର୍ ସ୍ଥାନରେ ବିକ୍ଷୋଭ
ବାରିପଦା : ମୟୂରଭଞ୍ଜ ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ବୁଧବାର ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କୋଣ ଅଣୁକୋଣର ୨୫୦ରୁ ଉଦ୍ଧ୍ୱର୍ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଗଠନ ପକ୍ଷରୁ ମା’କିଚକେଶ୍ୱରୀ ମନ୍ଦିର ପାଇଁ ପର୍ଯ୍ୟାପ୍ତ ଅନୁଦାନ, ଶିମିଳିପାଳ ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥୀକ ପ୍ୟାକେଜ୍ ଘୋଷଣା, ସମଗ୍ର ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଅଭାବ ଡାକ୍ତର ପଦବୀ ପୂରଣ, ପର୍ଯ୍ୟଟନ ସ୍ଥଳୀର ବିକାଶ, ଜାହିରା ପୀଠ ଗୁଡିକର ସ୍ଥାୟୀ ପଟ୍ଟା ପ୍ରଦାନ, ବାଙ୍ଗିରିପୋଷି-ଗୋରୁମହିଷାଣୀ, ବାଦାମପାହାଡ-କେନ୍ଦୁଝର ସହିତ କପ୍ତିପଦା ଉପଖଣ୍ଡକୁ ନୂତନ ରେଳ ସଂଯୋଗୀକରଣ, ଶୁଳିଆପଦା ବ୍ଲକରେ କାଗଜକଳ ପ୍ରତିଷ୍ଠା, ଐତିହାସିକ ରାଜପ୍ରସାଦର ପୁନଃରୁଦ୍ଧାର ସହ ସ୍ମାରକିକରଣ କରିବା ଆଦି ବିଭିନ୍ନ ଦାବିମାନ ସମସ୍ୟାକୁ ନେଇ ସଂଗଠନର କର୍ମକର୍ତ୍ତା ମାନେ ଫ୍ଲା-କାର୍ଡ ଓ ବ୍ୟାନର ଧରି ପ୍ରତିବାଦ ଜଣାଇବା ସହ ଫଟୋ ଓ ଭିଡିଓ କୁ ସୋସିଆଲ ମିଡିଆ ମାଧ୍ୟମରେ ପୋଷ୍ଟ କରି ଅଭିନବ ଉପାୟରେ ପ୍ରତିବାଦ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ପିଣ୍ଟୁ ମାଇତିଙ୍କ ସହ ଭଞ୍ଜସେନାର ନେତୃବୃନ୍ଦ ସଞ୍ଜିବ୍ ରାଉତ, ରାକେଶ ବେହେରା, ସାମନ୍ତ ଶେଖର ପାଲ, ପ୍ରଶାନ୍ତ ମହାକୁଡ, ସୌମ୍ୟ ରଞ୍ଜନ ମିଶ୍ର, ମାନସ ବେହେରା, ଏସ.କେ ରାଜାଖାନ୍, ଜ୍ୟୋତି ରଞ୍ଜନ ପୃଷ୍ଟି, ଗଣେଶ ମହାନ୍ତି, ସିଂରାୟ ହେମ୍ବ୍ରମ, ଦିପେଶ ଅଗ୍ରୱାଲ ଓ ଅମିତ କୁମାର ପ୍ରମୁଖ ପରିଚାଳନା କରିଥିଲେ । ଯଥାଶୀଘ୍ର ଦାବିଗୁଡିକ ପୂରଣ ନହେଲେ ଡିସେମ୍ବର ପ୍ରଥମ ସପ୍ତାହରେ ବାରିପଦାରେ ଏକ ବିଶାଳ ର୍ୟାଲି କରାଯିବ ବୋଲି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଚେତାବନୀ ଦେଇଛନ୍ତି ।