ଭଞ୍ଜନଗର,୨୭/୧୧(ଆପ୍ର) ରାଜ୍ୟ ସରକାରଙ୍କ ୨୦୨୨-୨୩ ଆର୍ଥିକ ବର୍ଷର ଧାନ ସଂଗ୍ରହ ନୀତି ଓ ଧାନ କଳ ମାଲିକ ସଂଘର ଏନେଇ ରହିଥିବା ଭୂମିକା ନେଇ ଉପଖଣ୍ଡ ସ୍ତରୀୟ ମିଲ୍ ମାଲିକ ସଂଘର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ରବିବାର ସ୍ଥାନୀୟ ବୁଢାକେନ୍ଦୁ ପୀଠରେ ଭଞ୍ଜନଗର ଉପଖଣ୍ଡର ସମସ୍ତ ଧାନ କଳ ମାଲିକ ମାନେ ଏଠାରେ ଏକିଠି ହୋଇ ଚଳିତ ବର୍ଷ ସରକାର ଙ୍କ ଧାନ ସଂଗ୍ରହ ନୀତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସରକାର ଙ୍କ ଧାନ ସଂଗ୍ରହ ଅଭିଯାନ ଓ ମିଲ୍ ରେ ଏହାର ଚାଉଳ ଉତ୍ପାଦନ ସହ ଠିକଣା ସମୟରେ ଏଫସିଆଇ କୁ ଯୋଗାଣ ଏବଂ ଏଥିରେ ମିଲର ମାନଙ୍କୁ ସରକାର କିଭଳି ସହାୟତା ଯୋଗାଇ ଦେବେ ସେ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
ଜିଲ୍ଲା ମିଲ ମାଲିକ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତ ବର୍ଷମାନଙ୍କରେ ଏହି ଋତୁରେ କଣ ସବୁ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ସେ ନେଇ ଆଲୋଚନା କରାଯାଇଥିଲା। ପରେ ଚଳିତ ବର୍ଷ ଯେପରି ସୁରୁଖୁରୁରେ କାର୍ଯ୍ୟ ସମ୍ପାଦନ ହୋଇପାରିବ ସେଥିପାଇଁ ଉପଖଣ୍ଡ ସ୍ତରୀୟ ଏକ କମିଟି ଗଠନ କରାଯାଇଛି। ଏଥିରେ ଉପଖଣ୍ଡ ମିଲ ମାଲିକ ସଂଘର ସଭାପତି ଭାବେ ସୁବାସ ଚନ୍ଦ୍ର ପାତ୍ର, ଉପସଭାପତି ଭାବେ ଅମିତ୍ କୁମାର ପାଣିଗ୍ରାହୀ, ସାଧାରଣ ସଂପାଦକ ଭାବେ ମହେଶ କୁମାର ସ୍ବାଇଁ, କୋଷାଧ୍ୟକ୍ଷ ଭାବେ ଅଶୋକ କୁମାର ପାତ୍ର ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ରାଜେନ୍ଦ୍ର କୁମାର ପ୍ରଧାନଙ୍କୁ ଆଇନ ପରାମର୍ଶଦାତା ଭାବେ ମନୋନୀତ କରାଯାଇଛି। ଏହି ବୈଠକରେ ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ବ୍ଳକରୁ ୧୫୦ ରୁ ଉର୍ଦ୍ଧ୍ବ ମିଲ ମାଲିକ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।